ନୂଆଦିଲ୍ଲୀ: ପ୍ରବଳ କାମ ଚାପ ପ୍ରଭାବରେ ୟର୍ନଷ୍ଟ ଆଣ୍ଡ ୟଙ୍ଗ (ଇୱାଇ) ଇଣ୍ଡିଆର ୨୬ ବର୍ଷୀୟା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆନ୍ନା ସେବାଷ୍ଟିଆନ୍ ପେରାୟିଲଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ତାଙ୍କ ମନ୍ତବ୍ୟକୁ ଅନେକ ଦାୟିତ୍ବହୀନ ବୋଲି କହିଛନ୍ତି। କଂଗ୍ରେସ ପକ୍ଷରୁ ତାଙ୍କ ମନ୍ତବ୍ୟକୁ ହୃଦୟହୀନ ବୋଲି କୁହାଯିବା ସହ ଦେଶର ଯୁବପିଢ଼ି ସାମ୍ନା କରୁଥିବା ଦୁର୍ଦ୍ଦଶାକୁ ଏଡ଼ାଇ ସେ କର୍ପୋରେଟ୍ ସ୍ବାର୍ଥକୁ ପ୍ରାଥମିକତା ଦେଉଛନ୍ତି ବୋଲି କୁହାଯାଉଛି। କଂଗ୍ରେସର ସାଂଗଠନିକ ସଚିବ କେ ସି ବେଣୁଗୋପାଳ କହିଛନ୍ତି ଯେ ଆଦାନି, ଅମ୍ବାନିଙ୍କ ଯନ୍ତ୍ରଣା ଅର୍ଥମନ୍ତ୍ରୀ ଦେଖିପାରୁଛନ୍ତି। କଠିନ ପରିଶ୍ରମ କରୁଥିବା ଦେଶର ଯୁବପିଢ଼ିଙ୍କ ଦୁଃଖ ତାଙ୍କୁ ଦେଖାଯାଉନି। 

Advertisment

ହୃଦୟହୀନ ମନ୍ତବ୍ୟ: କଂଗ୍ରେସ
ପୀଡ଼ିତାଙ୍କୁ ଲଜ୍ଜିତ କରାଯାଇଛି: ପ୍ରିୟଙ୍କା
ପୀଡ଼ିତାଙ୍କୁ ଲଜ୍ଜିତ କରିନି: ନିର୍ମଳା

ଏକ କାର୍ଯ୍ୟକ୍ରମରେ ନିର୍ମଳା କହିଛନ୍ତି ଯେ ଆମ ପିଲାମାନେ ପାଠପଢ଼ିବା ଲାଗି କଲେଜ ଓ ବିଶ୍ବବିଦ୍ୟାଳୟକୁ ଯାଉଛନ୍ତି ଓ ଉତ୍କର୍ଷ ସହ ସେଠାରୁ ବାହାରୁଛନ୍ତି। ଦୁଇ ତିନି ଦିନ ପୂର୍ବେ ଏକ ଖବର ଆସିଥିଲା। ଜଣେ ମହିଳା ଯିଏ ଚାର୍ଟାର୍ଡ ଆକାଣ୍ଟାଣ୍ଟ ପାଠପଢ଼ିଥିଲେ ସେ କାମ ଚାପକୁ ସହିପାରିଲେ ନାହିଁ। ତାଙ୍କର ଦେହାନ୍ତ ହୋଇଛି। ତେଣୁ ଶିକ୍ଷାନୁଷ୍ଠାନଗୁନିକ କେବଳ ଗୁଣାତ୍ମକ ଶିକ୍ଷା ପ୍ରଦାନ ନକରି ପିଲାମାନଙ୍କୁ ସହନଶୀଳତା, ମାନସିକ କଲ୍ୟାଣ, କର୍ମ-ଜୀବନ ସନ୍ତୁଳନ ଉପରେ ମଧ୍ୟ ଶିକ୍ଷା ଦେବାର ଆବଶ୍ୟକତା ରହିଛି। ଫଳରେ ଚାପ ମଧ୍ୟରେ ହେଉଥିବା କାମକୁ ସେମାନେ ସହଜରେ କରିପାରିବେ। ପରିବାର ଭିତରେ ମଧ୍ୟ କାମ ଚାପର ମୁକାବିଲା କରିବା ଲାଗି ପିଲାମାନଙ୍କୁ ଶିକ୍ଷା ଦିଆଯିବା ଦରକାର। ତାହା କେବଳ ଇଶ୍ବରଙ୍କ କୃପା ଦ୍ବାରା ହାସଲ କରାଯାଇପାରିବ।

ଇଶ୍ବରଙ୍କ ଉପରେ ଭରସା ରଖ ଓ ଭଲ ଶୃଙ୍ଖଳା ଶିଖିବାକୁ ସେ କହିଛନ୍ତି। ଏହି ପ୍ରସଙ୍ଗରେ ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ନିର୍ମଳାଙ୍କୁ ଟାର୍ଗେଟ୍‌ କରି ପୀଡ଼ିତାଙ୍କୁ ସେ ଲଜ୍ଜିତ କରିଥିବା କହିଛନ୍ତି। ତାଙ୍କ ଅଭିଯୋଗ ଉପରେ ଜବାବ ଦେଇ ନିର୍ମଳା କହିଛନ୍ତି ଯେ ମୁଁ କୌଣସି ସଂସ୍ଥା କିମ୍ବା କାହାର ନାମ ନେଇନଥିଲି। ଯେଉଁ ଅନୁଷ୍ଠାନରେ ମୁଁ ଅଭିଭାଷଣ ଦେଉଥିଲି ସେଠାରେ ଏକ ପୂଜା ଘର ଓ ଧ୍ୟାନ ହଲ୍‌ ରହିଛି। ସେହି ପରିପ୍ରେକ୍ଷୀରେ ମୁଁ ପିଲାଙ୍କ ମାନସିକ ଦୃଢ଼ତା କଥା କହିଥିଲି। ଏହା କୌଣସି ପ୍ରକାରରେ ପୀଡ଼ିତାଙ୍କୁ ଲଜ୍ଜିତ କରିବା ନଥିଲା। ମୋର ସେଭଳି କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ନିର୍ମଳା ସ୍ପଷ୍ଟ କରିଛନ୍ତି।