ମୁମ୍ବାଇ: ଦେଶର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ ମିଳିଛି। ଏକ ଇ-ମେଲ୍ ଜରିଆରେ ତାଙ୍କୁ ଜଣେ ବ୍ୟକ୍ତି ଉକ୍ତ ହତ୍ୟା ଧମକ ଦେଇଛନ୍ତି। ଯଦି ସେ ୨୦ କୋଟି ଟଙ୍କା ନଦେବେ ତାହେଲେ ତାଙ୍କୁ ଗୁଳି କରାଯିବ। ତାଙ୍କ ନିକଟରେ ଦେଶର ସବୁଠୁ ଭଲ ସୁଟର୍ ବା ଗୁଳି ମାରିବା ବ୍ୟକ୍ତି ଅଛନ୍ତି ବୋଲି ଦାବି କରାଯାଇଛି।
ସଦାବ ଖାନ୍ ନାମକ ଜଣେ ବ୍ୟକ୍ତି ଗତ ୨୭ ତାରିଖରେ ଏହି ଇମେଲ୍ ପଠାଇଛନ୍ତି ବୋଲି ପୁଲିସ କହିଛି। ଅମ୍ବାନିଙ୍କ ବାସଭବନ ଆଣ୍ଟିଲିଆରେ ମୃତୟନ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଏ ନେଇ ପୁଲିସକୁ ସୂଚନା ଦିଆଯାଇଛି। ଗାମଦେବି ଥାନାରେ ଆଇପିସିର ଧାରା ୩୮୭ ଏବଂ ୫୦୬(୨) ଅଧୀନରେ ମାମଲା ରୁଜୁ ସହିତ ଇମେଲ୍ ପଠାଇଥିବା ବ୍ୟକ୍ତିକୁ ଧରିବା ପାଇଁ ପୁଲିସ ବ୍ୟାପକ ଉଦ୍ୟମ ଆରମ୍ଭ କରିଛି। ମୁକେଶଙ୍କୁ ପ୍ରଥମ ଥର ପାଇଁ ହତ୍ୟା ଧମକ ମିଳିନାହିଁ। ଗତବର୍ଷ ମୁକେଶ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଲାଗି ବିହାରରୁ ଏକ ଅଜଣା ଟେଲିଫୋନ କଲ୍ ଆସିଥିଲା। ସଂପୃକ୍ତ ବ୍ୟକ୍ତି ଦକ୍ଷିଣ ମୁମ୍ବାଇରେ ଥିବା ଅମ୍ବାନିଙ୍କ ବାସଭବନ ଆଣ୍ଟିଲିଆ ଏବଂ ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲା। ଅବଶ୍ୟ ମୁମ୍ବାଇ ପୁଲିସ ସେହି ବ୍ୟକ୍ତିକୁ ବିହାରର ଦରଭଙ୍ଗାଂରୁ ଗିରଫ କରିଥିଲା। ତାହା ପୂର୍ବରୁ ୨୦୨୧ରେ ଅମ୍ବାନିଙ୍କ ବାସଭବନ ଠାରୁ କିଛି ଦୂରରେ ବିସ୍ଫୋରକ ଭର୍ତ୍ତି ଏସ୍ୟୁଭି ମିଳିଥିଲା। ସେହି ଏସ୍ୟୁଭିଟି ବ୍ୟବସାୟୀ ହିରନ୍ଙ୍କର ଥିଲା। ତେବେ ପରେ ହିରନଙ୍କର ମୃତ ଦେହ ଥାନେ ନିକଟ ଏକ ନାଳରୁ ମିଳିଥିଲା।