ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଦେଶରେ ଘଟିଥିବା ଦୁଇଟି ଘଟଣା କର୍ପୋରେଟ୍ ଜଗତରେ ପ୍ରବଳ କାମ ଚାପ ପ୍ରସଙ୍ଗ ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଚାକିରିରେ ଯୋଗଦେବାର ଚାରି ମାସ ମଧ୍ୟରେ ୟର୍ନଷ୍ଟ ଆଣ୍ଡ ୟଙ୍ଗ (ଇୱାଇ)ର ୨୬ ବର୍ଷୀୟା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଆନ୍ନା ସେବାଷ୍ଟିଆନ୍ ପେରାୟିଲ୍ଙ୍କ ଦେହାନ୍ତ ସାରା ଦେଶକୁ ଦୋହଲାଇଦେଇଛି। ଗତକାଲି ପ୍ରବଳ କାମ ଚାପର ଆଉ ଏକ କୁପରିଣତି ଦେଖିବାକୁ ମିଳିଛି। ଚେନ୍ନାଇରେ ଜଣେ ୩୮ ବର୍ଷୀୟ ସଫ୍ଟୱେର ଇଞ୍ଜିନିୟର ନିଜ ଦେହରେ ବିଜୁଳି ତାର ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଦୁଇ ଘଟଣା ପରେ କର୍ପୋରେଟ୍ ଜଗତରେ କାମ କରୁଥିବା କର୍ମଚାରୀମାନେ ସୋସିଆଲ୍ ମିଡିଆରେ ନିଜ ଅନୁଭୂତି ବଖାଣୁଛନ୍ତି।
ଉଭୟ ଘଟଣାରେ ପରିବାର ଲୋକ ପ୍ରବଳ କାମ ଚାପର ଅଭିଯୋଗ ଆଣିଛନ୍ତି। ଆନ୍ନାଙ୍କ ମା’ ଇୱାଇର ଅଧ୍ୟକ୍ଷକୁ ଲେଖିଥିବା ଚିଠିରେ ତାଙ୍କ ଝିଅ କିଭଳି କାମକୁ ନେଇ ଚାପରେ ରହୁଥିଲା ତାହା ଜଣାଇଛନ୍ତି। ସେ ଅଫିସରୁ ଆସିବା ପରେ ପୋଷାକ ନ ବଦଳାଇ ଶେଯ ଉପରେ ଶୋଇ ପଡ଼ୁଥିଲା। ରାତିଦିନ କାମ କରୁଥିଲା। ଏଭଳିକି ନିଜ ଶିକ୍ଷାନୁଷ୍ଠାନର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଦିନ ବି ତାଙ୍କୁ କାମ କରିବାକୁ ପଡ଼ୁଥିଲା ବୋଲି ତାଙ୍କ ମା’ ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଥିବା ବେଳେ ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ରଠାରୁ ରିପୋର୍ଟ ତଲବ କରିଛନ୍ତି।
ଅନ୍ୟ ପକ୍ଷରେ ଚେନ୍ନାଇରେ ଆତ୍ମହତ୍ୟା କରିଥିବା ସଫ୍ଟୱେର ଇଞ୍ଜିନିୟର କାର୍ତ୍ତିକେୟନଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ କାମ ଚାପରୁ ସେ ବିଷାଦଗ୍ରସ୍ତ ଥିଲେ। ଆତ୍ମହତ୍ୟା ବେଳେ ସେ ଘରେ ଏକାଥିଲେ। ତାଙ୍କ ପତ୍ନୀ ଓ ପିଲାମାନେ ବାହାରକୁ ଯାଇଥିଲେ। ଘରକୁ ଫେରି ଦେଖିବା ବେଳେ ସେ ଏକ ବିଦ୍ୟୁତ୍ ତାରକୁ ଧରି ଆତ୍ମହତ୍ୟା କରିଥିଲେ। ଏହି ଦୁଇ ଘଟଣା କାର୍ଯ୍ୟକ୍ଷେତ୍ରରେ ବିଷାକ୍ତ କର୍ମ ସଂସ୍କୃତି ଓ କର୍ମଚାରୀଙ୍କ ଉପରେ ପ୍ରବଳ କାମ ଚାପ ଉପରକୁ ପୁଣି ଥରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି।
ଅଫିସ ସମୟ ପରେ କୌଣସି ଉପରିସ୍ଥ ଅଧିକାରୀ କାମ କରିବାକୁ କହିଲେ ତାହାକୁ କର୍ମଚାରୀମାନେ ପ୍ରତ୍ୟାଖ୍ୟାନ କରିବା ଲାଗି ଅଧିକାର ଦେବାକୁ ଦେଶରେ କୌଣସି ଆଇନ ନାହିଁ। ସେଭଳି ଆଇନ ଆଣିବା ଲାଗି ବିଶେଷଜ୍ଞମାନେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଘଟଣାଗୁଡ଼ିକ ଏଭଳି ଏକ ସମୟରେ ଘଟୁଛି ଯେତେବେଳେ ୨୦୪୭ ସୁଦ୍ଧା ଏକ ବିକଶିତ ଦେଶରେ ପରିଣତ ହେବା ଲାଗି ଭାରତ ସ୍ବପ୍ନ ଦେଖୁଛି। ଅର୍ଥନୀତିକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି ଦୀର୍ଘ ସମୟ କାମ କରିବାକୁ କିଛି ଶିଳ୍ପପତି ପରାମର୍ଶ ଦେଉଥିବା ବେଳେ କର୍ମ ଓ ଜୀବନ ମଧ୍ୟରେ ଉଚିତ୍ ସନ୍ତୁଳନ ରକ୍ଷା କରିବା ଉପରେ ଧ୍ୟାନ ଦେବାକୁ ଆଉ ଏକ ବର୍ଗ ଦାବି କରୁଛନ୍ତି।