ଇସ୍ରୋ ସଂସ୍ଥା ବିରୋଧରେ ୯ ବର୍ଷର ଆଇନ ଯୁଦ୍ଧ ଜିତିଲା ‘ଦେବାସ’

ଆମେରିକା କୋର୍ଟରେ ମିଳିଲା ବିଜୟ, ଇସ୍ରୋର ସଂସ୍ଥା ଆଣ୍ଟ୍ରିକ୍ସ ଦେବ କ୍ଷତିପୂରଣ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବାଣିଜ୍ୟିକ ଶାଖା କଂପାନି ଆନ୍ତ୍ରିକ୍ସ କର୍ପୋରେସନ ବିରୋଧରେ ଦୀର୍ଘ ୯ ବର୍ଷ ପର୍ଯ୍ୟନ୍ତ ଆଇନ ଲଢ଼େଇ ଲଢ଼ିବା ପରେ ଷ୍ଟାର୍ଟଅପ୍ ସଂସ୍ଥା ଦେବାସ ମଲ୍ଟିମିଡିଆ ଆମେରିକାର ଏକ କୋର୍ଟରେ ବିଜୟ ହାସଲ କରିଛି। ଦେବାସକୁ ୧୨୦ କୋଟି ଡଲାର କ୍ଷତିପୂରଣ ଦେବାକୁ କୋର୍ଟ ଆଣ୍ଟ୍ରିକ୍ସକୁ ନିର୍ଦେଶ ଦେଇଛନ୍ତି। ଏହି ମାମଲାର ମୂଳରେ ରହିଛି ୨୦୦୫ରେ ହୋଇଥିବା ଏକ ବୁଝାମଣା ଯାହାକୁ ଆଣ୍ଟ୍ରିକ୍ସ ବେଆଇନ ଭାବେ ବାତିଲ କରିଥିଲା ବୋଲି ଦେବାସ ଦାବି କରୁଛି। ମାତ୍ର ଆଣ୍ଟ୍ରିକ୍ସ ପକ୍ଷରୁ କୁହାଯାଇଛି ଯେ କ୍ୟାବିନେଟ୍ କମିଟିର ନିଷ୍ପତ୍ତି ଅନୁସାରେ ବୁଝାମଣା ରଦ୍ଦ କରାଯାଇଥିଲା।

ଘଟଣାଟି ହେଉଛି ଏହିଭଳି। ଦୁଇଟି ସାଟେଲାଇଟ୍‌ ଜିସାଟ୍‌-୬ ଓ ଜିସାଟ୍‌-୬ଏକୁ ଗଠନ, ଉତକ୍ଷେପଣ ଓ ପରିଚାଳନା କରିବା ଲାଗି ୨୦୦୫ ଜାନୁଆରିରେ ଆଣ୍ଟ୍ରିକ୍ସ ସହିତ ଦେବାସ ବୁଝାମଣା ସ୍ବାକ୍ଷର କରିଥିଲା। ବେଙ୍ଗାଲୁରୁର ଷ୍ଟାର୍ଟଅପ୍ ସଂସ୍ଥା ଦେବାସ ଏଥିପାଇଁ ୭୦ ମେଗାହର୍ଚର ଏସ୍‌-ବ୍ୟାଣ୍ଡ୍‌ ସ୍ପେକ୍ଟ୍ରମ୍ ମାଗିଥିଲା। ଏହାକୁ ହାଇବ୍ରିଡ୍ ସାଟେଲାଇଟ୍‌ ଓ ପୃଥିବୀରେ ଯୋଗଯୋଗ ଦେବା ପ୍ରଦାନ କରିବା ଲାଗି ବ୍ୟବହାର କରାଯିବ ବୋଲି ଯୋଜନା ଥିଲା। ଜିସାଟ-୬ଏ ୨୦୧୮ ମାର୍ଚ୍ଚ ୨୯ରେ ଉତ୍‌କ୍ଷେପଣ ହେବାର କିଛି ସମୟ ପରେ ମହାକାଶରେ ହଜିଯାଇଥିଲା। ଦେବାସ ସହ ହୋଇଥିବା ବୁଝାମଣାକୁ ଆଣ୍ଟ୍ରିକ୍ସ ୨୦୧୧ରେ ରଦ୍ଦ କରିଥିଲା। ଏହି ନିଷ୍ପତ୍ତି ବିରୋ‌ଧରେ ଦେବାସ ପକ୍ଷରୁ ସୁପ୍ରିମକୋର୍ଟ ଓ ଅନେକ ଆନ୍ତର୍ଜାତିକ ଅଦାଲତରେ ଆବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର