ନୂଆଦିଲ୍ଲୀ: ନଗଦବିହୀନ କାରବାରରେ ବିପ୍ଳବ ଆଣିଥିବା ଡେବିଟ୍ କାର୍ଡ ଏବେ ଅଲୋଡ଼ା ହେବାରେ ଲାଗିଛି। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)ର ଗ୍ରହଣୀୟତା ବଢ଼ିବା ପରେ ଡେବିଟ୍ କାର୍ଡକୁ ଲୋକମାନେ କ୍ବଚିତ୍ ବ୍ୟବହାର କରୁଛନ୍ତି। ଫୋନ୍ ଜରିଆରେ ପେମେଣ୍ଟ୍ ସମ୍ଭବ ହୋଇଥିବାରୁ ଲୋକମାନେ କାର୍ଡ ଧରି ବୁଲିବାକୁ ଆଉ ଭଲ ପାଉନାହାନ୍ତି। ଏଟିଏମ୍ ତଥା ଡେବିଟ୍ କାର୍ଡ ବ୍ୟବହାର କମ୍ ହେଉଥିବାରୁ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନରେ ପଏଣ୍ଟ ଅଫ୍ ସେଲ୍ (ପିଓଏସ୍) ମେସିନ୍ କମ୍ ହେବାରେ ଲାଗିଛି। ପୂର୍ବରୁ ଏହି ମେସିନ୍ ଜରିଆରେ ନଗଦବିହୀନ କାରବାର ହେଉଥିଲା। ଏବେବି ତାହାର ପ୍ରଚଳନ ରହିଛି। କିନ୍ତୁ କ୍ୟୁଆର୍ କୋଡ୍କୁ ସ୍କାନ୍ କରି ପେମେଣ୍ଟ କରିବାକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ପିଓଏସ୍ ମେସିନ୍ ବ୍ୟବହାର କମିବାରେ ଲାଗିଛି।
୨୦୧୬ରେ ବିମୁଦ୍ରୀକରଣ ଘୋଷଣା ହେବା ପରେ ମଧ୍ୟ ନୂଆ ପିଓଏସ୍ ମେସିନ୍ ସଂଖ୍ୟା ବଢ଼ୁଥିଲା। ମାତ୍ର ୨୦୨୩-୨୪ରେ ବୃଦ୍ଧିର ସେହି ହାର ସବୁଠୁ କମ୍ ହୋଇଛି। ପୂର୍ବ ଦୁଇ ବର୍ଷରେ ପିଓଏସ୍ ମେସିନ୍ ମୂତୟନ ବୃଦ୍ଧି ହାର ୨୮ ପ୍ରତିଶତ ରହିଥିବା ବେଳେ ଗତ ଆର୍ଥିକ ବର୍ଷରେ ତାହା ୧୪ ପ୍ରତିଶତକୁ ଖସିଆସିଛି। ଏହି ସମୟ ଭିତରେ କ୍ୟୁଆର୍ କୋଡ୍ ମୂତୟନ ଦ୍ବିଗୁଣିତ ହୋଇଛି। ଅଟୋରିକ୍ସାଠାରୁ ଆରମ୍ଭ କରି ଗଳିକନ୍ଦିର ଦୋକାନ ପର୍ଯ୍ୟନ୍ତ ଚାରିଆଡ଼େ କ୍ୟୁଆର୍ କୋଡ୍ ଦେଖିବାକୁ ମିଳୁଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୨ ମାର୍ଚ୍ଚ ସୁଦ୍ଧା କ୍ୟୁଆର୍ କୋଡ୍ ସଂଖ୍ୟା ୧୭.୨ କୋଟି ଥିଲା। ୨୦୨୪ ମାର୍ଚ୍ଚରେ ସେହି ସଂଖ୍ୟା ୩୪.୬ କୋଟିକୁ ବୃଦ୍ଧି ପାଇଛି। ଏହି ସମୟ ଭିତରେ ଡେବିଟ୍ କାର୍ଡ କାରବାର ୨୩.୭ କୋଟିରୁ ହ୍ରାସ ପାଇ ୧୬ କୋଟି ହୋଇଛି।
‘ଗ୍ରାଣ୍ଟ ଥରଣ୍ଟନ ଭାରତ’ର ପାର୍ଟନର ରୋହନ ଲଖାୟାର କହିଛନ୍ତି ଯେ ଡେବିଟ୍ କାର୍ଡ ବ୍ୟବହାର କମ୍ ହୋଇଥିବାରୁ ଇଣ୍ଟରଚେଞ୍ଜ ଫି’ ଭାବେ ବ୍ୟାଙ୍କଗୁଡ଼ିକ ଯେଉଁ ଆୟ କରୁଥିଲେ ତାହା ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ପିଓଏସ୍ ମେସିନ୍ ପାଇଁ ମର୍ଚାଣ୍ଟ ଡିସ୍କାଉଣ୍ଟ୍ ରେଟ୍ (ଏମ୍ଡିଆର୍) ଶୁଳ୍କ ଶୂନ କରାଯାଇଛି। ସେଥିରୁ ବି ବ୍ୟାଙ୍କଗୁଡ଼ିକ ଆୟ କରିପାରୁନାହାନ୍ତି। ଯଦି କିଛି ଆୟ ହେବନି ତେବେ ବ୍ୟାଙ୍କ କିଭଳି ଏହି ବ୍ୟବସ୍ଥାର ସୁରକ୍ଷାରେ ନିବେଶ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ୟାଙ୍କ ସପକ୍ଷରେ ଗୋଟିଏ ବିଷୟ କାମ କରୁଛି, ତାହା ହେଉଛି କ୍ରେଡିଟ୍ କାର୍ଡ ବ୍ୟବହାର ବଢ଼ୁଛି। ଦେଶରେ ଏବେ ୧୦ କୋଟିରୁ ଅଧିକ କ୍ରେଡିଟ୍ କାର୍ଡ ରହିଛି। ଗ୍ରାହକମାନେ ସେହି କାର୍ଡକୁ ସ୍ବାଇପ୍ କରୁଥିବାରୁ ପିଓଏସ୍ ମେସିନ୍ର ବ୍ୟବହାର କୌଣସି ମତେ ପ୍ରାସଙ୍ଗିକ ରହିପାରିଛି।