ଡେବିଟ୍ କାର୍ଡ ସଂଖ୍ୟା ୧୦ କୋଟି କମିଗଲା

କ୍ରେଡିଟ୍‌ କାର୍ଡ ସଂଖ୍ୟା ବଢ଼ୁଛି

ଚେନ୍ନାଇ: ଦେଶରେ ଡେବିଟ୍ କାର୍ଡ ସଂଖ୍ୟା ମାର୍ଚ୍ଚରୁ ମେ ମାସ ମଧ୍ୟରେ ପାଖାପାଖି ୧୦ ପ୍ରତିଶତ ବା ୧୦ କୋଟି ହ୍ରାସ ପାଇଛି। ବ୍ୟାଙ୍କ ଗୁଡ଼ିକ ମ୍ୟା‌ଗ୍ନେଟିକ୍ ଷ୍ଟ୍ରାଇପ୍ ଭିତ୍ତିକ କାର୍ଡକୁ ଅଚଳ କରି ଅଧିକ ନିରାପତ୍ତାଯୁକ୍ତ ଚିପ୍ ଭିତ୍ତିକ ଡେବିଟ୍ କାର୍ଡ ପ୍ରଦାନ କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏହି ସମୟ ମ‌ଧ୍ୟରେ ଦେଶରେ ଡେବିଟ୍ କାର୍ଡ ସଂଖ୍ୟା ୯୨.୪ କୋଟିରୁ ୮୨.୪ କୋଟିକୁ କମିଯାଇଛି। କିନ୍ତୁ ଦେଶରେ କ୍ରେଡିଟ୍ କାର୍ଡ ସଂଖ୍ୟା ଏହି ସମୟ ମଧ୍ୟରେ ୧୦ ଲକ୍ଷ ବୃଦ୍ଧି ପାଇ ପାଖାପାଖି ୫ କୋଟିରେ ପହଞ୍ଚିଛି। ଗତବର୍ଷ ମେ ମାସରେ ଦେଶରେ କ୍ରେଡିଟ୍ କାର୍ଡ ସଂଖ୍ୟା ୩ କୋଟି ୮୬ ଲକ୍ଷ ଥିବାବେଳେ ଚଳିତବର୍ଷ ମେ ମାସରେ ଏହା ୪ କୋଟି ୮୯ ଲକ୍ଷରେ ପହଞ୍ଚିଛି।

ଏଚଡିଏଫସି ବ୍ୟାଙ୍କର କ୍ରେଡିଟ କାର୍ଡ ସଂଖ୍ୟା ସର୍ବାଧିକ ୧.୨୬ କୋଟି ବୃଦ୍ଧି ପାଇଥିବାବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୮୭ ଲକ୍ଷ, ଏକ୍ସିସ ବ୍ୟାଙ୍କର ୬୨ ଲକ୍ଷ କ୍ରେଡିଟ କାର୍ଡ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଡେବିଟ୍ କାର୍ଡ ସଂଖ୍ୟା ସର୍ବାଧିକ ୫.୨ କୋଟି ହ୍ରାସ ପାଇଥିବାବେଳେ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨.୨ କୋଟି ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କର ୧.୯ କୋଟି ଡେବିଟ୍ କାର୍ଡ ହ୍ରାସ ଘଟିଛି। ବ୍ୟାଙ୍କ ଗୁଡ଼ିକୁ ଏପ୍ରିଲ ୨୯ ପୂର୍ବରୁ ମ୍ୟାଗ୍ନେଟିକ୍ ଷ୍ଟ୍ରାଇପଯୁକ୍ତ ଡେବିଟ୍ କାର୍ଡ ବଦଳରେ ଇଏମଭି ଚିପ୍ ଲାଗିଥିବା ଡେବିଟ୍ କାର୍ଡ ପ୍ରଚଳନ ପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଥିଲା। ତେଣୁ ବ୍ୟାଙ୍କ ଅଧିକାରୀମାନଙ୍କ କହିବାନୁଯାୟୀ, ରିଜର୍ଭ ବ୍ୟାଙ୍କ ପକ୍ଷରୁ କେବଳ ସକ୍ରିୟ ଥିବା ଡେବିଟ୍ କାର୍ଡକୁ ହିସାବକୁ ନିଆଯାଇଛି। ଅନେକ କାର୍ଡ ଏପର୍ଯ୍ୟନ୍ତ ଗ୍ରାହକଙ୍କ ନିକଟରେ ପହଞ୍ଚିନାହିଁ କିମ୍ବା ପହଞ୍ଚିଥିଲେ ବି ବ୍ୟବହାର ହୋଇନାହିଁ। ତେଣୁ ଆଗାମୀ ଦିନରେ ଏହି ସଂଖ୍ୟାରେ ଉନ୍ନତି ଆସିବ ବୋଲି ବ୍ୟାଙ୍କ ଅଧିକାରୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର