ହେଲୋ ପତ୍ରିକା ପ୍ରଚ୍ଛଦରେ ମହିଳା ଉଦ୍ୟୋଗୀ ଦେବିତା

ନୂଆଦିଲ୍ଲୀ: ଖ୍ୟାତି ସମ୍ପନ୍ନ ପତ୍ରିକା ହେଲୋର ଜୁନ୍ ମାସ ସଂସ୍କରଣ ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନ ପାଇଛନ୍ତି ମହିଳା ଉଦ୍ୟୋଗୀ ଦେବିତା ସରାଫ୍। ତାଙ୍କ ବୟସ ୪୦ ବର୍ଷରୁ କମ୍। କିନ୍ତୁ ଉଦ୍ୟୋଗ ଜଗତରେ ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତାହା ତାଙ୍କ ବୟସର ଅନେକ ମହିଳାଙ୍କ ପାଇଁ ଏବେବି ଏକ ସ୍ବପ୍ନ। ହାଭାର୍ଡ ବିଶ୍ବବିଦ୍ୟାଳୟରେ ପାଠପଢ଼ିଥିବା ସରାଫ୍ ହେଉଛନ୍ତି ୪୦ ବର୍ଷରୁ କମ୍ ବୟସର ଭାରତର ସବୁଠୁ ଧନୀ ମହିଳା ଉଦ୍ୟୋଗୀ। ସେ ହେଉଛନ୍ତି ‘ଭୁ ଟେଲିଭିଜନ’ର ମାଲିକାଣୀ। ୨୦୦୬ରେ ଏହି କଂପାନିକୁ ସେ ସ୍ଥାପନ କରିଥିଲେ। ବର୍ତ୍ତମାନ ତାହା ୧୦୦୦ କୋଟି ଟଙ୍କାର ଏକ ସଂସ୍ଥାରେ ପରିଣତ ହୋଇଛି।

ସଦର୍ଣ୍ଣ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରୁ ବିଜନେସ୍‌ ଆଡ୍‌ମିନିଷ୍ଟ୍ରେସନରେ ବାଚେଲର୍‌ ଡିଗ୍ରି ହାସଲ କରିବା ପରେ ଦେବିତା ୧୯୯୭ରେ ନିଜ ବାପା ରାଜକୁମାର ସରାଫ୍‌ଙ୍କ କମ୍ପ୍ୟୁଟର କଂପାନି ଜେନିଥ୍‌ କମ୍ପ୍ୟୁଟର ପାଇଁ କାର୍ଯ୍ୟ କରିଥି‌ଲେ। ନବେ ଦଶକରେ ସେହି ସଂସ୍ଥା କମ୍ପ୍ୟୁଟର ବିକ୍ରି କରୁଥିଲା। ପ୍ରାୟ ଏକ ଦଶନ୍ଧୀ ପର୍ଯ୍ୟନ୍ତ କାର୍ଯ୍ୟ କରିବା ବେଳେ ସେ ବଜାରକୁ ବହୁତ ଭଲ ଭାବେ ବୁଝିପାରିଥିଲେ। ସେ ଯେଉଁ ଜ୍ଞାନ ଆହରଣ କରିଥିଲେ ତାହାକୁ ବ୍ୟବହାର କରି ଭୁ ଟେଲିଭିଜନ୍‌କୁ ସ୍ଥାପନ କରିଥିଲେ। ୨୦୧୬ରେ ତାଙ୍କୁ ଫର୍ଚୁନ ତରଫରୁ ପ୍ରସ୍ତୁତ ଭାରତର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସ୍ଥାନ ମିଳିଥିଲା।

ସମ୍ବନ୍ଧିତ ଖବର