ଋଣ ମୋରାଟୋରିୟମ ମାମଲା: ରିଜର୍ଭ ବ୍ୟାଙ୍କ ପଛରେ ସରକାର ଲୁଚି ପାରିବେନି

ଅର୍ଥନୀତିକୁ ବିଗାଡ଼ିଛନ୍ତି ସରକାର, ସରକାର ନିଜ ମତ ସ୍ପଷ୍ଟ କରନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଆଜି ଯେଉଁ ସମସ୍ୟା ଦେଖାଦେଇଛି ସେଥିପାଇଁ ସରକାର ଜାରି କରିଥିବା କଡ଼ା ଲକ୍‌ଡାଉନ୍‌ ଦାୟୀ। ଲକଡାଉନ କରି ଅର୍ଥନୀତିକୁ ପୂର୍ବରୁ ବିଗାଡ଼ିଥିବାରୁ ଏବେ ରିହାତି ଦିଅ। ଆଜି ଏଭଳି କଥା କହିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ଋଣ ମୋରାଟୋରିୟମ ମାମଲାର ଶୁଣାଣି କରିବା ସମୟରେ ‌ସୁପ୍ରମ କୋର୍ଟ କେନ୍ଦ୍ର ସରକାରଙ୍କ ବିରୋଧରେ ଏଭଳି କଟୂ ଟିପ୍ପଣୀ ଦେଇଛନ୍ତି।

ଋଣ ମୋରାଟୋରିୟମ ଉପରେ ବ୍ୟାଙ୍କ ଗୁଡ଼ିକ ଆଦାୟ କରୁଥିବା ଅତିରିକ୍ତ ସୁଧ ଉପରେ ମଧ୍ୟ ସରକାର ତାଙ୍କ ମତ ସ୍ପଷ୍ଟ କରନ୍ତୁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଏଥିସହିତ ଉକ୍ତ ପ୍ରସଙ୍ଗ ଉପରେ ସରକାର କାହିଁକି ଏପର୍ଯ୍ୟନ୍ତ ସତ୍ୟପାଠ ଦାଖଲ କରିନାହାନ୍ତି ତାହାକୁ ନେଇ ସର୍ବୋଚ୍ଚ ଅଦାଲତ ବିରକ୍ତି ପ୍ରକାଶ କରିଛନ୍ତି। ଋଣ ମୋରାଟୋରିୟମ ଉପରେ ଅତିରିକ୍ତ ସୁଧ ଆଦାୟ ଉପରେ ତୁମର ମତ କ’ଣ ତାହା ସ୍ପଷ୍ଟ କର। ତୁମେ କହୁଛ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛନ୍ତି। ଆମେ ରିଜର୍ଭ ବ୍ୟାଙ୍କର ଉତ୍ତର ପାଇବା ସହିତ ଅନୁଧ୍ୟାନ କରିସାରିଛୁ। କିନ୍ତୁ ରିଜର୍ଭ ବ୍ୟାଙ୍କ ପଛରେ କେନ୍ଦ୍ର ସରକାର ଲୁଚିପାରିବେ ନାହିଁ। ନିଜସ୍ବ ମତ ରଖିବାକୁ ହେବ ବୋଲି ଅଦାଲତ କହିଛନ୍ତି।

ବିଚାରପତି ଅଶୋକ ଭୂଷଣ, ବିଚାରପତି ଏମ୍‌ ଆର୍‌ ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ ପଚାରିଥିଲେ ଋଣ ମୋରୋଟୋରିୟମ ମାମଲାରେ କେନ୍ଦ୍ର ସରକାର କେବେ ସୁଦ୍ଧା ସତ୍ୟପାଠ ଦାଖଲ କରିବେ? ଏ ନେଇ ଆମକୁ ସମୟସୀମା ଦିଅ। ଏହାପରେ ସଲିସିଟର ଜେନେରାଲ ସତ୍ୟପାଠ ଦାଖଲ ପାଇଁ ଏକ ସପ୍ତାହ ସମୟ ଦିଆଯାଉ ବୋଲି କହିଥିଲେ। ଦେଶର ସାମ୍ପ୍ରତିକ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ମଧ୍ୟ ଖଣ୍ଡପୀଠ ଉଦବେଗ ପ୍ରକାଶ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ ସମସ୍ୟା ସମାଧାନ ହେବା ପର୍ଯ୍ୟନ୍ତ ଋଣ ମୋରାଟୋରିୟମ ଅବଧିକୁ ବଢ଼ାଇବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ଶିବଲଙ୍କ ଯୁକ୍ତିକୁ ସଲିସିଟର ଜେନେରାଲ ବିରୋଧ କରିଥିଲେ। ମୋରାଟୋରିୟମ ସ୍କିମ୍ ସମ୍ପର୍କରେ ନିଷ୍ପତ୍ତି ନେବାର ପର୍ଯ୍ୟାପ୍ତ କ୍ଷମତା ସରକାରଙ୍କ ପାଖରେ ରହିଛି। ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ ପଦକ୍ଷେପ ନେବା ମଧ୍ୟ ସରକାରଙ୍କ ଦାୟିତ୍ବ। ସରକାର କେବଳ ରିଜର୍ଭ ବ୍ୟାଙ୍କ ଉପରେ ନିର୍ଭର କରିପାରିବେ ନାହିଁ ବୋଲି ବିଚାରପତି ଅଶୋକ ଭୂଷଣ କହିଛନ୍ତି। ସଲିସିଟର ଜେନେରାଲ ମୋରାଟୋରିୟମ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କର ଶପଥ ପାଠ ଦାଖଲ ବିଷୟ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର