ବିତ୍ତୀୟ ନୀତିରେ ଅଦାଲତଙ୍କ ହସ୍ତକ୍ଷେପ ନ ରହୁ, ଆଉ ବଢ଼ାଇ ହେବନି ଋଣ ପରିଶୋଧ ମହଲତ

ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କର ସତ୍ୟପାଠ

ନୂଆଦିଲ୍ଲୀ: କରୋନା ମହାମାରୀ ଦ୍ବାରା ପ୍ରଭାବିତ ହୋଇଥିବା କ୍ଷେତ୍ରଗୁଡ଼ିକୁ ଅଧିକ ରିହାତି ଦେବା ସମ୍ଭବ ନୁହେଁ। ସୁପ୍ରିମ କୋର୍ଟରେ ଏହା କହିଛନ୍ତି କେନ୍ଦ୍ର ସରକାର। ଏଥିସହିତ ବିତ୍ତୀୟ ନୀତିରେ ଅଦାଲତ ହସ୍ତକ୍ଷେପ ନକରନ୍ତୁ ବୋଲି କହିଛନ୍ତି। ଗତ ସପ୍ତାହରେ ସରକାର ସୁପ୍ରିମ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଏଥିରେ କହିଥିଲେ ଯେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଉପରେ ସୁଧ ବା ଚକ୍ରବୃଦ୍ଧି ସୁଧକୁ ଛାଡ଼ କରାଯାଇଛି। ତେବେ ସରକାରଙ୍କ ଏହି ସତ୍ୟପାଠକୁ ଅଦାଲତ ସନ୍ତୋଷଜନକ ନୁହେଁ ବୋଲି କହିଥିଲେ। ଏଥିସହିତ ଏହା ଉପରେ ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଗତ ଶୁକ୍ରବାର ସରକାର ଅତିରିକ୍ତ ସତ୍ୟପାଠ ଦାଖଲ କରି ଉପରୋକ୍ତ ମତ ରଖିଛନ୍ତି। ସଦ୍ୟ ସତ୍ୟପାଠରେ ସରକାର କହିଛନ୍ତି, ନୀତି ପ୍ରସ୍ତୁତ କରିବା ଅଧିକାର ସରକାରଙ୍କର। ଏଥିସହିତ କେଉଁ କ୍ଷେତ୍ରକୁ କେତେ ଆର୍ଥିକ ସହାୟତା ଦିଆଯିବା ଆବଶ୍ୟକ ସେଥିରେ ‌ଅଦାଲତ ହସ୍ତକ୍ଷେପ କରିବା ଉଚିତ ନୁହେଁ। ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଚକ୍ରବୃଦ୍ଧି ସୁଧକୁ ଛାଡ଼ କରିବା ଛଡ଼ା ଅଧିକ କୌଣସି ପଦକ୍ଷେପ ନିଆଗଲେ ତାହା ଦେଶର ଅର୍ଥନୀତି ଓ ବ୍ୟାଙ୍କିଂ କ୍ଷେତ୍ର ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ସରକାର କହିଛନ୍ତି। ତେବେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ରିଜର୍ଭ ବ୍ୟାଙ୍କ ଯେଉଁ ୬ ମାସର ପରିଶୋଧ ମହଲତ ଦେଇଛନ୍ତି ସେ କ୍ଷେତ୍ରରେ ସୁଧ ଉପରେ ସୁଧ ଆଦାୟକୁ ଛାଡ଼ କରିବା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ), ଶିକ୍ଷା, ଗୃହ ନିର୍ମାଣ ଋଣ ଏବଂ କ୍ରେଡିଟ୍ କାର୍ଡ ଦେୟ ବାବଦରେ ଏହି ସୁଧ ଛାଡ଼ ପ୍ରଯୁଜ୍ୟ ହେବ। କିନ୍ତୁ ଏହି ସତ୍ୟପାଠରେ ସୁପ୍ରିମ କୋର୍ଟ ଅସନ୍ତୋ‌ଷ ବ୍ୟକ୍ତ କରିଥିଲେ। ସପ୍ତାହକ ମଧ୍ୟରେ ଏଥିରେ ଉନ୍ନତି ଆଣିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଆବେଦନକାରୀ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ତାହାକୁ କେନ୍ଦ୍ର ସରକାରଙ୍କ ସତ୍ୟପାଠ ସମାଧାନ କରୁନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ଏଥିସହିତ ରିଅଲ ଇଷ୍ଟେଟ ଓ ବିଦ୍ୟୁତ ଉତ୍ପାଦନକାରୀଙ୍କ ସମସ୍ୟାକୁ ମଧ୍ୟ ବିଚାରକୁ ନେବା ପାଇଁ ଅଦାଲତ କହିଥିଲେ। ତେବେ ନିର୍ଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକ ପାଇଁ ରିହାତି ପିଟିସନ ମାଧ୍ୟମରେ ଦାବି କରାଯାଇ ପାରିବ ନାହିଁ। ଏହାର ଏକମାତ୍ର ସମାଧାନ ହେଲା ଋଣ ଦେଇଥିବା ସଂସ୍ଥା ଓ ଋଣ ନେଇଥିବା ସଂସ୍ଥା‌ ମଧ୍ୟରେ ପୁନର୍ଗଠନ ଯୋଜନାକୁ ଚୂଡ଼ାନ୍ତ କରିବା। ଏଥିରେ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଏଥିସହିତ କାମାଥ କମିଟି ରିପୋର୍ଟ ଅନୁଯାୟୀ କୌଣସି ନିର୍ଦ୍ଦି‌ଷ୍ଟ କ୍ଷେତ୍ର ପାଇଁ ନିର୍ଦ୍ଦି‌ଷ୍ଟ ଫର୍ମୁଲାର ନିଷ୍କର୍ଷରେ ପହଞ୍ଚି ହେବନାହିଁ। ତେବେ ଚକ୍ରବୃଦ୍ଧି ସୁଧ ଛାଡ଼କୁ ବ୍ୟାଙ୍କଗୁଡ଼ିକ ବିଜ୍ଞପ୍ତି ଜାରି ହେବାର ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରିବେ ବୋଲି ସରକାର କହିଛନ୍ତି। ସେହିଭଳି ଋଣ ପରିଶୋଧ ଛାଡ଼ ଅବଧି ବୃଦ୍ଧି ସଂକ୍ରାନ୍ତ ନିଷ୍ପତ୍ତି ବ୍ୟାଙ୍କ ଗୁଡ଼ିକ ଉପରେ ଛାଡ଼ି ଦିଆଯିବା ଉଚିତ। ଦୀର୍ଘଦିନ ଧରି ଋଣ ପରି‌ଶୋଧ ଅବଧି ବୃଦ୍ଧି କରାଗଲେ ପରବର୍ତ୍ତୀ ପର୍ଯ୍ୟାୟରେ ଅସୁବିଧା ଦେଖାଦେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଅନ୍ୟ ଏକ ଶପଥପାଠରେ କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମଙ୍ଗଳବାର (ଅକ୍ଟୋବର ୧୩) ହେବ।

ନୂଆଦିଲ୍ଲୀ: ଋଣ ଖାତାଗୁଡ଼ିକୁ ଏନ୍‌ପିଏ ଘୋଷଣା ନକରିବା ପାଇଁ ସୁପ୍ରିମ କୋର୍ଟ ଦେଇଥିବା ଆଦେଶ ଉପରେ ରିଜର୍ଭ ବ୍ୟାଙ୍କ ଆପତ୍ତି ଉଠାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ କୌଣସି ଖାତାକୁ ଏନପିଏ ଘୋଷଣା ନ କରିବା ପାଇଁ ସୁପ୍ରିମ କୋର୍ଟ ପୂର୍ବରୁ ଆଦେଶ ଦେଇଛନ୍ତି। ତେବେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତକାଲି ଏକ ସତ୍ୟପାଠ ଦାଖଲ କରାଯାଇଛି। ଏହି ସତ୍ୟପାଠରେ କୁହାଯାଇଛି, ଯଦି ସୁପ୍ରିମ୍‌ କୋର୍ଟ ଉକ୍ତ ଆଦେଶକୁ ତୁରନ୍ତ ପ୍ରତ୍ୟାହାର ନକରନ୍ତି ବ୍ୟାଙ୍କିଂ ଶିଳ୍ପ ଉପରେ ଏହାର ବଡ଼ ଧରଣର ପ୍ରଭାବ ପଡ଼ିବ। ଏଥିସହିତ ରିଜର୍ଭ ବ୍ୟାଙ୍କର ନିୟାମକ କ୍ଷମତା ମଧ୍ୟ ସଙ୍କୁଚିତ ହେବ। କରୋନା ମହାମାରୀ ଦ୍ବାରା ପ୍ରଭାବିତ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ପାଇଁ ଋଣ ପରିଶୋଧ ମହଲତ ସମୟ ଆଉ ବଢ଼ାଯାଇ ପାରିବ ନାହିଁ। ଏହା କରିବା ସମ୍ଭବ ନୁହେଁ। ଏହା କରିଲେ ଦେଶରେ ‌ଋଣ ସୃଷ୍ଟିରେ ଅସୁବିଧା ଦେଖାଦେବ ବୋଲି ରିଜର୍ଭ ବ୍ୟାଙ୍କ ଏହାର ସତ୍ୟପାଠରେ କହିଛି। କରୋନା ମହାମାରୀଜନିତ ଅସୁବିଧାକୁ ଦୂର କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିଜଆଡ଼ୁ ଅନେକ ପଦକ୍ଷେପ ନିଆଯାଇଛି। ଜିଡିପିର ୫.୫ ପ୍ରତିଶତ ବା ୧୧.୧ ଲକ୍ଷ କୋଟି ଟଙ୍କାର ନଗଦ ଅର୍ଥ ଅର୍ଥନୀତିରେ ଉପଲବ୍ଧ କରାଯାଇଛି। ଋଣହାରକୁ କମ୍ ସ୍ତରରେ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିଯୋଗୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ବର୍ଷରେ ୩.୨ ଲକ୍ଷ କୋଟି ଟଙ୍କାର କର୍ପୋରେଟ୍ ବଣ୍ଡ୍‌ ଜାରି କରାଯାଇ ପାରିଛି। ଆବେଦନକାରୀ ଅଧିକ ରିହାତି ପାଇଁ କରିଥିବା ଆବେଦନ ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ କହିଛି, ଜମାକାରୀ, ଋଣଗ୍ରହୀତା, ରିଅଲ ଇଷ୍ଟେଟ ଶିଳ୍ପ ଓ ବ୍ୟାଙ୍କର ସ୍ବାର୍ଥକୁ ମିଳିତଭାବେ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି। ଏଥିସହିତ ଦେଶର ଆର୍ଥିକ ସ୍ଥିରତା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ମଧ୍ୟ ଧ୍ୟାନରେ ରଖାଯାଇଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି। ‌କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁଧ ଛାଡ଼ ନେଇ ଯେଉଁ ସତ୍ୟପାଠ ଦାଖଲ କରାଯାଇଛି ତାହାଦ୍ବାରା ଆବେଦନକାରୀଙ୍କ ମୌଳିକ ସ୍ବାର୍ଥ ପୂରଣ ହୋଇଛି ବୋଲି ରିଜର୍ଭ ବ୍ୟାଙ୍କ କହିଛି। ରିଅଲ ଇଷ୍ଟେଟ ଶିଳ୍ପରେ ଢାଞ୍ଚାଗତ ପରିବର୍ତ୍ତନ ଦେଖାଦେଇଛି। ଏଥିପାଇଁ ଚାହିଦା ନଥିବାରୁ ଅନେକ ସଂଖ୍ୟାରେ ଗୃହ ବିକ୍ରି ‌ନହୋଇ ପଡ଼ିରହିଛି। ଏହି ସମସ୍ୟାର ସମାଧାନ ରିଜର୍ଭ ବ୍ୟାଙ୍କ ଦ୍ବାରା ସମ୍ଭବ ନୁହେଁ ବୋଲି ସତ୍ୟପାଠରେ କୁହାଯାଇଛି।

ସମ୍ବନ୍ଧିତ ଖବର