ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟତାରେ ଅନୁଷ୍ଠିତ କ୍ୟାବିନେଟ୍‌ କମିଟି ବୈଠକରେ ଦେଶରେ ପାଞ୍ଚଟି ଜାତୀୟ ଦକ୍ଷତା ଉତ୍କର୍ଷ କେନ୍ଦ୍ର ସ୍ଥାପନ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ସେଥିରୁ ଗୋଟିଏ ଓଡ଼ିଶାର ଭୁବନେଶ୍ବରରେ ଖୋଲିବ। କେନ୍ଦ୍ର ପ୍ରାୟୋଜିତ ଯୋଜନା ଅଧୀନରେ ଏହି କେନ୍ଦ୍ରଗୁଡ଼ିକ ଖୋଲିବ। ଏଥି ସହିତ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ଉନ୍ନତୀକରଣ ଜାତୀୟ ଯୋଜନାକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି। ଯୋଜନା ଅନୁସାରେ ଭୁବନେଶ୍ବର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଓ ଲୁଧିଆନାରେ ଥିବା ପାଞ୍ଚଟି ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (ଏନ୍‌ଏସ୍‌ଟିଆଇ)ରେ ଟ୍ରେନିଂ ଅଫ୍‌ ଟ୍ରେନର୍ସ (ଟିଓଟି) ବ୍ୟବସ୍ଥାରେ ଉନ୍ନତି ଅଣାଯିବ। 

Advertisment

ଏହି ଯୋଜନା ବିଷୟରେ ୨୦୨୪-୨୫ ଓ ୨୦୨୫-୨୬ ବଜେଟ୍‌ରେ ଘୋଷଣା କରାଯାଇଥିଲା। ସେଥିପାଇଁ ୬୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେଥିରୁ କେନ୍ଦ୍ର ଭାରତ ୩୦ ହଜାର କୋଟି ଟଙ୍କା, ରାଜ୍ୟର ୨୦ ହଜାର କୋଟି ଟଙ୍କା ଓ ଶିଳ୍ପର ଭାଗ ୧୦ ହଜାର କୋଟି ଟଙ୍କା ରହିଛି। କେନ୍ଦ୍ରୀୟ ଭାଗର ୫୦ ପ୍ରତିଶତ ରାଶିକୁ ଏସିଆନ୍ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି) ଓ ବିଶ୍ବବ୍ୟାଙ୍କ ମିଳିତ ଭାବେ ପ୍ରଦାନ କରିବେ। ଏହି ଯୋଜନାରେ ୧୦୦୦ ଆଇଟିଆଇର ଉନ୍ନତୀକରଣ କରାଯିବ। ରାଜ୍ୟ ସରକାର ଓ ଶିଳ୍ପ ପ୍ରତିଷ୍ଠାନ ସହଯୋଗରେ ଆଇଟିଆଇଗୁଡ଼ିକୁ ସରକାରଙ୍କ ମାଲିକାନା ଓ ଶିଳ୍ପ ଦ୍ବାରା ପରିଚାଳିତ ଦକ୍ଷତା ପ୍ରତିଷ୍ଠାନରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପାଞ୍ଚ ବର୍ଷରେ ୨୦ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। 

କ୍ୟାବିନେଟ୍ କମିଟି ବୈଠକରେ ଆନ୍ଧ୍ରପ୍ରଦେଶର ତୀରୁପତି, ଛତିଶଗଡ଼ର ଭିଲାଇ, ଜମ୍ମୁ ଓ କାଶ୍ମୀରର ଜମ୍ମୁ, କର୍ଣ୍ଣାଟକର ଧରୱାଡ଼ ଓ କେରଳର ପାଲକକଡ଼ରେ ସ୍ଥାପନ କରାଯାଇଥିବା‌ ଆଇଆଇଟିର ସମ୍ପ୍ରସାରଣକୁ ମଞ୍ଜୁର କରାଯାଇଛି। ଚାରି ବର୍ଷରେ ଏହି କାର୍ଯ୍ୟ ପାଇଁ ୧୧,୮୨୮.୭୯ କୋଟି ଟଙ୍କା ବ୍ୟୟ କରାଯିବ। ଶିଳ୍ପ ଓ ଶିକ୍ଷାନୁଷ୍ଠାନ ସମ୍ପର୍କକୁ ଆହୁରି ମଜଭୁତ କରିବା ଲାଗି ପାଞ୍ଚଟି ଅତ୍ୟାଧୁନିକ ଗବେଷଣା ପାର୍କ ସ୍ଥାପନ କରାଯିବ। ଅନ୍ୟପକ୍ଷରେ, ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ବିଦ୍ୟୁତ୍‌ କ୍ଷେତ୍ର ପାଇଁ କୋଇଲା ଆବଣ୍ଟନ ସମ୍ପର୍କିତ ସଂଶୋଧିତ ଶକ୍ତି ଯୋଜନାକୁ ମଞ୍ଜୁର କରାଯାଇଛି। ଏହା ଦ୍ବାରା ପାୱାର ପ୍ଲାଣ୍ଟ, ରେଳବାଇ, କୋଲ୍‌ ଇଣ୍ଡିଆ, ସିଙ୍ଗାରେନି କଲିୟରି, ଚୂଡ଼ାନ୍ତ ଗ୍ରାହକ ଓ ରାଜ୍ୟ ସରକାରମାନେ ଉପକୃତ ହେବେ।