ମନମୋହନଙ୍କ ଅମଳରେ ନିଷ୍ପତ୍ତି ବିଳମ୍ବ ହେଉଥିଲା: ନାରାୟଣମୂର୍ତ୍ତି

ନୂଆଦିଲ୍ଲୀ : ଉପା ସରକାରଙ୍କ ଅମଳରେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ମନମୋହନ ସିଂହଙ୍କୁ ‌ଜଣେ ଅସାଧାରଣ ବ୍ୟକ୍ତି ଭାବେ ବର୍ଣ୍ଣନା କରିଛନ୍ତି ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ୍‌ ଆର୍‌ ନାରାୟଣମୂର୍ତ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ସେ କହିଛନ୍ତି ଯେ ମନମୋହନ ଜଣେ ଅସାଧାରଣ ବ୍ୟକ୍ତି ଥିଲେ। ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। କିନ୍ତୁ ଉପା ସରକାରଙ୍କ ଅମଳରେ ସବୁ କିଛି ବିଳମ୍ବ ହେଉଥିଲା। ଠିକ୍‌ ସମୟରେ ନିଷ୍ପତ୍ତି ନିଆଯାଉନଥିଲା। ସେ କହିଲେ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ମୁଁ ଲଣ୍ଡନରେ ଏଚ୍‌ଏସ୍‌ବିସି ବୋର୍ଡର ସଦସ୍ୟ ଥିଲି। ବୈଠକଗୁଡ଼ିକରେ ଚୀନ୍‌ର ନାମ ଏକାଧିକ ବାର ଶୁଣିବାକୁ ମିଳୁଥିଲା। କିନ୍ତୁ ଭାରତ ନାମ କେହି କହୁନଥିଲେ। ୨୦୧୨ରେ ଏଚ୍ଏସ୍‌ବିସି ଛାଡ଼ିବା ବେଳେକୁ ଚୀନ୍‌ର ନାମ ୩୦ ଥର ନିଆଯାଇଥିଲା। କିନ୍ତୁ ଭାରତ ନାମ ଶୁଣିବାକୁ ହିଁ ମିଳୁନଥିଲା ବୋଲି ‌ସେ କହିଛନ୍ତି। ବିଶ୍ବ ମଞ୍ଚରେ ଭାରତ ନାମ ଯେଭଳି ଶୁଣିବାକୁ ମିଳିବ ସେଥିପାଇଁ କାମ କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ବାନ ଦେଇଛନ୍ତି। ବିଶେଷ କରି ଯେଉଁଠାରେ ଚୀନ୍ ନାମ ଆସୁଛି,‌ ସେଠାରେ ଭାରତ ନାମ ପ୍ରକାଶ ପାଇବା ଦରକାର ବୋଲି ସେ କହିଛନ୍ତି।

ନାରାୟଣମୂର୍ତ୍ତି କହିଛନ୍ତି ଯେ ପୂର୍ବରୁ ପାଶ୍ଚାତ୍ୟ ଦେଶର ଲୋକମାନେ ଭାରତକୁ ନୀଚ ଦୃଷ୍ଟିରେ ଦେଖୁଥିଲେ। ଏବେ କିନ୍ତୁ ସେମାନେ କିଛିଟା ସମ୍ମାନ ଜଣାଉଛନ୍ତି। ୧୯୯୧ରେ ଅର୍ଥମନ୍ତ୍ରୀ ଭାବେ ମନମୋହନ ସିଂହ ଯେଉଁ ସଂସ୍କାର ଆରମ୍ଭ କରିଥିଲେ ଏବଂ ବର୍ତମାନର ନରେନ୍ଦ୍ର ମୋଦୀ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଓ ଷ୍ଟାର୍ଟଅପ୍ ଇଣ୍ଡିଆ ସ୍କିମ୍ ପାଇଁ ଭାରତର ଗୁରୁତ୍ବ ବଢ଼ିଛି। ସେ କହିଛନ୍ତି ଯେ ଚୀନ୍ ହେଉଛି ଅବିଶ୍ବସନୀୟ। ୧୯୭୮ରୁ ୨୦୨୨ ପର୍ଯ୍ୟନ୍ତ ୪୪ ବର୍ଷ ଭିତରେ ଚୀନ୍ ଭାରତଠାରୁ ଛଅ ଗୁଣା ବଡ଼ ‌ହୋଇପାରିଛି। ଯଦି ଯୁବପିଢ଼ି ଉଦ୍ୟମ ଜାରି ରଖିବେ ତେବେ ବର୍ତ୍ତମାନ ଚୀନ୍‌କୁ ଯେଉଁ ସମ୍ମାନ ମିଳୁଛି ତାହା ଭାରତକୁ ମିଳିପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର