ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ତାରିଖ ଭାରତୀୟ ଅର୍ଥନୀତି ପାଇଁ ଥିଲା ଏକ ସ୍ମରଣୀୟ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ସେହିଦିନ ରାତି ୮ଟାରେ ଦେଶବାସୀଙ୍କୁ ଏକ ଟେଲିଭିଜନ ବାର୍ତ୍ତା ଦେଇଥିଲେ। ସେଥିରେ ସେତେବେଳେ ଅର୍ଥନୀତିରେ ପ୍ରଚଳନ ହେଉଥିବା ୧୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଦେଇଥିଲେ। ଦେଶରୁ କଳାଟଙ୍କା ହଟାଇବା, ଆତଙ୍କବାଦୀମାନଙ୍କ ପାଣ୍ଠି ଯୋଗାଣକୁ ରୋକିବା ଏବଂ ଜାଲ୍ ନୋଟ୍‌କୁ ହଟାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମୋଦୀ ଦେଶବାସୀଙ୍କୁ କହିଥିଲେ। କିନ୍ତୁ ପରେ ଏହାର ଅନ୍ୟତମ ପ୍ରମୁଖ ଉଦ୍ଦେଶ୍ୟ ଦେଶରେ ନଗଦ ଅର୍ଥ କାରବାରକୁ ହ୍ରାସ କରି ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ବୋଲି କୁହାଗଲା। କିନ୍ତୁ ବର୍ଷ ବର୍ଷ ଧରି ନଗଦ ଟଙ୍କାରେ କିଣାବିକା ସହ ବେଶ୍‌ ଅଭ୍ୟସ୍ତ ଥିବା ଭାରତୀୟମାନେ ଡିଜିଟାଲ କାରବାର ପ୍ରତି ସେତେଟା ଆଗ୍ରହ ପ୍ରକାଶ କରି ନଥିଲେ। କିନ୍ତୁ କରୋନା ମହାମାରୀ ସରକାରଙ୍କ ସେହି ଉଦ୍ଦେଶ୍ୟକୁ ଏବେ ସଫଳ କରିଦେଇଛି। ଲୋକମାନେ କରୋନା ଭୂତାଣୁରେ ସଂକ୍ରମିତ ହେବା ଭୟରେ ଟଙ୍କା ପଇସାକୁ ଛୁଇଁବାକୁ ଡରୁଛନ୍ତି। ସାମଗ୍ରୀ କିଣିବା ସମୟରେ ସେମାନେ ନଗଦ ଟଙ୍କା ଦେବା ପରିବର୍ତ୍ତେ ଡିଜିଟାଲ କାରବାର କରିବାକୁ ପସନ୍ଦ କରୁଛନ୍ତି। ତେଣୁ ବିମୁଦ୍ରୀକରଣ ଯାହା କରି ପାରି ନଥିଲା କରୋନା ଭୁତାଣୁ ତାହା କରିଦେଖାଇଲା ବୋଲି ଏବେ ଚର୍ଚ୍ଚା ହେଉଛି।

Advertisment

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବା ଠାରୁ ଆରମ୍ଭ କରି ବିଜୁଳି ବିଲ୍‌, ଟେଲିଫୋନ୍ ରିଚାର୍ଜ ଏବଂ କ୍ୟାବ ଭଡ଼ା ଆଦି ଦେବା କାମ ଲୋକମାନେ ଡିଜିଟାଲ ମାଧ୍ୟମରେ କରୁଛନ୍ତି। ଦେଶରେ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ (ୟୁପିଆଇ)ରେ କାରବାର ଗତମାସରେ ରେକର୍ଡ ସ୍ତରରେ ପହଞ୍ଚିଛି। ଏଥିସହିତ ଲକଡାଉନ୍ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ହୋଇଯିବା କାରଣରୁ ଦେଶରେ ଗତ ଏପ୍ରିଲ ମାସରେ ବ୍ୟାଙ୍କ ଗୁଡ଼ିକ ମାଧ୍ୟମରେ ହେଉଥିବା ଇଲେକଟ୍ରୋନିକ ଫଣ୍ଡ ଟ୍ରାନ୍ସଫର ତଳକୁ ଖସି ଆସିଥିଲେ ମଧ୍ୟ ଅର୍ଥନୀତି ଖୋଲିବା ପରେ ଏବେ ତାହା ପୁଣି ବଢ଼ିବାରେ ଲାଗିଛି। ଗତବର୍ଷ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ୨୦୨୧ ମସିହା ସୁଦ୍ଧା ଦେଶରେ ଡିଜିଟାଲ କାରବାରକୁ ଜିଡିପିର ୧୫ ପ୍ରତିଶତରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହି ସମୟରେ ଡିଜିଟାଲ କାରବାର ଜିଡିପିର ୧୦ ପ୍ରତିଶତ ରହିଥିଲା। ଭାରତରେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଉଥିବାରୁ ଦେଶରେ ଦିନକୁ ୧ ବିଲିଅନ ସଂଖ୍ୟକ ଡିଜିଟାଲ କାରବାର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୩ ମସିହା ସୁଦ୍ଧା ଭାରତର ଡିଜିଟାଲ କାରବାର ଆକାର ୧ ଲକ୍ଷ କୋଟି ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଥିବାରୁ ଡିଜିଟାଲ ପେମେଣ୍ଟ ପ୍ରଦାନକାରୀ କମ୍ପାନି ଆମାଜନ ଏବଂ ଆଲଫାବେଟ୍ ଆଦି ଭାରତ ବଜାର ଉପରେ ନଜର ପକାଇଛନ୍ତି। ବର୍ତ୍ତମାନ ଭାରତରେ ଯେଉଁସବୁ କମ୍ପାନି ଡିଜିଟାଲ କାରବାର ସେବା ପ୍ରଦାନ କରୁଛନ୍ତି ସେମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ରିହାତି ଓ କ୍ୟାସବ୍ୟାକ୍ ଆଦି ପ୍ରଦାନ କରୁଛନ୍ତି। ତେଣୁ ସେମାନେ ଏବେ କ୍ଷତି ସହୁଛନ୍ତି। ବିଭିନ୍ନ ସର୍ବେକ୍ଷଣରୁ ଜଣାଯାଇଛି ଯେ ସେମାନଙ୍କ ଲାଭ କରିବା ସମୟ ଆସୁଛି। କରୋନା ମହାମାରୀ ବ୍ୟାପିବା ପରଠାରୁ ଦେଶରେ ଦୁଇ ତୃତୀୟାଂଶ ପାଖାପାଖି ଲୋକ ଅଧିକରୁ ଅଧିକ ମାତ୍ରାରେ ଡିଜିଟାଲ କାରବାର କରୁଛନ୍ତି। ଆସନ୍ତା ୬ ମାସ ପାଇଁ ମଧ୍ୟ ଏହା ବଢ଼ିଚାଲିବ ବୋଲି ଆଶା ରଖାଯାଇଛି।

୨୦୧୯ରେ ଭାରତରେ ଜଣେ ବ୍ୟକ୍ତି ବର୍ଷକୁ ହାରାହାରି ୨୨.୪ ଥର ଡିଜିଟାଲ କାରବାର କରିଥିବା ଜଣାଯାଇଛି। ୨୦୧୫ ତୁଳନାରେ ଏହା ୫ ଗୁଣ ଅଧିକ ବୋଲି ରିଜର୍ଭ ବ୍ୟାଙ୍କ ତଥ୍ୟ କହୁଛି। ତେବେ ଚୀନ ତୁଳନାରେ ଭାରତ ଏ କ୍ଷେତ୍ରରେ ବହୁତ ପଛରେ ରହିଛି। ୨୦୧୭ରେ ଚୀନରେ ବର୍ଷକୁ ଜଣେ ବ୍ୟକ୍ତି ହାରାହାରି ୯୬.୭ ଥର ଡିଜିଟାଲ କାରବାର କରିଛନ୍ତି। ସେ ଦୃଷ୍ଟିରୁ ଦେଖିଲେ ଡିଜିଟାଲ କାରବାର କ୍ଷେତ୍ରରେ ଭାରତକୁ ଆହୁରି ଆଗକୁ ଯିବାକୁ ହେବ। ତେଣୁ ଭାରତରେ ଡିଜିଟାଲ କାରବାରକୁ ଆହୁରି ଆଗକୁ ନେବାପାଇଁ ହେଲେ ଦେଶରେ ଲୋକଙ୍କୁ ଦ୍ରୁତବେଗର ଇଣ୍ଟରନେଟ୍ ସହିତ ଅନ୍ୟାନ୍ୟ ସୁବିଧା ଯୋଗାଇବାକୁ ହେବ।