ଐତିହ୍ୟ ସ୍ଥଳ ପର୍ଯ୍ୟଟକ ସଂଖ୍ୟା ହ୍ରାସ

ନୂଆଦିଲ୍ଲୀ: ପର୍ଯ୍ୟଟକମାନଙ୍କ ମାନସିକତାରେ ଏକ ବଡ଼ ଧରଣର ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ମାନସିକ ଶାନ୍ତି ପାଇବା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ସେମାନେ ବଣ, ପାହାଡ଼, ଜଙ୍ଗଲ ଆଦି ଥିବା ଅଞ୍ଚଳ ପରିଦର୍ଶନ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ସେଥିପାଇଁ ଐତିହ୍ୟ ସ୍ଥଳ ବୁଲିବାକୁ ଯାଉଥିବା ଲୋକଙ୍କ ସଂଖ୍ୟାରେ ଏପର୍ଯ୍ୟନ୍ତ ମହାମାରୀ ପୂର୍ବ ସମୟ ଭଳି ସୁଧାର ହୋଇପାରିନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍‌ଆଇ) ଦ୍ବାରା ପରିଚାଳିତ ୩,୬୫୦ ଐତିହ୍ୟ ସ୍ଥଳରେ ମହାମାରୀ ପୂର୍ବ ସମୟ ଭଳି ପର୍ଯ୍ୟଟକ ଦେଖିବାକୁ ମିଳୁନାହିଁ। ତାଜ ମହଲ, କୁତବ ମିନାର, ଲାଲ କିଲ୍ଲା ଓ ଆଗ୍ରା ‌ଦୁର୍ଗ ଆଦି ଐତିହ୍ୟ ସ୍ଥଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି। ଐତିହ୍ୟ ସ୍ଥଳ ପରିଦର୍ଶନ କରୁଥିବା ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ସୁଧାର ହେଉଥିଲେ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ କୌଣସି ଆଖିଦୃଶିଆ ସୁଧାର ଦେଖିବାକୁ ମିଳୁନି। ମାମଲାପୂରମ, ତାଜମହଲ ଓ ଆଗ୍ରା ଦୁର୍ଗକୁ ୨୦୧୯ ପୂର୍ବରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଏବେବି ଅଧାରୁ ଅଧିକ କମ୍ ରହିଛି।

ଭାରତୀୟ ଟୁର ଅପରେଟର ସଂଘର ସଭାପତି ରାଜୀବ ମେହରାଙ୍କ ମତରେ ଏଏସ୍‌ଆଇ ଅଧିନରେ ପରିଚାଳିତ ଐତିହ୍ୟ ସ୍ଥଳଗୁଡ଼ିକର ରକ୍ଷଣାବେକ୍ଷଣ ଠିକ୍ ଭାବେ କରାଯାଉନାହିଁ। ଅନ୍‌ଲାଇନ୍ ଟିକଟକୁ ନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ରହିଛି। ଯେଉଁମାନେ ଥରେ କୌଣସି ଐତିହ୍ୟ ସ୍ଥଳ ଦେଖୁଛନ୍ତି ସେମାନେ ବାରମ୍ବାର ସେଠାକୁ ଯିବାକୁ ଚାହୁନାହାନ୍ତି। ସେଭଳି ଲୋକମାନେ ଅଜଣା ସ୍ଥାନ ବୁଲିବା ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି।

ଯୁବବର୍ଗର ପର୍ଯ୍ୟଟକମାନେ ବଣ, ପାହାଡ଼ ଆଦି ବୁଲିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ପାହାଡ଼ ଉପରେ ବସି ସେମାନେ ଶାନ୍ତିକୁ ଉପଭୋଗ କରୁଛନ୍ତି। ଅନ୍ୟ କେତେକ ନିର୍ଦିଷ୍ଟ ବର୍ଗର ପର୍ଯ୍ୟଟକ ଦୁର୍ଗମ ଓ ଅଳ୍ପ ଜଣାଶୁଣା ଅଞ୍ଚଳ ବୁଲିବାକୁ ପସନ୍ଦ କରୁଛନ୍ତି। ଯଦିଓ ଐତିହ୍ୟ ସ୍ଥଳକୁ ପର୍ଯ୍ୟଟକଙ୍କ ଆଗମନ କମ୍ ହୋଇଥିବା କୁହାଯାଉଛି, କିନ୍ତୁ ରାଜସ୍ଥାନରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଛି। କିଛି ଟୁର୍‌ ଅପରେଟରଙ୍କ ମତରେ ନିୟମିତ ମାର୍କେଟିଂର ଅଭାବ ଯୋଗୁଁ ଐତିହ୍ୟ ସ୍ଥଳକୁ ପର୍ଯ୍ୟଟକଙ୍କ ଆଗମନ ଆଶାନୁରୂପ ହୋଇପାରୁନି। ସେହିପରି ଗମନାଗମନ ଯୋଗାଯୋଗ ଓ ବିମାନ ଟିକଟ ମୂଲ୍ୟ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଆଉ ଏକ ପ୍ରମୁଖ ଭୂମିକା ନିର୍ବାହ କରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର