ନୂଆଦିଲ୍ଲୀ: ଦରଦାମ୍ ବିରୋଧରେ ଲଢ଼େଇ ଜାରି ରଖିଥିବା କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଲାଗି ଆଶ୍ବସ୍ତିର ଖବର ଆଣିଛି ଅକ୍ଟୋବର ମାସ। ଏହି ମାସରେ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀଗୁଡ଼ିକର ଉଭୟ ଖୁଚୁରା ଓ ପାଇକାରୀ ମୂଲ୍ୟ ହ୍ରାସ ପାଇଛି। ଖୁଚୁରା ମୁଦ୍ରାସ୍ଫୀତି ୬.୭୭ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ହାର ୮.୩୯ ପ୍ରତିଶତକୁ ହ୍ରାସ ପାଇଛି। ଗତ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୧ ପ୍ରତିଶତ ଓ ପାଇକାରୀ ମୁଦ୍ରାସ୍ଫୀତି ହାର ୧୩.୮୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ପାଇକାରୀ ମୁଦ୍ରାସ୍ଫୀତି ଗତ ୧୮ ମାସ‌ର ସର୍ବନିମ୍ନ ସ୍ତରକୁ ଖସିଥିବା ବେଳେ ଖୁଚୁରା ମୁଦ୍ରାସ୍ଫୀତି ୩ ମାସର ନିମ୍ନ ସ୍ତରକୁ ହ୍ରାସ ପାଇଛି।

Advertisment

ଯଦିଓ ଅକ୍ଟୋବରରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି, କିନ୍ତୁ ରିଜର୍ଭ ବ୍ୟାଙ୍କ ଲାଗି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ପର୍ଯ୍ୟନ୍ତ ଏହା ପହଞ୍ଚିପାରିନାହିଁ। ମୁଦ୍ରାସ୍ଫୀତିକୁ ୪ ପ୍ରତିଶତ (୨ ପ୍ରତିଶତ କମ୍ କିମ୍ବା ୨ ପ୍ରତିଶତ ଅଧିକ) ସ୍ତରରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କକୁ ଦାୟିତ୍ବ ଦିଆଯାଇଛି। ସେହି ଲକ୍ଷ୍ୟ ଅନୁସାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୬ ପ୍ରତିଶତ ତଳକୁ ଖସିଲେ ତାହା କିଛିଟା ଆଶ୍ବସ୍ତି ପ୍ରଦାନ କରିବ। କିନ୍ତୁ ଏହିଠାରେ ଦରଦାମ୍ ବିରୋଧ ଲଢ଼େଇ ଶେଷ ହେବ ନାହିଁ। ତାହାକୁ ଆହୁରି ତଳକୁ ଆଣିବା ଲାଗି ଉଦ୍ୟମ ଜାରି ରଖିବାକୁ ପଡ଼ିବ। ସାଧାରଣ ଜନତା ଅଧିକ ମାତ୍ରାରେ ବ୍ୟବହାର କରୁଥିବା କେତେକ ନିର୍ଦିଷ୍ଟ ପ୍ରକାର ସାମଗ୍ରୀ ମୂଲ୍ୟରେ ପ୍ରତି ମାସରେ ହେଉଥିବା ହ୍ରାସ କିମ୍ବା ବୃଦ୍ଧିକୁ ଜାଣିବା ଲାଗି ମୂଲ୍ୟ ବୃଦ୍ଧି ସୂଚୀ ବା ମୁଦ୍ରାସ୍ଫୀତିକୁ ବ୍ୟବହାର କରାଯାଉଛି। ଖୁଚୁରା ବଜାର ଲାଗି ଅଲଗା ଏବଂ ପାଇକାରୀ ବଜାର ଲାଗି ଅଲଗା ମୁଦ୍ରାସ୍ଫୀତିକୁ ବ୍ୟବହାର କରାଯାଉଛି।