ଭୁବନେଶ୍ବର: ଗତକାଲି ସିଦ୍ଧାର୍ଥ ମହାନ୍ତି ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବେଳେ ଆଉ ଜଣେ ଓଡ଼ିଆଙ୍କୁ ଏକ ବଡ଼ ପଦ ମିଳିଛି। ସେ ହେଉଛନ୍ତି ଦୀପକ ମହାନ୍ତି। ତାଙ୍କୁ ପେନ୍ସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍ଆର୍ଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗ ଅନୁଯାୟୀ ସେ ୬୫ ବର୍ଷ ବୟସ କିମ୍ବା ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ କରିବେ।
ଏହା ପୂର୍ବରୁ ସେ ପିଏଫ୍ଆର୍ଡିଏର ପୂର୍ଣ୍ଣକାଳୀନ ନିର୍ଦେଶକ (ଅର୍ଥନୀତି) ଭାବେ ଦୁଇ ବର୍ଷ କାର୍ଯ୍ୟ କରିଛନ୍ତି। ତା’ ପୂର୍ବରୁ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରିବା ବେଳେ ବ୍ୟାଙ୍କିଙ୍ଗ ନିୟାମକ, ବିପଦ ପରିଚାଳନା, ଅଡିଟ୍, ଆର୍ଥିକ ସ୍ଥିରତା, ଗବେଷଣା, ପରିସଂଖ୍ୟାନ ଓ ମୁଦ୍ରାନୀତି କ୍ଷେତ୍ରରେ କାମ କରିଥିଲେ। ସେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ମୁଦ୍ରାନୀତି ବିଭାଗ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଗତବର୍ଷରୁ ପିଏଫ୍ଆର୍ଡିଏର ଅଧ୍ୟକ୍ଷ ପଦ ଲାଗି ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଜାନୁଆରିରେ ପୂର୍ବତନ ଅଧ୍ୟକ୍ଷ ସୁପ୍ରତିମ୍ ବନ୍ଦପାଧ୍ୟାୟ ଅବସର ନେଇଥିଲେ। ତାଙ୍କ ସ୍ଥାନରେ ଶ୍ରୀ ମହାନ୍ତି କାର୍ଯ୍ୟ କରିବେ। ଦୀପକଙ୍କ ସ୍ଥାନରେ ପୂର୍ଣ୍ଣକାଳୀନ ସଦସ୍ୟ (ଅର୍ଥନୀତି) ଭାବେ ମମତା ଶଙ୍କରଙ୍କୁ ନିଯୁକ୍ତି ଦିଆଯାଇଛି।