ଡିପ୍‌ଫେକ୍ ସମସ୍ୟା: ଏଫ୍‌ଆଇଆର୍‌ରେ ସହଯୋଗ କରିବେ ସରକାର

ରଶ୍ମିକାଙ୍କ ମାମଲାରେ ଅଭିଯୁକ୍ତ ଶୀଘ୍ର ଗିରଫ ହେବ: ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଡିପ୍‌ଫେକ୍ ( ନକଲି ଚିତ୍ର)ର ଶିକାର ହେବା ପରେ ସରକାର ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥିବା ବେଳେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ଆଜି ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଡିପ୍‌ଫେକ୍‌ ପୀଡ଼ିତମାନଙ୍କୁ ଏଫ୍‌ଆଇଆର୍‌ ଦାଖଲ କରିବାରେ ସରକାର ସାହାଯ୍ୟ କରିବେ। ଲୋକମାନେ ଯେଭଳି ସୁବିଧାରେ ଅଭିଯୋଗ କରିପାରିବେ ସେଥିପାଇଁ ଏକ ବ୍ୟବସ୍ଥା ବିକାଶ କରାଯାଉଛି। ତାହାର ତଦାରଖ ଲାଗି ସ୍ବତନ୍ତ୍ର ଅଧିକାରୀ (ରୁଲ୍‌ ସେଭେନ ଅଫିସର) ନିଯୁକ୍ତ କରାଯିବ।

ଆଇଟି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର ସାମାଜିକ ଗଣମାଧ୍ୟମଗୁଡ଼ିକୁ କହିଛନ୍ତି। ସେଥିପାଇଁ ସେମାନଙ୍କୁ ସାତ ଦିନ ସମୟ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଦ୍ବାରା ନିୟମରେ ହେଉଥିବା ଉଲ୍ଲଂଘନ ବିଷୟରେ ନାଗରିକମାନେ ଯେଉଁ ଅଭିଯୋଗ କରିବେ ରୁଲ ସେଭେନ ଅଫିସର ସେହି ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଦରକାର ପଡ଼ିଲେ ଭିଡିଓ ଭାଇରାଲ ହୋଇଥିବା ସଂସ୍ଥା ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହେବ। ଯଦି କଂପାନି ଭିଡିଓର ଉତ୍ସ ଜଣାଇବ ତେବେ ସେହି ପକ୍ଷ ବିରୋଧରେ ଏଫ୍‌ଆଇଆର୍‌ ହେବ। ଗତକାଲି ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ଡିପ୍‌ଫେକ୍‌କୁ ନେଇ ସରକାର ଖୁବ୍‌ଶୀଘ୍ର ଏକ ଆଇନ ଆଣିବେ। ଡିପ୍‌ଫେକ୍ ଭିଡିଓକୁ ଚିହ୍ନଟ କରିବା, ଅଭିଯୋଗ ଦାଖଲ କରିବା ଲାଗି ବ୍ୟବସ୍ଥା ଓ ଲୋକମାନଙ୍କୁ ଏବିଷୟରେ ସଚେତନ କରିବା ଭଳି ବିଭିନ୍ନ ଦିଗକୁ ଆଇନରେ ସାମିଲ କରାଯିବ। ଏହି ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ସେ କହିଥିଲେ। ଗତକାଲି ସେ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଭେଟି ଏବିଷୟରେ ଆଲୋଚନା କରିଥିଲେ।

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡିପ୍‌ଫେକ୍ ଭିଡିଓ ମାମଲାରେ ଦିଲ୍ଲୀ ପୁଲିସ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଥିବା ଦାବି କରିଛି। ଭିଡିଓ ଅପ୍‌ଲୋଡ୍‌ ହୋଇଥିବା ମେସିନର ଆଇପି ଠିକଣା ଠାବ କରାଯାଇଛି। କେଉଁ ସ୍ଥାନରୁ ଭିଡିଓଟି ପ୍ରଥମେ ଅପ୍‌ଲୋଡ୍ କରାଯାଇଥିଲା ତାହା ଜାଣିବା ଲାଗି ଏବେ ପ୍ରୟାସ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଗିରଫ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଦିଲ୍ଲୀ ପୁଲିସର ସାଇବର ସେଲ୍ ଏହି ମାମଲାର ତଦନ୍ତ କରୁଛି। ତଦନ୍ତର ସାମାଜିକ ଗଣମାଧ୍ୟମ ସଂସ୍ଥା ମେଟା ସହଯୋଗ କରୁନଥିବା ପୁଲିସ ଅଭିଯୋଗ କରିଛି।

 

ସମ୍ବନ୍ଧିତ ଖବର