ନୂଆଦିଲ୍ଲୀ: ସୂଚନା ପ୍ରଯୁକ୍ତି ବିଦ୍ୟାର ଦୁରୁପଯୋଗ କରୁଥିବା ବ୍ୟକ୍ତିମାନେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମଧ୍ୟ ଛାଡ଼ିନାହାନ୍ତି। ପୂର୍ବରୁ ଏହି ମନ୍ଦ ତତ୍ତ୍ବମାନେ ଦେଶର ଖ୍ୟାତନାମା ବ୍ୟକ୍ତି ଯଥା ଅଭିନେତ୍ରୀ ଏବଂ ରାଜନେତାମାନଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କର ଡିପ୍‌ଫେକ୍‌ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲେ। ଏଭଳି ଘଟଣା ଘଟିବାର କିଛିମାସର ବ୍ୟବଧାନ ପରେ ଏହି ତତ୍ତ୍ବମାନେ ଏବେ ଶକ୍ତିକାନ୍ତଙ୍କ ଡିପ୍‌‌ଫେକ୍‌ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପ୍ରସାର କରିଛନ୍ତି। ସେହି ଭିଡିଓରେ କେନ୍ଦ୍ରୀୟ ବ୍ୟାଙ୍କ କେତେକ ନିବେଶ ସ୍କିମ୍ ଆରମ୍ଭ କରିଥିବା ନେଇ ଦାବି କରାଯାଇଛି। ଏଥିରେ ନିବେଶ ପାଇଁ ପରାମର୍ଶ ଦିଆଯାଇଛି।

Advertisment

ଶକ୍ତିକାନ୍ତଙ୍କୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଡିପ୍‌ଫେକ୍‌ ଭିଡିଓ ସଂପର୍କରେ କେନ୍ଦ୍ରୀୟ ବ୍ୟାଙ୍କ ଲୋକଙ୍କୁ ସତର୍କ କରାଇ ଦେଇଛି। ରିଜର୍ଭ ବ୍ୟାଙ୍କର କୌଣସି ଅଧିକାରୀ ଏଭଳି କାର୍ଯ୍ୟରେ ଜଡ଼ିତ ନାହାନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏଭଳି କୌଣସି ଆର୍ଥିକ ନିବେଶ ଉପଦେଶ ଦିଆଯାଏ ନାହିଁ। ଏସବୁ ଭିଡିଓ ନକଲି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଲୋକମାନେ ସାମାଜିକ ଗଣମାଧ୍ୟମରେ ଏଭଳି ଡିପ୍‌‌ଫେକ୍‌ ଭିଡିଓ ସହ ଯୋଡ଼ି ନହେବା କିମ୍ବା ଏହାର ଶିକାର ନହେବା ପାଇଁ ଜନସାଧାରଣଙ୍କୁ ରିଜର୍ଭ ବ୍ୟାଙ୍କ ସତର୍କ କରିଛି।