ନିବେଶିକା ଦୀପିକା: ସୌନ୍ଦର୍ଯ୍ୟ ସହ ବ୍ୟବସାୟ ବୁଦ୍ଧିମତା

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍। ଜଣେ ସଫଳ ବଲିଉଡ୍‌ ଅଭିନେତ୍ରୀ ଭାବେ ସାରା ଦେଶରେ ସେ ପରିଚିତ। ତେବେ ଦେଶର ଅଧିକାଂଶ ଲୋକ ଦୀପିକାଙ୍କ ବିଷୟରେ ଗୋଟିଏ କଥା ଜାଣିନାହାନ୍ତି। ସେ ହେଉଛନ୍ତି ଜଣେ ସକ୍ରିୟ ନିବେଶିକା। ସିନେମାରେ ଅଭିନୟ କରି ‌ସେ ଯେଉଁ ଟଙ୍କା ରୋଜଗାର କରୁଛନ୍ତି ତାହାକୁ ବିଭିନ୍ନ କଂପାନିରେ ନିବେଶ କରିବାକୁ ଭୁଲୁନାହାନ୍ତି। ଦୀପିକା ଷ୍ଟାର୍ଟଅପ୍‌ ସଂସ୍ଥାଗୁଡ଼ିକରେ ନିବେଶ କରୁଛନ୍ତି। ଦୀପିକା ‘କେଏ ଏଣ୍ଟରପ୍ରାଇଜେସ୍‌’ ନାମକ ଏକ ସଂସ୍ଥା ଗଠନ କରିଛନ୍ତି। ସେହି ସଂସ୍ଥା ଜରିଆରେ ସେ ଫର୍‌ଲାଙ୍କୋ ଓ ପର୍ପଲ୍‌ ଭଳି ଅନ୍‌ଲାଇନ୍‌ ସଂସ୍ଥାରେ ପୁଞ୍ଜିନିବେଶ କରିଛନ୍ତି। ଫର୍‌ଲାକୋ ଅନ୍‌ଲାଇନ୍‌ରେ ଆସବାବପତ୍ର ବିକ୍ରି କରୁଥିବା ବେଳେ ପର୍ପଲ୍ ପକ୍ଷରୁ ଅନଲାଇନ୍‌ରେ ‌ସୌନ୍ଦର୍ଯ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଏବେ ସେ ଫ୍ରାନ୍ସର ଖାଦ୍ୟ ପ୍ରକ୍ରିୟାକରଣ କଂପାନି ଡେନନ୍‌ର ସହଯୋଗୀ ସଂସ୍ଥା ଏପିଗାମିୟାରେ ନିବେଶ କରିଛନ୍ତି। ତାଙ୍କର ମିନ୍ତ୍ରା ସହିତ ‘ଅଲ ଏବାଉଟ୍‌ ୟୁ’ ପୋଷାକ ବ୍ରାଣ୍ଡ୍‌ର ଯୁଗ୍ମ ମାଲିକାନାସତ୍ତ୍ବ ରହିଛି। ଦୀପିକା କେବଳ ବିଭିନ୍ନ ସଂସ୍ଥା ପୁଞ୍ଜିନିବେଶ କରି ନିଜର ଦାୟିତ୍ବ ଶେଷ କରୁନାହାନ୍ତି। ସେହି କଂପାନି କିଭଳି ଆଗକୁ ବଢ଼ିବ ତାହାର ରଣନୀତି ପ୍ରସ୍ତୁତ କରୁଥିବା ଦଳରେ ମଧ୍ୟ ସାମିଲ ହେଉଛନ୍ତି। ଦୀପିକା ନିକଟରେ ଷ୍ଟାର୍ଟଅପ୍ ସଂସ୍ଥାରେ ୧୧୩ କୋଟି ଟଙ୍କା ନିବେଶ କରିଥିଲେ। ହଲିଉଡ୍‌ ସେଲିବ୍ରିଟି ଜେସିକା ଆଲ୍‌ବା, ଜେ ଜେଡ୍ ଓ ଏଡ୍‌ୱାର୍ଡ ନର୍ଟନଙ୍କ ଭଳି ସେ ମଧ୍ୟ ବ୍ୟବସାୟ ଜଗତରେ ନିବେଶ କରିବାରେ ଆଗରେ ରହିଛନ୍ତି। ନିବେଶ ବେଳେ ଭାରତୀୟ ସେଲିବ୍ରିଟି ଏମ୍‌ ଏସ୍‌ ଧୋନି, ଅମିର ଖାନ ଓ ରଣବୀର ସିଂହଙ୍କ ଠାରୁ ସେ ବହୁତ ଆଗରେ ରହିଛନ୍ତି।

ସମ୍ବନ୍ଧିତ ଖବର