ପେନ୍‌ସନ୍‌ ପାଣ୍ଠି ହସ୍ତାନ୍ତରରେ ବିଳମ୍ବ

ସିଏଜି ରିପୋର୍ଟ
କର୍ମଚାରୀ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଅନୁଚିତ ବ୍ୟବହାର
ଏନ୍‌ଏସ୍‌ଡିଏଲ୍‌କୁ ୨୪ କୋଟି ହସ୍ତାନ୍ତର ହୋଇନି

ଭୁବନେଶ୍ବର : କର୍ମଚାରୀ ଓ ସେମାନଙ୍କ ପାଇଁ ସରକାର ଦେଉଥିବା ପେନ୍‌ସନ୍‌ ଅଂଶଦାନକୁ ରାଜ୍ୟ ସରକାର ଠିକ୍ ସମୟରେ ‘ଜାତୀୟ ସୁରକ୍ଷା ଅମାନତ ଖାନା ଲିମ‌ିଟେଡ୍‌’ (ଏନ୍‌ଏସ୍‌ଡିଏଲ୍‌)ରେ ଜମା‌ କରୁନାହାନ୍ତି। କିଭଳି ଠିକ୍ ସମୟରେ ଏହି ରାଶି ହସ୍ତାନ୍ତର ହୋଇପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସିଏଜି ସୁପାରିସ କରିଛନ୍ତି। ତୁରନ୍ତ ଏନ୍‌ଏସ୍‌ଡିଏଲ୍‌କୁ ୨୪.୧୮ କୋଟି ଟଙ୍କା ଦେବା ଲାଗି ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ କୁହାଯାଇଛି।

ଆଜି ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୦୫ ଜାନୁଆରି ୧ ପରଠାରୁ ନିଯୁକ୍ତି ପାଇଥିବା ରାଜ୍ୟ କର୍ମଚାରୀଙ୍କୁ ଜାତୀୟ ପେନ୍‌ସନ୍ ଯୋଜନା (ଏନ୍‌ପିଏସ୍‌) ସ୍କିମ୍‌ରେ ସାମିଲ କରାଯାଇଛି। ପ୍ରତି କର୍ମଚାରୀଙ୍କ ମୂଳ ବେତନ ଓ ମହଙ୍ଗା ଭତ୍ତାର ୧୦% ରାଶି ପେନ୍‌ସନ୍ ଅଂଶଦାନ ଭାବେ କଟାଯାଉଥିବା ବେଳେ ସମାନ ପରିମାଣର ରାଶି ରାଜ୍ୟ ସରକାର ନିଜ ଆଡ଼ୁ ଦେଉଛନ୍ତି। ସଂଗୃହୀତ ରାଶିକୁ ଏନ୍ଏସ୍‌ଡିଏଲ୍‌କୁ ପଠାଇବାର ବ୍ୟବସ୍ଥା ରହିଛି। କିନ୍ତୁ ସରକାରଙ୍କ ନଥିପତ୍ର ଯାଞ୍ଚ କରିବା ବେଳେ ସିଏଜି ଜାଣିବାକୁ ପାଇଛନ୍ତି ଯେ ୨୦୦୬-୦୭ରୁ ପେନ୍‌ସନ୍ ପାଇଁ କର୍ମଚାରୀଙ୍କ ଦରମାରୁ ଅଂଶଦାନ କଟାଯାଉଥିଲେ ମଧ୍ୟ ୨୦୧୦-୧୧ ସୁଦ୍ଧା ଏନ୍‌ଏସ୍‌ଡିଏଲ୍‌କୁ ମାତ୍ର ୦.୦୧ କୋଟି ଟଙ୍କା ଦିଆଯାଇଥିଲା। ପ୍ରାୟ ୩୯.୬୨ କୋଟି ଟଙ୍କା ଏନ୍‌ଏସ୍‌ଡିଏଲ୍‌କୁ ଦିଆଯାଇନଥିଲା। ପ୍ରତିବର୍ଷ ଯେତିକି ରାଶି ସଂଗ୍ରହ କରାଯାଉଛି ତା’ଠାରୁ କମ୍ ରାଶି ଏନ୍‌ଏସ୍‌ଡିଏଲ୍‌କୁ ଦିଆଯାଉଛି। ଶେଷ ଥର ଲାଗି ୨୦୧୮-୧୯ରେ ଏବାବଦକୁ ୧୭.୪୪ କୋଟି ଟଙ୍କା ହସ୍ତାନ୍ତର କରାଯାଇଥିଲା। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଆହୁରି ୨୪.୧୮ କୋଟି ଟଙ୍କା ହସ୍ତାନ୍ତର କରିବା ବାକି ରହିଛି। ସେହି ରାଶି ତୁରନ୍ତ ପଠାଇବା ଲାଗି ବ୍ୟବସ୍ଥା କରିବାକୁ ସିଏଜି ସୁପାରିସ କରିଛନ୍ତି।

ଏନ୍‌ଏସ୍‌ଡିଏଲ୍‌କୁ ହସ୍ତାନ୍ତର ହୋଇପାରୁନଥିବା ରାଶି ଉପରେ ରାଜ୍ୟ ସରକାର ଏକ ସୁଧ ପରିଶୋଧ ପାଣ୍ଠି ଗଠନ କରିଥିଲେ। କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଅନୁଚିତ ବ୍ୟବହାର କରିଥିଲେ। ଫଳରେ କର୍ମଚାରୀଙ୍କ ପାଇଁ ଥିବା ସୁବିଧା ସୁଯୋଗରେ ଅନିଶ୍ଚିତତା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ୨୦୧୯-୨୦ରେ ଏନ୍‌ପିଏସ୍‌ ଅଧୀନରେ କର୍ମଚାରୀମାନଙ୍କ ଠାରୁ ରାଜ୍ୟ ସରକାର ୫୯୭.୯୪ କୋଟି ଟଙ୍କା ସଂଗ୍ରହ କରିଥିଲେ। ରାଜ୍ୟ ସରକାର ତାଙ୍କ ଅଂଶଦାନ ବାବଦକୁ ୫୯୨.୯୮ କୋଟି ଟଙ୍କା ମିଶାଇ ଏନ୍‌ପିଏସ୍‌କୁ ୧,୧୮୪.୧୮ କୋଟି ଟଙ୍କା ହସ୍ତାନ୍ତର କରିଥିଲେ। ଏହି ଆର୍ଥିକ ବର୍ଷରେ ରାଜ୍ୟ ସରକାର ୪.୯୬ କୋଟି ଟଙ୍କା କମ୍ ଯୋଗଦାନ କରିଥିଲେ। ଏହା ରାଜସ୍ବ ବଳକା ଓ ବିତ୍ତୀୟ ନିଅଣ୍ଟକୁ ପ୍ରଭାବିତ କରିଥିଲା।

ଏହି ଅସୁବିଧା ବିଷୟରେ ସରକାର ସିଏଜିଙ୍କୁ ଜଣାଇଛନ୍ତି ଯେ ଏକ କାର୍ଯ୍ୟକାରୀ ଅସୁବିଧା ପାଇଁ କର୍ମଚାରୀଙ୍କ ଠାରୁ ଆୟକର କାଟିବା ସମ୍ବନ୍ଧୀୟ ତଥ୍ୟ କାର୍ଯ୍ୟାଳୟରୁ ହାସଲ କରିବା ବିନା ଡିଡିଓମାନେ ଦରମା ବିଲ୍ ପ୍ରସ୍ତୁତ କରିବା ଅବସ୍ଥାରେ ନଥିଲେ। ଦରମା ବିଲ୍ ପ୍ରସ୍ତୁତିରେ ବିଳମ୍ବ ହେବାରୁ କିଛି ରାଶି ଏନ୍‌ଏସ୍‌ଡିଏଲ୍‌କୁ ହସ୍ତାନ୍ତର ହୋଇପାରିନଥିଲା। ଉକ୍ତ ରାଶି ପରବର୍ତ୍ତୀ ବର୍ଷଗୁଡ଼ିକରେ ହସ୍ତାନ୍ତର ହେବା ସହ ବ୍ୟବସ୍ଥିତ ହୋଇଥିଲା। ମାତ୍ର ନଥିପତ୍ର ଯାଞ୍ଚରୁ ସିଏଜି ଜାଣିବାକୁ ପାଇଛନ୍ତି ଯେ ଏବେବି ୨୪.୧୮ କୋଟି ଟଙ୍କା ହସ୍ତାନ୍ତର ହୋଇନାହିଁ।

ସମ୍ବନ୍ଧିତ ଖବର