ନୂଆଦିଲ୍ଲୀ: ଚୀନର ବହୁ ଆକାଂକ୍ଷିତ ସିପିଇସି (ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର) ପ୍ରକଳ୍ପ କାର୍ଯ୍ୟ ସାଂଘାତିକ ଭାବେ ବିଳମ୍ବ ହେବାରେ ଲାଗିଛି। ଏପରିକି ଏହି ପ୍ରକଳ୍ପର ନିର୍ମାଣ କରୁଥିବା ଚୀନ କମ୍ପାନିଗୁଡ଼ିକର ବକେୟା ପ୍ରାପ୍ୟ ବଢ଼ି ବଢ଼ି ଚାଲିଛି। ପ୍ରକଳ୍ପର ଯେତିକି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। ଏଥିଯୋଗୁ ଉଭୟ ଚୀନ ଏବଂ ପାକିସ୍ତାନରେ ହତାଶ ବଢ଼ୁଛି ବୋଲି ଏକ ରିପୋର୍ଟରେ କୁହାଯାଇଛି।
ଚୀନ ଏହାର ବେଲ୍ଟ ରୋଡ୍ ଇନିସିଏଟିଭ (ବିଆର୍ଆଇ) ପ୍ରକଳ୍ପ ଅଧୀନରେ ସିପିଇସି ପ୍ରକଳ୍ପ ନିର୍ମାଣ କରୁଛି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ୨୦୧୩ ମସିହାରେ ଉକ୍ତ ପ୍ରକଳ୍ପ ଘୋଷଣା କରିଥିଲେ।
ସିପିଇସି ପ୍ରକଳ୍ପ ଚୀନର ଗୁଆଙ୍ଗଝୁ ପ୍ରଦେଶରୁ ପାକିସ୍ତାନର ବାଲୁଚିସ୍ତାନସ୍ଥିତ ଗ୍ବାଦର ବନ୍ଦର ପର୍ଯ୍ୟନ୍ତ ନିର୍ମାଣ ଯୋଜନା ରହିଛି। କିନ୍ତୁ ଘୋଷଣା ଅନୁଯାୟୀ ଏହି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ୁପାରି ନାହିଁ। ଉକ୍ତ ବୃହତ୍ ପ୍ରକଳ୍ପ ପାଇଁ ଆବଶ୍ୟକ ପାଣ୍ଠି ସଂଗ୍ରହ କରାଯାଇ ପାରୁନାହିଁ। ସେହିଭଳି ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପକୁ ମଧ୍ୟ ବନ୍ଦ କରି ରଖାଯାଇଛି ବୋଲି ଏକ ଗଣମାଧ୍ୟମ ପୋର୍ଟାଲରେ ପ୍ରକାଶ ପାଇଛି। ଏପରିକି ପାକିସ୍ତାନ ସରକାର ପୂର୍ବରୁ ଗଠନ କରିଥିବା ସିପିଇସି କର୍ତ୍ତୃପକ୍ଷକୁ ନିକଟରେ ଉଚ୍ଛେଦ କରିଦେଇଛନ୍ତି।
ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏହି କର୍ତ୍ତୃପକ୍ଷ ପାକିସ୍ତାନ ସରକାର ଗଠନ କରିଥିଲେ। ଉକ୍ତ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଚୀନ ସରକାର ଯେତିକି ପାଣ୍ଠି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ତାହା ଦେଉନାହାନ୍ତି। ବାକିଆ ଅର୍ଥ ମିଳି ନଥିବାରୁ ଉକ୍ତ ପ୍ରକଳ୍ପ ଅଧୀନରେ ନିର୍ମାଣ ହୋଇଥିବା ବିଦ୍ୟୁତ୍ ପ୍ରକଳ୍ପରୁ ଶକ୍ତି ଉତ୍ପାଦନ ମଧ୍ୟ କମ୍ପାନି ବନ୍ଦ କରିଦେଇଛନ୍ତି। ସିପିଇସି ପାଇଁ ନିଆଯାଇଥିବା ଋଣ ଉପରେ ଅଧିକ ସୁଧ ଦାବି କରିବା, ପ୍ରକଳ୍ପ ଖର୍ଚ୍ଚ ବଢ଼ିଯିବା ଏବଂ ପ୍ରକଳ୍ପକୁ ବିରୋଧ କରାଯିବା ଆଦି ସମସ୍ୟା ଏ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହୋଇଛି।
ପାକିସ୍ତାନର ଆର୍ଥିକ ସ୍ଥିତି ବିଗିଡ଼ିବା କାରଣରୁ ଉକ୍ତ ପ୍ରକଳ୍ପ ଯୋଜନା ମୁତାବକ ଆଗକୁ ବଢ଼ିପାରୁନାହିଁ। ଦେଶର ଋଣ ବଢ଼ିଯିବା କାରଣରୁ ୬୨ ବିଲିଅନ ଡଲାରର ସିପିଇସି ପ୍ରକଳ୍ପରେ ଅନେକ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ପ୍ରକଳ୍ପ କାର୍ଯ୍ୟ ଧିମା ଗତିରେ ଚାଲିଥିବାରୁ ନିକଟରେ ପାକିସ୍ତାନର ଯୋଜନା ଓ ବିକାଶ ମନ୍ତ୍ରୀ ଏହସାନ ଇକବାଲ ମଧ୍ୟ ନିଜର ଅସନ୍ତୋଷ ଖୋଲାଖୋଲି ବ୍ୟକ୍ତ କରିଛନ୍ତି। ସେହିଭଳି ଉକ୍ତ ପ୍ରକଳ୍ପର ସମାର୍ଥ୍ୟକୁ ନେଇ ପାକିସ୍ତାନର ଅନେକ ରାଜନେତା ଓ ବିଶେଷଜ୍ଞ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଋଣ ପ୍ରଦାନ ନେଇ ଚୀନ କରିଥିବା କଠୋର ସର୍ତ୍ତ ବି ପାକିସ୍ତାନ ପାଇଁ ଆରମ୍ଭରୁ ଚିନ୍ତାର ବିଷୟ ପାଲଟିଛି। ଆମେରିକା ଯଦି ସମାନ ଧରଣର ଆର୍ଥିକ ସହାୟତା ପ୍ରଦାନ କରେ ତାହେଲେ ପାକିସ୍ତାନ ଏହି ପ୍ରକଳ୍ପରୁ ସଂପୂର୍ଣ୍ଣ ଓହରିଯିବାର ଆଶଙ୍କା ବି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/45-1.jpg)