ନୂଆଦିଲ୍ଲୀ: ଦିଲ୍ଲୀ କେବଳ ଦେଶର ରାଜଧାନୀ ନୁହେଁ, ଏହା କ୍ରିପ୍ଟୋକରେନ୍ସିର ରାଜଧାନୀ ଭାବେ ମଧ୍ୟ ଉଭା ହୋଇଛି। ଭାରତର ସର୍ବାଧିକ କ୍ରିପ୍ଟୋ ନିବେଶକ ଦିଲ୍ଲୀରେ ରହିଛନ୍ତି। ଏହି ମାମଲାରେ ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରକୁ ଦିଲ୍ଲୀ ପଛରେ ପକାଇ ଦେଇଛି। କଏନ୍‌ସ୍ବିଚ୍‌ର ଏକ ରିପୋର୍ଟ ଅନୁସାରେ ଦେଶରେ ୧.୯ କୋଟିରୁ ଅଧିକ କ୍ରିପ୍ଟୋନିବେଶକ ରହିଛନ୍ତି। ସେଥିରୁ ସର୍ବାଧିକ ୮.୮ ପ୍ରତିଶତ ନିବେଶକ ଦିଲ୍ଲୀରେ ଥିବା ବେଳେ ମୁମ୍ବାଇ ଓ ହାଇଦ୍ରାବାଦ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ଏବଂ ବେଙ୍ଗାଲୁରୁ ଚତୁର୍ଥ ସ୍ଥାନରେ ରହିଛି। ବେଙ୍ଗାଲୁରୁରେ ଦେଶର ୮.୩ ପ୍ରତିଶତ କ୍ରିପ୍ଟୋ ନିବେଶକ ରହିଛନ୍ତି। ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦରେ ମିଳିତ ଭାବେ ଦେଶର ୨୦ ପ୍ରତିଶତ କ୍ରିପ୍ଟୋ ନିବେଶକ ରହିଛନ୍ତି।

Advertisment

ବିପଦପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦୃଶ୍ୟ ଡିଜିଟାଲ ମୁଦ୍ରା କିପ୍ଟୋକରେନ୍ସିର ଗ୍ରହଣୀୟତା ଭାରତରେ ଅଧିକ ରହିଛି। କେବଳ ବଡ଼ ସହର ନୁହେଁ, ଦ୍ବିତୀୟ ଶ୍ରେଣୀ ସହରଗୁଡ଼ିକରେ ମଧ୍ୟ କ୍ରିପ୍ଟୋର ଗ୍ରହଣୀୟତା ଉଚ୍ଚ ସ୍ତରରେ ରହିଛି। ପୁଣେ, ଜୟପୁର ଓ ଲକ୍ଷ୍ନୌରେ ବହୁ କ୍ରିପ୍ଟୋ ନିବେଶକ ରହିଛନ୍ତି। ସେମାନେ ଇଥର ଓ ବିଟ୍‌କଏନ୍‌ ଭଳି କ୍ରିପ୍ଟୋକରେନ୍ସିରେ ନିବେଶ କରିଛନ୍ତି। କ୍ରିପ୍ଟୋରେ ନିବେଶ କରିଥିବା ଅଧିକାଂଶ (୭୫%) ନିବେଶକଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ରହିଛି। ଭାରତରେ ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ହେଉଛି ଡୋଜ୍‌କଏନ୍ ଯାହାକୁ ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ପ୍ରସାର କରୁଛନ୍ତି। ମୋଟ କ୍ରିପ୍ଟୋ ନିବେଶରୁ ୧୧ ପ୍ରତିଶତ ଡୋଜ୍‌କଏନ୍‌ରେ ନିବେଶ ହୋଇଛି। ଏହି ତାଲିକାର ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ବିଟ୍‌କଏନ୍ (୮.୫%) ଓ ଏଥେରିଅମ୍ (୬.୪%) ରହିଛି।

ଆପଣେଇବାରେ ଭାରତ ଏକ ନମ୍ବର

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସିକୁ ନେଇ ସତର୍କ ରହିବାକୁ ଭାରତୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବାରମ୍ବାର କହୁଥିବା ସତ୍ତ୍ବେ ଏହି ଅଦୃଶ୍ୟ ଡିଜିଟାଲ୍ ମୁଦ୍ରାକୁ ଦେଶରେ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। ସେଥିପାଇଁ ସାରା ବିଶ୍ବରେ କ୍ରିପ୍ଟୋ ଆପଣେଇବାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜୋର୍ଜିଭା କହିଛନ୍ତି ଯେ ଭାରତ ଭଳି ଦେଶରେ କ୍ରିପ୍ଟୋର ଗ୍ରହଣୀୟତା ଉଚ୍ଚ ସ୍ତରରେ ରହିଛି। ଚେନ୍‌ଆନାଲିସିସ୍‌ ସଂସ୍ଥାର ତଥ୍ୟ ଅନୁସାରେ ଭାରତ, ନାଇଜେରିଆ ଓ ଭିଏତ୍‌ନାମ ଭଳି ବିକାଶଶୀଳ ଦେଶଗୁଡ଼ିକରେ ଲୋକମାନଙ୍କ ଭିତରେ କ୍ରିପ୍ଟୋର ଗ୍ରହଣୀୟତା ଅଧିକ ରହିଛି। ବ୍ରାଜିଲ୍‌ରେ ଖର୍ଚ୍ଚ କରାଯାଉଥିବା ପ୍ରତି ୧୦୦ ରିଅଲ୍‌ର ୨୫ ପ୍ରତିଶତ କ୍ରିଫ୍ଟୋରେ ନିବେଶ ହେଉଛି।