ଏହା ହେଉଛି ଦେଶର ପ୍ରଥମ ଟ୍ରେନ୍, ଯେଉଁଥିରେ ଯାତ୍ରୀମାନେ ଆମିଷ ଖାଇପାରିବେ ନାହିଁ କି ନେଇ ପାରିବେ ନାହିଁ

ଭାରତୀୟ ରେଳବାଇର ବଡ଼ ଘୋଷଣା

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଏହି ଟ୍ରେନର ଖାଦ୍ୟ ସମ୍ପର୍କରେ ରେଳବାଇ ଏକ ବଡ ଘୋଷଣା କରିଛି । ବର୍ତ୍ତମାନ ଦିଲ୍ଲୀ-କାଟ୍ରା ବନ୍ଦେ ଭାରତ ଏକ୍ସପ୍ରେସରେ ଆମିଷ ଖାଇବା ଏବଂ ଆମିଷ ନେବାକୁ ନିଷେଧ କରାଯାଇଛି । ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଦେଶର ପ୍ରଥମ ଏଭଳି ଟ୍ରେନ୍, ଯାହାକୁ ସାତ୍ତ୍ବିକ ସାର୍ଟିଫିକେଟ୍ ଦିଆଯାଇଛି । ବର୍ତ୍ତମାନ ଏହି ଟ୍ରେନ୍ ହେଉଛି ସଂପୂର୍ଣ୍ଣ ସ୍ବଚ୍ଛ ଓ ଶାକାହାରୀ ।

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ  ଦେଶର ପ୍ରଥମ ସାତ୍ତ୍ବିକ ଟ୍ରେନ ଭାବେ ପ୍ରମାଣପତ୍ର ମିଳିଛି । ଏଥିଲାଗି ଟ୍ରେନରେ କ୍ୟାଟରିଂ ସୁବିଧା ଯୋଗାଉଥିବା ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଏବଂ ସାତ୍ତ୍ବିକ କାଉନସିଲ୍ ଅଫ୍ ଇଣ୍ଡିଆ ମଧ୍ୟରେ ଏକ ଚୁକ୍ତିନାମା ହୋଇସାରିଛି। ଏହି ଟ୍ରେନରେ ଯାତ୍ରୀମାନେ ଆମିଷ ଖାଦ୍ୟ ମଧ୍ୟ ଆଣିପାରିବେ ନାହିଁ । ଆଇଆରସିଟିସି ବନ୍ଦେ ଭାରତ ଟ୍ରେନକୁ ସାତ୍ତ୍ବିକ ଟ୍ରେନ୍ କରିବା ପ୍ରକ୍ରିୟା ଆରମ୍ଭ କରିସାରିଛି। ଧୀରେ ଧୀରେ ଧାର୍ମିକ ସ୍ଥାନକୁ ଯାଉଥିବା ଅନ୍ୟ ଟ୍ରେନ୍ ଗୁଡିକରେ ମଧ୍ୟ ସଂପୂର୍ଣ୍ଣ ନିରାମିଷ ଖାଦ୍ୟ ଦିଆଯିବ।

ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରାୟତଃ ଧାର୍ମିକ ସ୍ଥଳକୁ ଯାତ୍ରା କରିଥାନ୍ତି ଏବଂ ସଂପୂର୍ଣ୍ଣ ନିରାମିଷ ଖାଇବାକୁ ପସନ୍ଦ କରନ୍ତି । ଯାତ୍ରା ସମୟରେ ଅନେକ ଯାତ୍ରୀ ଟ୍ରେନରେ ଦିଆଯାଉଥିବା ଖାଦ୍ୟକୁ ପସନ୍ଦ କରନ୍ତି ନାହିଁ କାରଣ ସେମାନେ ନିଶ୍ଚିତ ନଥାନ୍ତି ଯେ ଟ୍ରେନରେ ଉପଲବ୍ଧ ଖାଦ୍ୟ ସଂପୂର୍ଣ୍ଣ ଶାକାହାରୀ ଏବଂ ଏଥିରେ ସ୍ୱଚ୍ଛତା ରହିଛି କି ନାହିଁ । ଯାତ୍ରୀଙ୍କ ସମସ୍ୟା ଦୂର କରିବାକୁ ଭାରତୀୟ ରେଳବାଇ ସାତ୍ତ୍ବିକ ଟ୍ରେନ୍ ଆରମ୍ଭ କରିଛି ।

ଭାରତର ସାତ୍ତ୍ବିକ କାଉନସିଲର ପ୍ରତିଷ୍ଠାତା ଅଭିଷେକ ବିଶ୍ୱ କହିଛନ୍ତି ଯେ, ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସାତ୍ତ୍ବିକ ପ୍ରମାଣପତ୍ର ଦେବା ପୂର୍ବରୁ ଅନେକ ପ୍ରକ୍ରିୟା ଯାଞ୍ଚ କରାଯାଇଥିଲା । ଏହା ଅଧୀନରେ ରୋଷେଇ କରିବା ପ୍ରକ୍ରିୟା, ରୋଷେଇ ଘର, ବାସନକୁସନ ପରିବେଷଣ, ରକ୍ଷଣାବେକ୍ଷଣ ଯାଞ୍ଚ କରାଯାଇଥିଲା । ସମସ୍ତ ପ୍ରକ୍ରିୟା ସାରିବା ପରେ ହିଁ ରେଳବାଇ ପ୍ରମାଣପତ୍ର ଦେଇଥିଲା।

ସମ୍ବନ୍ଧିତ ଖବର