୬୬୫୦ କର୍ମଚାରୀଙ୍କୁ ଛଟେଇ କରିବ ଡେଲ୍

ନ୍ୟୁୟର୍କ : ବିଶ୍ବର ପ୍ରମୁଖ ଟେକନଲୋଜୀ କମ୍ପାନିଗୁଡ଼ିକରେ ଛଟେଇ ଜାରି ରହିଛି । ଗୋଟିକ ପରେ ଗୋଟିଏ କମ୍ପାନି ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାରେ ଲାଗିଛି । ଆମେରିକୀୟ କମ୍ପ୍ୟୁଟର ହାର୍ଡଓ୍ବାର କମ୍ପାନି ଡେଲ୍ ଟେକନଲୋଜୀ ପକ୍ଷରୁ ପ୍ରାୟ ୬,୬୫୦ କର୍ମଚାରୀଙ୍କୁ ଛଟେଇ କରାଯିବା ବିଷୟରେ ଘୋଷଣା କରାଯାଇଛି ।

କମ୍ପ୍ୟୁଟର ବିକ୍ରିରେ ହ୍ରାସ ପରେ କମ୍ପାନିର ବିକ୍ରି ଓ ଲାଭ ପ୍ରଭାବିତ ହୋଇଛି । ଏହି କାରଣରୁ କମ୍ପାନି ପକ୍ଷରୁ ଛଟେଇ କରାଯାଇଛି । କମ୍ପାନିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜେଫ୍ କ୍ଲାର୍କ କମ୍ପାନିର କର୍ମଚାରୀଙ୍କୁ ମେଲ ପଠାଇ ଏହି ଛଟେଇ ସଂପର୍କରେ ସୂଚନା ଦେଇଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ସାରା ବିଶ୍ବରେ ଥିବା କମ୍ପାନିର କର୍ମଚାରୀଙ୍କ ୫ ପ୍ରତିଶତଙ୍କୁ ଛଟେଇ କରାଯିବ ବୋଲି ଜଣାପଡ଼ିଛି ।

ଡେଲର ପ୍ରତିଦ୍ବନ୍ଦୀ କମ୍ପାନି ଏଚପି ପକ୍ଷରୁ ଗତ ନଭେମ୍ବର ମାସରେ ପ୍ରାୟ ୬ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା ।

ଆମେରିକୀୟ ଅର୍ଥନୀତିରେ ଶିଥିଳତା ଯୋଗୁଁ  ଗତ ବର୍ଷଠାରୁ ବିଭିନ୍ନ ବଡ଼ ବଡ଼ ଟେକନଲୋଜୀ କମ୍ପାନି ଛଟେଇ କରିଚାଲିଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ୫ ପ୍ରମୁଖ ଟେକନଲୋଜୀ କମ୍ପାନି ବା ବିଗ୍ ଫାଇଭ୍ । ସେମାନେ ହେଲେ ଆଲଫାବେଟ୍, ଆମାଜନ, ଆପଲ, ମାଇକ୍ରୋସଫ୍ଟ ଓ ମେଟା । ଗତ କାଲି ଭାରତୀୟ ଆଇଟି କମ୍ପାନି ଇନଫୋସିସ୍ ମଧ୍ୟ ଛଟେଇ କରିଥିବା ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର