ୱାସିଂଟନ୍: ‘ଡେଲ୍ଟା’ ବିମାନରେ ଜଣେ ନିଶାସକ୍ତ ସହଯାତ୍ରୀଙ୍କଦ୍ବାରା ଅସଦାଚରଣର ସରବ୍ୟ ହୋଇଛନ୍ତି ବୋଲି ଜଣେ ତରୁଣୀ ଓ ତାଙ୍କର ମଆ ଅଭିଯୋଗ କରିଥିବା କଥା ‘ଫକ୍ସ ବିଜ୍ନେସ୍’ ରିପୋର୍ଟ କରିଛି।
ଏଥିପାଇଁ ମଙ୍ଗଳବାର ଦିନ ‘ଡେଲ୍ଟା’ ଏୟାର୍ଲାଇନ୍ସ୍ ନାଁରେ ୨ ନିୟୁତ ଡଲାର୍ର ମାମଲା ରୁଜୁ କରାଯାଇଛି ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ଏୟାର୍ଲାଇନ୍ସ୍ର ଅବହେଳାରୁ ଏଭଳି ଘଟିଥିବାରୁ ପୀଡ଼ିତାମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି।
ଅଦାଲତରୁ ପ୍ରାପ୍ତ କାଗଜପତ୍ରରେ ଉଲ୍ଲେଖ ଅଛି, ସାହାଯ୍ୟ ପାଇଁ ନିବେଦନ କରୁଥିବା ପୀଡ଼ିତାଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରିବା ସହିତ ଧୈର୍ଯ୍ୟ ଧରିବାକୁ କହି ବିମାନର କର୍ମଚାରୀମାନେ ଓଲଟି ସେ ସହଯାତ୍ରୀଙ୍କୁ ଆହୁରି ମଦ ପରିବେଷଣ କରିଥିଲେ। ବିମାନଟି ନ୍ୟୁୟର୍କସ୍ଥିତ ‘ଜେଏଫ୍କେ ବିମାନ ବନ୍ଦର’ରୁ ଗ୍ରୀସ୍ର ଆଥେନ୍ସ୍ ଅଭିମୁଖେ ଦୀର୍ଘ ୯ ଘଣ୍ଟା କାଳ ଯାତ୍ରା କରିଥିଲା।
ଏହି ୯ ଘଣ୍ଟାକାଳ ନିଶାସକ୍ତ ସହଯାତ୍ରୀଜଣକ ସେ ମାଆ ଓ ଝିଅଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ନ୍ୟୁୟର୍କର ‘ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ୍’ରେ (ଅଦାଲତ) ଫାଇଲ୍ ହୋଇଥିବା ମାମଲାରେ ଉଲ୍ଲେଖ ଅଛି।
ଏହାଛଡ଼ା, ଗନ୍ତବ୍ୟସ୍ଥଳରେ ବିମାନ ଅବତରଣ କରିବା ପରେ ଯୌନ ଉତ୍ପୀଡ଼ନ ବିଷୟରେ ସ୍ଥାନୀୟ କର୍ତ୍ତୃପକ୍ଷ କି, ଆମେରିକା ପୁଲିସକୁ ଅବଗତ ନ କରାଇ ବିମାନର କର୍ମଚାରୀମାନେ ଉକ୍ତ ନିଶାସକ୍ତ ବ୍ୟକ୍ତିଙ୍କୁ ଛାଡ଼ି ଦେଇଥିଲେ ଅଭିଯୋଗ ପତ୍ରରେ ଉଲ୍ଲେଖ ଥିବା କଥା ମଧ୍ୟ ‘ଫକ୍ସ୍ ବିଜ୍ନେସ୍’ ରିପୋର୍ଟ କରିଛି।
ଘଟଣାଟି ୨୦୨୨ ଜୁଲାଇ ୨୬ ତାରିଖରେ ଘଟିଥିଲା।