ଚିନ୍ତାରେ ସରକାର ବଦଳିପାରେ ଜିଏସ୍‌ଟି ହାର

ନୂଆଦିଲ୍ଲୀ: ଦେଶରେ ଗତ କିଛିମାସ ହେଲା ଜିଏସ୍‌ଟି ଆଦାୟ ରାଶି ହ୍ରାସ ପାଉଛି। ବିଶେଷକରି ସେପ୍ଟେମ୍ବରରେ ଜିଏସ୍‌ଟି ଆଦାୟ ରାଶି ୧୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସିଯିବା ଫଳରେ ଏହାକୁ ନେଇ ସରକାର ଚିନ୍ତିତ ହୋଇ ପଡ଼ିଛନ୍ତି। ତେଣୁ ଦେଶରେ ଜିଏସ୍‌ଟି ବ୍ୟବସ୍ଥା ଆରମ୍ଭ ହେବାର ଦୁଇ ବର୍ଷ ଦୁଇ ମାସ ପରେ ଏହାର ସମୀକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସରକାର ଉଭୟ ଜିଏସ୍‌ଟି ହାରରେ ପରିବର୍ତ୍ତନ ଆଣିପାରନ୍ତି। ଏଥିସହିତ ଜିଏସ୍‌ଟି ଠକେଇକୁ ରୋକିବା ପାଇଁ କଡ଼ା ନିୟମ ପ୍ରସ୍ତୁତ କରିପାରନ୍ତି। ଜିଏସ୍‌ଟି ଠକେଇ ରୋକିବା ସହିତ ଅନ୍ୟ ଉପାୟରେ ଜିଏସ୍‌ଟି ଆଦାୟ ରାଶି ବଢ଼ାଇବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି।

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କୁ ନେଇ ଏକ ୧୨ ଜଣିଆ କମିଟି ଗୁରୁବାର ଗଠନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ମଧ୍ୟ ଶୁକ୍ରବାର ଆଲୋଚନା କରାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ମାସରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଅର୍ଥ କମିସନ ଅଧ୍ୟକ୍ଷ ଏନ କେ ସିଂହ କହିଥିଲେ, ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନ କରାଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତର ଚାରିଟି ହାରରେ ଜିଏସ୍‌ଟି ଆଦାୟ ହେଉଛି।

ସମ୍ବନ୍ଧିତ ଖବର