ବୃହତ ପ୍ୟା‌କେଜ୍ ପାଇଁ ଦାବି, କାହା ପ୍ୟାକେଜ୍ କେତେ ବଡ଼

ସରକାରଙ୍କ ପ୍ୟାକେଜ୍ ‌ଯଥେଷ୍ଟ ନୁହେଁ: ସୁବ୍ବାରାଓ

ନୂଆଦିଲ୍ଲୀ/ହାଇଦ୍ରାବାଦ: କରୋନା ମୁକାବିଲା ଲାଗି ଘୋଷଣା କରାଯାଇଥିବା ବିଶ୍ବର ସବୁଠୁ କଠୋର ଲକ୍‌ଡାଉନ୍ ଦେଶ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଗରିବ ଲୋକମାନେ ଏହା ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଏଭଳି ଏକ କଠିନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି ସୁବ୍ବାରାଓ କହିଛନ୍ତି। କେବଳ ସୁବ୍ବାରାଓ ନୁହନ୍ତି ଏହା ପୂର୍ବରୁ ରିଜର୍ଭ ବ୍ୟାଙ୍କର ଅନ୍ୟତମ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏବଂ ଅର୍ଥନୀତିରେ ନୋବେଲ ପୁରସ୍କାର ହାସଲ କରିଥିବା ଅଭିଜିତ ବାନାର୍ଜୀ ମଧ୍ୟ ବଡ଼ ପ୍ୟାକେଜ୍‌ ଘୋଷଣା କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ବିଶ୍ବର ବ୍ୟାଙ୍କର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ କୌଶିକ ବସୁ ମଧ୍ୟ ବୃହତ ପ୍ୟାକେଜ୍ ଦରକାର ବୋଲି କହିଛନ୍ତି।

ଏକ ୱେବିନାରରେ ଭାଗ ନେଇ ସୁବ୍ବାରାଓ କହିଛନ୍ତି ଯେ, କରୋନା ମୁକାବିଲା ଲାଗି ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି ତାହାର ପରିମାଣ ହେଉଛି ଜିଡିପିର ମାତ୍ର ୦.୮ ପ୍ରତିଶତ। ଏହା ଆଦୌଁ ଯଥେଷ୍ଟ ନୁହେଁ। ସରକାରଙ୍କୁ ବ୍ୟୟ ବଢ଼ାଇବାକୁ ପଡ଼ିବ। ତିନିଟି ବିଷୟରେ ଖର୍ଚ୍ଚ ବଢ଼ାଇବାକୁ ହିଁ ହେବ। ପ୍ରଥମେ ଲୋକମାନଙ୍କୁ ଜୀବନଜୀବିକା ସହାୟତା ଯୋଗାଇବା ବାବଦରେ ଖର୍ଚ୍ଚ ବଢ଼ାଇବାକୁ ପଡ଼ିବ। ଲକ୍‌ଡାଉନ୍ ପ୍ରଭାବରେ ଅନେକ ଲୋକଙ୍କ ସଞ୍ଚୟ ରାଶି ଶେଷ ହୋଇଗଲାଣି। ସେମାନଙ୍କୁ ମଧ୍ୟ ସାହାଯ୍ୟ ଦରକାର। ତେଣୁ ସରକାର ଅଧିକ ଲୋକଙ୍କୁ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ସାହାଯ୍ୟ କରିବା ଉପରେ ବିଚାର କରିବା ଦରକାର ବୋଲି ସେ କହିଛନ୍ତି। ଅଧିକ ଖର୍ଚ୍ଚ କରିବା ପାଇଁ ସରକାର ଅଧିକ ଋଣ କରନ୍ତୁ। ଋଣ କଲେ ବିତ୍ତୀୟ ନିଅଣ୍ଟ ବଢ଼ିବ ବୋଲି ଯେଉଁ ଆକଳନ କରାଯାଉଛି ସେଥିରେ ସୁବ୍ବାରାଓ ସହମତ ହୋଇନାହାନ୍ତି। ସେ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଘୋଷଣା କରିଥିବା ବଜେଟ୍‌ରେ ମୋଟ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୫ ପ୍ରତିଶତ ଭିତରେ ରହିବ ବୋଲି ଆକଳନ କରିଛନ୍ତି। ଲକ୍‌ଡାଉନ୍ ପ୍ରଭାବରେ ବିପୁଳ ରାଜସ୍ବ ହାନି ହୋଇଥିବାରୁ ଏହି ନିଅଣ୍ଟ ୧୦ ପ୍ରତିଶତ ଭଳି ସ୍ତରକୁ ବୃଦ୍ଧି ପାଇବ। ସରକାର ଅତିରିକ୍ତ ଋଣ କଲେ ତାହା ୧୩-୧୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ସେ କହିଛନ୍ତି। ଏତେ ବଡ଼ ସମସ୍ୟା ଭିତରେ ଅଶୋଧିତ ତୈଳ ଦର ହ୍ରାସ ଓ ଫସଲ ଅମଳ ଜବରଦସ୍ତ ରହିବା ବହୁତ ଭଲ ଖବର ବୋଲି ସେ କହିଛନ୍ତି।

ଦରକାର ବଡ଼ ପ୍ୟାକେଜ୍: ବସୁ
ସେହିପରି, ବିଶ୍ବବ୍ୟାଙ୍କର ପୂର୍ବତନ ଅର୍ଥନୀତିଜ୍ଞ କୌଶିକ ବସୁ କହିଛନ୍ତି ଯେ, ପାଣ୍ଠି ଯୋଗାଡ଼ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ ସରକାର ବ୍ୟବହାର କରିବା ଉଚିତ। ଏଥିପାଇଁ ରାଜନ ମଧ୍ୟ ପରାମର୍ଶ ଦେଇସାରିଲେଣି। ବସୁଙ୍କ ମତରେ, କରୋନା ପୂର୍ବରୁ ଭାରତରେ ଅସମାନତା ଉଚ୍ଚ ସ୍ତରରେ ଥିଲା। ଏହି ଭୂତାଣୁ ସଙ୍କଟ ତାହାକୁ ଆହୁରି ଉଚ୍ଚତର ସ୍ତରକୁ ନେଇଯିବ। ସାରା ଦୁନିଆର ଅର୍ଥନୀତିରେ ଉପରେ କଳା ବାଦଲ ଛାଇ ରହିଛି। ଭାରତ ଏଥିରୁ ବର୍ତିପାରିବ ନାହିଁ। ରାଜ୍ୟଗୁଡ଼ିକ ଯେଭଳି ଅତ୍ୟଧିକ ବ୍ୟୟ ନକରନ୍ତି ତାହା ଉପରେ ଲଗାମ ରଖିବା ଲାଗି ଏଫ୍‌ଆର୍‌ବିଏମ୍ ନିୟମ ୨୦୦୩ ଘୋଷଣା କରାଯାଇଛି। କିନ୍ତୁ, ପ୍ରାକୃତିକ ବିପର୍ଯ୍ୟୟ ଭଳି ବ୍ୟତିକ୍ରମ ମାମଲା ବେଳେ ଅଧିକ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି। ବ୍ୟୟରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସ୍ବାଧୀନତା ଦେବା ଦରକାର। ଯଦି ଏଭଳି ସ୍ଥିତି ଅଧିକ ଦିନ ରହିବ ତେବେ ଦରଦାମ ବୃଦ୍ଧି ଭଳି ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ପରିସ୍ଥିତିରେ ସରକାର ବୃହତ ପ୍ୟାକେଜ୍ ଘୋଷଣା କରିବା ଦରକାର ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ମୁକାବିଲା ଲାଗି ଭାରତ ସରକାର ଗତ ମାର୍ଚ୍ଚ ମାସରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଏହା ପରଠାରୁ ଦ୍ବିତୀୟ ପ୍ୟାକେଜ୍‌ ପ୍ରସ୍ତୁତ ହେଉଛି ବୋଲି କେବଳ ଖବର ଆସୁଛି।

ସମ୍ବନ୍ଧିତ ଖବର