ନୂଆଦିଲ୍ଲୀ: ଦେଶରେ ଜିଏସ୍‌ଟି ୨.୦ କାର୍ଯ୍ୟକାରୀ ହେବା ପରେ ପ୍ରାରମ୍ଭିକ କିଛିମାସ ପାଇଁ ଏ ବାବଦ ରାଜସ୍ବ କମିବ। କିନ୍ତୁ ଟିକସ ହ୍ରାସ କାରଣରୁ ପାର୍ବଣରେ ଲୋକଙ୍କ ଚାହିଦା ବୃଦ୍ଧି ପାଇବ। ଏଥିଯୋଗୁ ବିକ୍ରି ମଧ୍ୟ ବଢ଼ିବ ବୋଲି କେନ୍ଦ୍ରୀୟ ପରୋକ୍ଷ କର ବୋର୍ଡ (ସିବିଆଇସି) ମୁଖ୍ୟ ସଞ୍ଜୟ କୁମାର ଅଗରୱାଲ କହିଛନ୍ତି। ଏଥିସହିତ ଦେଶରେ ନୂଆ ଜିଏସ୍‌ଟି ବ୍ୟବସ୍ଥା ଯେଭଳି ସୁରୁଖୁରୁରେ କାର୍ଯ୍ୟକାରୀ ହେବ ତାହା ଉପରେ ଜିଏସ୍‌ଟି ବିଭାଗ କାର୍ଯ୍ୟ କରୁଛି। ସୂଚନା ପ୍ରଯୁକ୍ତି ବ୍ୟବସ୍ଥାରେ ଏଥିପାଇଁ ଆବଶ୍ୟକ ପରିବର୍ତ୍ତନ ଲାଗି ଶିଳ୍ପ ଓ ଅନ୍ୟ ଅଂଶୀଦାରମାନଙ୍କ ସହ ମିଶି କାର୍ଯ୍ୟ ଚାଲିଛି ବୋଲି ଶ୍ରୀ ଅଗରୱାଲ କହିଛନ୍ତି। ବିନା ଅସୁବିଧାରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। 

Advertisment

ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ଶିଳ୍ପ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ନିକଟରେ ଦୁଇ ସପ୍ତାହର ସମୟ ରହିଛି ବୋଲି ସେ କହିଛନ୍ତି। ନୂଆ ବ୍ୟବସ୍ଥାରେ ଦୁଇଟି ପ୍ରଧାନ ହାର ବା ୫ ଏବଂ ୧୮ ପ୍ରତିଶତରେ ଜିଏସ୍‌ଟି ଆଦାୟ ହେବ। ଏହାବ୍ୟତୀତ ହାନିକାରକ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତର ଏକ ନୂଆ ହାରରେ ଜିଏସ୍‌ଟି ଆଦାୟ କରାଯିବ। ଜିଏସ୍‌ଟି ହାରରେ ସଂଶୋଧନ ଦ୍ବାରା ରାଜକୋଷକୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ହେବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। କିନ୍ତୁ ସରକାରଙ୍କ ଆକଳନ ଅନୁଯାୟୀ ରାଜସ୍ବ ହ୍ରାସ ୪୮ ହଜାର କୋଟି ଟଙ୍କାରେ ରହିବ। ଜିଏସ୍‌ଟି ହ୍ରାସ ଫଳରେ ଲୋକଙ୍କ ଖର୍ଚ୍ଚ ବଢ଼ିବ ଏବଂ ମୁଦ୍ରାସ୍ଫୀତି ହ୍ରାସ ପାଇବ। ସିଟି ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଯଦି ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚେ ତା’ହେଲେ ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ ୧.୧ ପ୍ରତିଶତ କମିବ।