ନୂଆଦିଲ୍ଲୀ: ଯୁଦ୍ଧ ଭଳି ଏକ ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ପାକିସ୍ତାନକୁ ଋଣ ମଞ୍ଜୁର କରି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ବିବାଦୀୟ ହୋଇପଡ଼ିଛି। ଏହାର କାର୍ଯ୍ୟଶୈଳୀ ଓ ନିଷ୍ପତ୍ତି ବ୍ୟବସ୍ଥାରେ ତୁରନ୍ତ ସଂସ୍କାର ଆଣିବାକୁ ବିଶେଷଜ୍ଞମାନେ ଦାବି କରିଛନ୍ତି। ପାକିସ୍ତାନକୁ ବାରମ୍ବାର ପୁନରୁଦ୍ଧାର ପ୍ୟା‌କେଜ୍ ମଞ୍ଜୁର କରିବାର କ’ଣ ଲାଭ ମିଳୁଛି ତାହା ଆଇଏମ୍‌ଏଫ୍ ଜାଣିବାକୁ ପ୍ରୟାସ କରିବା ଦରକାର। ଭାରତୀୟ ଅଧିକାରୀମ‌ାନେ ମଧ୍ୟ ଆଇଏମ୍ଏଫ୍‌ କର୍ମଚାରୀମାନଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରିବାର ଆବଶ୍ୟକତା ରହିଛି। 

Advertisment

ପାକିସ୍ତାନକୁ ଦିଆଯାଉଥିବା ପାଣ୍ଠିକୁ ତାହା ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରୁଥିବା ନେଇ ଭାରତ ଅଭିଯୋଗ କରୁଛି। ସେଥିରେ କ’ଣ ସତ୍ୟତା ରହିଛି ତାହା ଜାଣିବା ଲାଗି ଆଇଏମ୍ଏଫ୍ ଉଦ୍ୟମ କରିବା ଉଚିତ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜାତୀୟ ପରିସଂଖ୍ୟାନ ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରଣବ ସେନ୍ କହିଛନ୍ତି ଯେ ଯେତେବେଳେ କୌଣସି ଦେଶକୁ ଆଇଏମ୍ଏଫ୍ ପାଣ୍ଠି ମଞ୍ଜୁର କରେ, ତା ସହିତ କିଛି ସର୍ତ୍ତ ରହିଥାଏ। ସେହି ସର୍ତ୍ତ ପାଳନ କରିବା ପରେ ହିଁ ପରବର୍ତ୍ତୀ କିସ୍ତି ମିଳିଥାଏ। ପାକିସ୍ତାନକୁ ପାଣ୍ଠି ଦେବା ପ୍ରସ୍ତାବକୁ ଭାରତ ବିରୋଧ ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି। ଆଇଏମ୍ଏଫ୍‌ରେ ଆମେରିକାରେ ବହୁତ ପ୍ରଭାବ ରହିଛି। ତେଣୁ ପାକିସ୍ତାନକୁ ଆମେରିକା କେଉଁ ଭଳି ଭାବେ ଦେଖୁଛି, ତାହା ଉପରେ ତାକୁ ପାଣ୍ଠି ମିଳିବା ନିର୍ଭର କରିବ। ମାଡ୍ରାସ୍‌ ସ୍କୁଲ୍ ଅଫ୍ ଇକୋନମିକ୍ସର ନିର୍ଦ୍ଦେଶକ ଏନ୍ ଆର୍‌ ଭାନୁମୂର୍ତ୍ତି କହିଛନ୍ତି ଯେ ଆଇଏମ୍ଏଫ୍‌ର ପାଣ୍ଠି ଦେବା ବ୍ୟବସ୍ଥାରେ ସଂସ୍କାର ଆଣିବାର ଏହା ହେଉଛି ସବୁଠୁ ଉପଯୁକ୍ତ ସମୟ। ପୁନରୁଦ୍ଧାର କାର୍ଯ୍ୟକ୍ରମ କେତେ ପ୍ରଭାବଶାଳୀ ତାହାର ପୂର୍ଣ୍ଣ ସମୀକ୍ଷାର ଆବଶ୍ୟକତା ରହିଛି। ୨୦୨୩ରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି୨୦ ବୈଠକରେ ଏହା ଉପରେ ବ୍ୟାପକ ଆଲୋଚନା ହୋଇଥିଲା।

୩୫ ବର୍ଷରେ ପାକିସ୍ତାନକୁ ୨୮ ଥର ପାଣ୍ଠି
ଭାରତ ସରକାର ଆଇଏମ୍ଏଫ୍‌କୁ ଜଣାଇଛନ୍ତି ଯେ ୧୯୮୯ ପରଠାରୁ ଗତ ୩୫ ବର୍ଷ ମଧ୍ୟରେ ୨୮ ବର୍ଷ ଆଇଏମ୍‌ଏଫ୍‌ ପାକିସ୍ତାନକୁ ପାଣ୍ଠି ଦେଇଛି। କେବଳ ଗତ ପାଞ୍ଚ ବର୍ଷରେ ପାକିସ୍ତାନ ପାଇଁ ୪ ଥର ଆଇଏମ୍ଏଫ୍‌ କାର୍ଯ୍ୟକ୍ରମ ହୋଇଛି। ଗତ ଶୁକ୍ରବାର ଆମେରିକାର ୱାସିଂଟନ୍ ଡିସିରେ ଅନୁଷ୍ଠିତ ଆଇଏମ୍‌ଏଫ୍‌ ବୋର୍ଡ ବୈଠକରେ ପାକିସ୍ତାନକୁ ୧୦୦ କୋଟି ଡଲାର ପୁନରୁଦ୍ଧାର ପ୍ୟାକେଜ୍ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ୧୪୦ କୋଟି ଡଲାର ମଞ୍ଜୁର କରାଯାଇଥିଲା।