ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ବଡ଼ ଫ୍ଲାଟ୍‌ କିଣିବା ଲାଗି ଗ୍ରାହକମାନଙ୍କ ଭିତରେ ପ୍ରତିଯୋଗିତା ଚାଲିଥିଲା। ସେହି ଧାରା କିନ୍ତୁ ବେଶି ଦିନ ବଜାୟ ରହିପାରିଲା ନାହିଁ। ବଡ଼ ଘର ଦାମ୍ ଏତେ ଅଧିକ ହୋଇଯାଇଛି ଯେ ଗ୍ରାହକମାନେ ପୁଣିଥରେ ଛୋଟ ଘର ବା ଫ୍ଲାଟ୍‌ କିଣିବା ଆଡ଼କୁ ମୁହାଇଁଛନ୍ତି। ମ୍ୟାଜିକ୍‌ବ୍ରିକ୍ସର ଏକ ରିପୋର୍ଟ ଅନୁସାରେ ଚଳିତ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ୧ବିଏଚ୍‌କେ ଓ ୨ ବିଏଚ୍‌କେ ଫ୍ଲାଟ୍‌ ଚାହିଦାରେ ୫୪ ପ୍ରତିଶତ ବୃଦ୍ଧି ଘଟିଛି। ସମ୍ପ୍ରତି ସୁଧ ହାର ଉଚ୍ଚା ରହିଥିବାରୁ ଗ୍ରାହକମାନେ କମ୍ ଦାମ୍‌ରେ କିଭଳି ଘର ମିଳିପାରିବ ତାହା ଉପରେ ଅଧିକ ବିଚାର କରୁଛନ୍ତି। ଅଧିକାଂଶ ଗ୍ରାହକମାନଙ୍କ ଲାଗି ଚଢ଼ା ଦରରେ ବଡ଼ ଘର କିଣିବା ସମ୍ଭବ ହେଉନାହିଁ।

Advertisment

ଏହି ତିନି ମାସରେ ଘର ଚାହିଦା ୩.୧ ପ୍ରତିଶତ ବଢ଼ିଛି। କିନ୍ତୁ ଯୋଗାଣରେ ମାତ୍ର ୧ ପ୍ରତିଶତ ବୃଦ୍ଧି ‌ହୋଇଛି। ନୂଆ ଘର ଯୋଗାଣ ୪.୫ ପ୍ରତିଶତ ହ୍ରାସ ପାଇଛି। ଏଥିରୁ ଏହା ଜଣାପଡ଼ୁଛି ଯେ ଅନୁମୋଦନ ମିଳିବା ବିଳମ୍ବ ପାଇଁ ଘର ନିର୍ମାଣ ଖର୍ଚ୍ଚରେ ହେଉଥିବା ବୃଦ୍ଧିକୁ ନେଇ ଡେଭେଲପର୍‌ମାନେ ବେଶ୍ ସତର୍କ ହୋଇପଡ଼ିଛନ୍ତି। ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ପୁଣେ ସବୁଠୁ ଆକର୍ଷଣୀୟ ବଜାର ଭାବେ ଉଭା ହୋଇଛି। ‌ସେଠାରେ ଆବାସିକ ପ୍ରକଳ୍ପ ମୂଲ୍ୟରେ ୪୧.୪ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ମୁମ୍ବାଇ ଓ ଗ୍ରେଟର୍‌ ନୋଏଡ଼ାରେ ଘର ମୂଲ୍ୟରେ ଯଥାକ୍ରମେ ୨୯.୬ ପ୍ରତିଶତ ଓ ୨୭.୩ ପ୍ରତିଶତର ବୃଦ୍ଧି ହୋଇଛି। ବେଙ୍ଗାଲୁରୁରେ ଘର ଦାମ୍ ୩.୯ ପ୍ରତିଶତ ବଢ଼ିଛି। ଚେନ୍ନାଇରେ କିନ୍ତୁ ଘର ଚାହିଦା କମିଥିବା ରିପୋର୍ଟରୁ ଜଣାପଡ଼ିଛି। 

ମ୍ୟାଜିକ୍‌ବ୍ରିକ୍ସର ସିଇଓ ସୁଧୀର ପାଇ କହିଛନ୍ତି ଯେ ଗତ ଜୁଲାଇ-ସେପ୍ଟେମ୍ବରରେ ରିଅଲ ଇଷ୍ଟେଟ୍‌ ଶିଳ୍ପରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗ୍ରାହକମାନେ ସୁଲଭ ବାସଗୃହ ଆଡ଼କୁ ଢଳିଛନ୍ତି। କିନ୍ତୁ ଏବେବି ଉନ୍ନତ ଭିତ୍ତିଭୂମି ଓ ଗ୍ରାହକମାନଙ୍କ ଅଭିଳାଷ ବାସଗୃହ ଚାହିଦାକୁ ଆଗକୁ ବଢ଼ାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଯେଉଁ ଡେଭେଲପରମାନେ ସୁଲଭ ମୂଲ୍ୟରେ ଗ୍ରାହକଙ୍କ ଜୀବନଶୈଳୀକୁ ସୁହାଇବା ଭଳି ଘର ଯୋଗାଇବେ ସେମାନେ ଦୀର୍ଘକାଳୀନ ଅଭିବୃଦ୍ଧି ହାସଲ କରିପାରିବେ ବୋଲି ସେ କହିଛନ୍ତି।