୨୦୨୫ କିଭଳି ରହିବ?
ଚଳିତ ବର୍ଷଟି ହେବ ନୂଆ ସୁଯୋଗ ଓ ବ୍ୟବସାୟ ଅଭିବୃଦ୍ଧିର ବର୍ଷ। ଓଡ଼ିଶାର ରିଅଲ୍‌ ଇଷ୍ଟେଟ୍‌ ବଜାର ବଦଳୁଛି। ତାହା ଏକ ବିକ୍ରେତା ବଜାରରୁ କ୍ରେତା ବଜାର ଆଡ଼କୁ ଅଗ୍ରସର ହେଉଛି। ଏହି ପରିବର୍ତ୍ତନରେ ଗ୍ରାହକଙ୍କ ଆବଶ୍ୟକତା ବୁଝିବାକୁ ହେବ ଏବଂ ସେହି ଅନୁସାରେ ସମାଧାନ ବିକାଶ କରିବାକୁ ପଡ଼ିବ। ଆଗକୁ ଉଚ୍ଚ ଅଟ୍ଟାଳିକା ଚାହିଦା ବଢ଼ିବ। ଓଡ଼ିଶାର ରିଅଲ ଇଷ୍ଟେଟ୍‌ ବଜାରରେ ନୂଆ ମାନଦଣ୍ଡ ନିର୍ଧାରଣ କରିବାକୁ ହର୍ଷପ୍ରିୟା ଗ୍ରୁପ୍ ପ୍ରତିବଦ୍ଧ ରହିଛି।
ଆପଣଙ୍କ ପାଇଁ ଉଦ୍ୟମିତା ଅର୍ଥ କ’ଣ?
ମୋ ପାଇଁ ଉଦ୍ୟମିତାର ଅର୍ଥ ହେଉଛି ଚିନ୍ତାଧାରାକୁ ବାସ୍ତବତାରେ ପରିଣତ କରିବାର ଏକ କଳା। ଯେଉଁଠାରେ ଲୋକମାନେ ଆହ୍ବାନ ଦେଖନ୍ତି, ସେଠାରେ ସୁଯୋଗ ଦେଖିବା ଏବଂ ସବୁଆଡ଼କୁ ଚିନ୍ତା କରି ରିସ୍କ ନେବା। ଉଦ୍ୟମିତା କେବଳ ବ୍ୟବସାୟ ଆରମ୍ଭ କରିବା ନୁହେଁ। ଏହା ହେଉଛି ନିରନ୍ତର ଭାବେ ନବସୃଜନ କରିବା, ସମସ୍ୟା ସମାଧାନ କରିବା ଏବଂ ଲୋକଙ୍କ ଜୀବନରେ ମୂଲ୍ୟ ଯୋଡ଼ିବା।
ନୂଆପିଢ଼ିର ଉଦ୍ୟୋଗୀଙ୍କ ପାଇଁ ସଫଳତା ମନ୍ତ୍ର କଣ?
ବିନମ୍ର ରୁହନ୍ତୁ ଏବଂ ଉନ୍ନତି ଆଣିବା ଜାରି ରଖନ୍ତୁ। ନୂଆ ଚିନ୍ତାଧାରା, ନୂତନ ପ୍ରଯୁକ୍ତିକୁ ଗ୍ରହଣ କରନ୍ତୁ। ଗ୍ରାହକଙ୍କୁ ବ୍ୟକ୍ତିଗତ ସ୍ତରରେ ବୁଝିବାକୁ ଚେଷ୍ଟା କରନ୍ତୁ। ଗ୍ରାହକ, ପ୍ରତିଦ୍ବନ୍ଦ୍ବୀ ଓ ନିଜ ଟିମ୍‌ଠାରୁ ଶିଖିବାକୁ ଚେଷ୍ଟା କରନ୍ତୁ। ଲକ୍ଷ୍ୟ ଉପରେ ନଜର ରଖନ୍ତୁ ଓ ପରିବର୍ତ୍ତନକୁ ଗ୍ରହଣ କରନ୍ତୁ। ଦୃଢ଼ ଲକ୍ଷ୍ୟ ଆପଣଙ୍କୁ ଆହ୍ବାନ ସାମ୍ନା କରିବାକୁ ଉତ୍ସାହିତ କରିବ। ସଚ୍ଚୋଟତା ସହ ସାଲିସ କରନ୍ତୁ ନାହିଁ। 
ମାନ୍ୟତା କିଭଳି ବ୍ରାଣ୍ଡ୍‌କୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ?
ବଜାରରେ ବ୍ରାଣ୍ଡ୍‌କୁ ଆଗକୁ ବଢ଼ାଇବାରେ ମାନ୍ୟତାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଜିର ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଦୁନିଆରେ ବ୍ରାଣ୍ଡ୍‌ ଦୃଶ୍ୟମାନ ହେବା ଓ ଭରସାଯୋଗ୍ୟ ହେବା ହିଁ ହେଉଛି ସବୁ କିଛି। ଯେତେବେଳେ ବ୍ରାଣ୍ଡ୍‌କୁ ମାନ୍ୟତା ମିଳେ ତାହାର ବିଶ୍ବାସ ଓ ଗ୍ରାହକ ଭରସା ବଢ଼ିଥାଏ। ମାନ୍ୟତା ଲୋକପ୍ରିୟ କରିଥାଏ। ଏହା ଅନ୍ୟମାନଙ୍କଠାରୁ ବ୍ରାଣ୍ଡ୍‌କୁ ଅଲଗା କରିଥାଏ ଏବଂ ଶେଷରେ ଗ୍ରାହକମାନେ ବ୍ରାଣ୍ଡ୍‌କୁ ଭଲ ଭାବେ ମନେ ପକାଇ ପାରନ୍ତି ଓ ତାହାକୁ ଭରସା କରନ୍ତି। 
ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ଉପରେ ଆପଣଙ୍କ ମତ କଣ?
ଏହା ହେଉଛି ଏକ ଚମତ୍କାର ଅଭିଯାନ ଯାହା କେବଳ ବ୍ୟବସାୟ ଉତ୍କର୍ଷକୁ ମାନ୍ୟତା ଦେଉନାହିଁ, ବରଂ ଓଡ଼ିଶାର ଉଦ୍ୟମିତା ଭାବ ଉପରେ ଆଲୋକପାତ କରୁଛି। ଓଡ଼ିଶାରୁ ଜନ୍ମ ହୋଇ ବାହାରେ ନିଜ ଉପସ୍ଥିତିକୁ ସମ୍ପ୍ରସାରଣ କରିଥିବା ବ୍ରାଣ୍ଡ୍‌ ପାଇଁ ଏହା ଗର୍ବର ମୁହୂର୍ତ। ଏହା ପୁରସ୍କାର ମୋ ପାଇଁ ଏଇଥିପାଇଁ ସ୍ବତନ୍ତ୍ର, କାରଣ ଏହା ଓଡ଼ିଶାର ଅର୍ଥନୈତିକ ବିକାଶରେ ଯୋଗଦାନ କରୁଥିବା ବ୍ରାଣ୍ଡ୍‌ଗୁଡ଼ିକର ସଫଳତା ପାଳନ କରୁଛି। ରାଜ୍ୟର ସବୁଠୁ ବିଶ୍ବାସଯୋଗ୍ୟ ଓ ପ୍ରସାରିତ ସମ୍ବାଦପତ୍ର ‘ସମ୍ବାଦ’ ଏହାକୁ ଆୟୋଜନ କରୁଥିବାରୁ ଏହା ବେଶ୍‌ ବିଶ୍ବାସଜନକ ହୋଇପାରିଛି। ଏହି ଅଭିଯାନ ପାଇଁ ମୁଁ ସମ୍ବାଦକୁ ପ୍ରଶଂସା କରୁଛି।