ଭାରତ ନିଜର ତେଲ ଆବଶ୍ୟକତାର ୮୩% ଆମଦାନି ଜରିଆରେ ପୂରଣ କରୁଛି। ତେଣୁ ଆନ୍ତର୍ଜାତିକ ବଜାର ଦର ଉପରେ ପେଟ୍ରୋଲ୍‌ ଓ ଡିଜେଲ ଦର ନିର୍ଭରଶୀଳ। ଅଶୋଧିତ ତେଲ ଯେତିକି ମହଙ୍ଗା ହେବ ପେଟ୍ରୋଲ୍‌ ଓ ଡିଜେଲ ଦର ସେତିକି ବଢ଼ିବ। ଅଶୋଧିତ ତୈଳର ବ୍ୟାରେଲ ପିଛା ଦର ୮୦ ଡଲାରରୁ ଅଧିକ ସ୍ତରରେ ରହିଛି। ୨୦୧୪ରେ ତାହା ୩୦ ଡଲାର ପାଖାପାଖି ଥିଲା। ଭାରତୀୟ ଟଙ୍କାକୁ ଯଦି ହିସାବକୁ ନିଆଯାଏ ତେବେ ଏକ ବ୍ୟାରେଲ ଅଶୋଧିତ ତେଲ କିଣିବା ପାଇଁ ଏବେ ୪୫୧୬ ଟଙ୍କା ପାଖାପାଖି ଗଣିବାକୁ ପଡୁଛି। ୨୦୧୬ରେ ଏହି ଦର ୨୭୯୮ ଟଙ୍କା ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ୨୦୧୭ରେ ତାହା ୩୨୭୦ ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୮ ଆରମ୍ଭରୁ ନିୟମିତ ଭାବେ ଅଶୋଧିତ ତେଲ ଦର ବଢ଼ିଚାଲିଛି। ଏକ ବ୍ୟାରେଲ ହେଉଛି ୧୫୯ ଲିଟର।
ଡଲାର ମୂଲ୍ୟ: ଅଶୋଧିତ ତେଲ କିଣିବା ପାଇଁ ଡଲାରରେ ପେମେଣ୍ଟ୍‌ କରିବାକୁ ପଡୁଛି। ତେଣୁ ଡଲାର ମହଙ୍ଗା ହୋଇଗଲେ ଅଶୋଧିତ ତେଲ ଦର ଭାରତ ପାଇଁ ବଢ଼ିଯାଉଛି। ଏବେ ଟଙ୍କା ତୁଳନାରେ ଡଲାରର ବିନିମୟ ମୂଲ୍ୟ ୬୮ ଟଙ୍କା ପାଖାପାଖି ରହିଛି। ଅର୍ଥାତ ଏକ ଡଲାର କିଣିବା ପାଇଁ ୬୮ ଟଙ୍କା ଗଣିବାକୁ ପଡୁଛି। କିଛି ମାସ ପୂର୍ବରୁ ଏକ ଡଲାର କିଣିବାକୁ ୬୫ ଟଙ୍କା ଗଣିବାକୁ ପଡୁଥିଲା। ପ୍ରତି ଡଲାର ପାଇଁ ଏବେ ଆମଦାନିକାରୀମାନେ ଅଧିକ ତିନି ଟଙ୍କା ଗଣୁଛନ୍ତି।
ଟିକସ: ପେଟ୍ରୋଲ୍‌ ଓ ଡିଜେଲ ଦର ବୃଦ୍ଧିର ଅନ୍ୟ ଏକ କାରଣ ହେଉଛି ଟିକସ। ପେଟ୍ରୋଲ୍‌ର ଲିଟର ପିଛା ଦରରେ ଟିକସର ଭାଗ ହେଉଛି ୫୦%ରୁ ଅଧିକ। ସେହିପରି ଡିଜେଲ ଦରରେ ୪୦%ରୁ ଅଧିକ ହେଉଛି ଟିକସ। ଟିକସ ବସାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୋଟା ଅଙ୍କର ରାଜସ୍ୱ ଆଦାୟ କରୁଛନ୍ତି।