ଘରୋଇ ଏଲ୍‌ପିଜି ଚାହିଦା ବଢ଼ିଛି, ବାଣିଜ୍ୟିକ କମିଛି

ଭୁବନେଶ୍ବର: ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁଁ ଘରୋଇ ଏଲ୍‌ପିଜି ଚାହିଦା ବଢ଼ିଛି, କିନ୍ତୁ ବାଣିଜ୍ୟିକ ଏଲ୍‌ପିଜି ଚାହିଦା ସାଂଘାତିକଭାବେ ହ୍ରାସ ପାଇଛି। ସ୍ବାଭାବିକ ସମୟରେ କମ୍ପାନି ଗୁଡ଼ିକ ରାଜ୍ୟରେ ଦୈନିକ ପ୍ରାୟ ୭ ହଜାରରୁ ୮ ହଜାର ବାଣିଜ୍ୟିକ ଏଲ୍‌ପିଜି ବିକ୍ରି କରୁଥିବାବେଳେ ଏବେ ‌ତାହା ୧୦୦୦କୁ କମିଛି। କେବଳ ଘରୋଇ ଡାକ୍ତରଖାନା ଏବଂ ବେକେରି ଭଳି ସଂସ୍ଥା ବାଣିଜ୍ୟିକ ଏଲ୍‌ପିଜି କ୍ରୟ କରୁଛନ୍ତି।

ଅନ୍ୟପକ୍ଷରେ ଘରୋଇ ଏଲ୍‌ପିଜି ଯୋଗାଣ ତ୍ବରାନ୍ବିତ ହୋଇଛି। ଗ୍ୟାସ ପାଇଁ ବାରମ୍ବାର ବିତରକଙ୍କ ପାଖକୁ ଆଉ ଗ୍ରାହକଙ୍କୁ ଏବେ ଦୌଡ଼ିବାକୁ ପଡ଼ୁନାହିଁ। ବୁକିଂ ହେବାର ୪୮ ଘଣ୍ଟା ଭିତରେ ଗ୍ରାହକଙ୍କୁ ଗ୍ୟାସ୍ ମିଳିଯାଉଛି। କରୋନା ଏବେ ଗ୍ୟାସ୍‌ ଗ୍ରାହକଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଲକ୍‌ଡାଉନ୍ ଯୋଗୁଁ ଗୋଟିଏ ପଟେ ପେଟ୍ରୋଲ ଏବଂ ଡିଜେଲ ଚାହିଦା କମିଯାଇ ଥିବାବେଳେ ଅନ୍ୟପଟେ ଏଲ୍‌ପିଜି ଚାହିଦା ବଢ଼ିଯାଇଛି। ଲକ୍‌ଡାଉନ୍ ଘୋଷଣା‌ ଆରମ୍ଭରେ ଏଲ୍‌ପିଜି ନମିଳିବା ଭୟରେ ଲୋକେ ଅଧିକ ମାତ୍ରାରେ ବୁକିଂ କଲେ। ଫଳରେ ଏଲ୍‌ପିଜି ବୁକିଂ ପ୍ରାୟ ୨୦୦ ପ୍ରତିଶତ ବଢ଼ିଗଲା। କିନ୍ତୁ ଏବେ ସେଥିରେ ସ୍ବାଭାବିକତା ଫେରିଛି। କରୋନା ଆରମ୍ଭରେ ଅତ୍ୟଧିକ ବୁକିଂ ହୋଇଥିବା ଯୋଗୁ ଏବେ ବୁକିଂ ସଂଖ୍ୟା କମିଯାଇଛି ବୋଲି କେତେକ ଗ୍ୟାସ ବିତରକ ମତ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୩ଟି ଯାକ ସରକାରୀ ତେଲ କମ୍ପାନିର ୫ଟି ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ ଅଛି। ସେହି ପ୍ଲାଣ୍ଟରୁ କମ୍ପାନି ଗୁଡ଼ିକ ରାଜ୍ୟର ପ୍ରାୟ ୯୪୦ ଜଣ ବିତରକଙ୍କ ନିକଟକୁ ଏଲ୍‌ପିଜି ପଠାଇଥାନ୍ତି।

ସ୍ବାଭାବିକ ସମୟରେ ଏହି ପ୍ଲାଣ୍ଟ୍‌ଗୁଡ଼ିକରୁ ଦୈନିକ ୧ ଲକ୍ଷ ୬୦ ହଜାରରୁ ୧ ଲକ୍ଷ ୭୦ ହଜାର ପର୍ଯ୍ୟନ୍ତ ଏଲ୍‌ପିଜି ବଟ୍‌ଲିଂ ହୋଇଥାଏ। କିନ୍ତୁ ଏବେ ଦୈନିକ ବଟ୍‌ଲିଂ ସଂଖ୍ୟା ୧ ଲକ୍ଷ ୮୦ ହଜାର ୟୁନିଟ୍‌କୁ ବୃଦ୍ଧି ପାଇଛି ବୋଲି ତୈଳ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ରାଜ୍ୟର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ୩ ବର୍ଷ ତଳୁ ପ୍ଲାଣ୍ଟ ଗୁଡ଼ିକର ଉତ୍ପାଦନ କ୍ଷମତାକୁ ସମ୍ପ୍ରସାରଣ କରାଯାଇଥିଲା। ପ୍ଲାଣ୍ଟଗୁଡ଼ିକର ଦୈନିକ ଉତ୍ପାଦନ କ୍ଷମତା ଏବେ ୨ ଲକ୍ଷ ୨୫ ହଜାର ୟୁନିଟ୍‌ ରହିଛି। ରାଜ୍ୟରେ ଏବେ ପ୍ରାୟ ୮୮ ଲକ୍ଷ ଏଲ୍‌ପିଜି ଗ୍ରାହକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଲକ୍ଷ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀ ହୋଇଥିବାବେଳେ ଅବଶିଷ୍ଟ ୪୧ ଲକ୍ଷ ହେଉଛନ୍ତି ସାଧାରଣ ଗ୍ରାହକ। ସରକାର କରୋନା ପାଇଁ ଉଜ୍ଜ୍ବଳା ଯୋଜନାର ହିତାଧିକାରୀମାନଙ୍କୁ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ୩ ମାସ ପାଇଁ ମାଗଣା ଏଲ୍‌ପିଜି ପ୍ରଦାନ ‌ଘୋଷଣା କରିଛନ୍ତି। ସେଥିପାଇଁ ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି। ସେହି ଅର୍ଥ ପାଇବା ପରେ ହିତାଧିକାରୀମାନେ ଗ୍ୟାସ୍ ପାଇ ପାରୁଛନ୍ତି। କିନ୍ତୁ ପ୍ରଥମ ମାସରେ ଏପର୍ଯ୍ୟନ୍ତ ୪୫ ଲକ୍ଷ ଗ୍ରାହକଙ୍କୁ ଏଲ୍‌ପିଜି ପ୍ରଦାନ କରାଯାଇଛି। ଆଉ ୨ ଲକ୍ଷ ହିତାଧିକାରୀଙ୍କୁ ଏଲ୍‌ପିଜି ପ୍ରଦାନ କରାଯାଇ ପାରିନାହିଁ। ଏହାର କାରଣ ହେଲା ସେହିସବୁ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସକ୍ରିୟ ନାହିଁ। ତେଣୁ ସେସବୁ ହିତାଧିକାରୀଙ୍କ ନାମ ତୈଳ କମ୍ପାନି ଗୁଡ଼ିକ ଏଲ୍‌ପିଜି ବିତରକମାନଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କୁ ଖୋଜି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସକ୍ରିୟ କରିଲେ ସେମାନଙ୍କୁ ଏଲ୍‌ପିଜି ଦିଆଯାଇପାରିବ ବୋଲି ଅଧିକାରୀ ଜଣକ କହିଛନ୍ତି। ଅଧିକାରୀଙ୍କ କହିବାନୁଯାୟୀ, ଗତବର୍ଷ ଏପ୍ରିଲରେ ରାଜ୍ୟରେ ଦୈନିକ ପ୍ରାୟ ୮୦ ହଜାର ଗ୍ରାହକଙ୍କୁ ଏଲ୍‌ପିଜି ମିଳୁଥିଲା। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୧ ଲକ୍ଷ ୮୦ ହଜାରକୁ ବୃଦ୍ଧି ପାଇଛି। ଅର୍ଥାତ୍ ଗତବର୍ଷ ଏପ୍ରିଲ ତୁଳନାରେ ଏଲ୍‌ପିଜି ବ୍ୟବହାର ୧୧୦%ରୁ ଅଧିକ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର