ମୁମ୍ବାଇ: ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍‌ ସୁନା ବଜାର। ଚୀନ୍‌ ପରେ ଭାରତରେ ସବୁଠୁ ଅଧିକ ସୁନା ବିକ୍ରି ହୋଇଥାଏ। କିନ୍ତୁ ଭାରତୀୟ ଗ୍ରାହକଙ୍କ ନିକଟରେ ସୁନା ଏହାର ଚମକ ହରାଇଛି। ଭାରତରେ ଚଳିତବର୍ଷ ସୁନା ଚାହିଦା ଯେଉଁ ସ୍ତରରେ ରହିବ ବୋଲି ଅନୁମାନ କରାଯାଉଛି ତାହା ଗତ ୮ ବର୍ଷର ସର୍ବନିମ୍ନ ସ୍ତର ହେବ ବୋଲି କୁହାଯାଉଛି। ଭାରତରେ ସୁନା ଚାହିଦା ହ୍ରାସ ପାଇବାର ଦୁଇଟି କାରଣ ରହିଛି ବୋଲି ଓ୍ଵାର୍ଲଡ ଗୋଲ୍‌ଡ କାଉନ୍‌ସିଲ୍‌ (ଡବ୍‌ଲ୍ୟୁଜିସି) ପକ୍ଷରୁ କୁହାଯାଇଛି। । ସେଗୁଡ଼ିକ ମଧ୍ୟରୁ ଗୋଟିଏ କାରଣ ହେଲା ଭାରତରେ ସୁନା ବ୍ୟବସାୟରେ ସ୍ୱଚ୍ଛତା ଆଣିବା ଲାଗି ସରକାର ନେଇଥିବା ପଦକ୍ଷେପ। ଦ୍ୱିତୀୟ କାରଣଟି ହେଲା ଗ୍ରାମାଞ୍ଚଳର ଅନେକ ସ୍ଥାନରେ ସୁନା ଚାହିଦା ଚଳିତବର୍ଷ କେତୋଟି କାରଣରୁ ହ୍ରାସ ପାଇଛି। ୨୦୧୭ରେ ଭାରତରେ ସୁନା ଚାହିଦା ପ୍ରାୟ ୬୫୦ ଟନରେ ରହିବ ବୋଲି ଆକଳନ କରାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଭାରତର ବାର୍ଷିକ ହାରାହାରି ସୁନା ଚାହିଦା ୮୪୫ ଟନ୍‌ ଥିବାବେଳେ ଚଳିତବର୍ଷ ଏହା ୬୫୦ ଟନ୍‌କୁ କମିଯିବ ବୋଲି ଡବ୍‌ଲ୍ୟୁଜିସି (ଇଣ୍ଡିଆ ଅପରେସନ୍ସ)ର ଏମ୍‌ଡି ସୋମାସୁନ୍ଦରମ୍‌ ପି.ଆର. କହିଛନ୍ତି।୨୦୧୬ରେ ଭାରତରେ ସୁନାର ଚାହିଦା ୬୬୬.୧ ଟନ୍‌ ରହିଥିଲା। ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ସୁନା ଚାହିଦା ଗତବର୍ଷର ଉପରୋକ୍ତ ତ୍ରୟମାସ ତୁଳନାରେ ୨୪ ପ୍ରତିଶତ ହ୍ରାସ ଘଟି ୧୪୫.୯ ଟନ୍‌ରେ ରହିଛି। ଜିଏସ୍‌ଟି ଲାଗୁ ହେବା ସହିତ ଆଣ୍ଟି ମନି ଲଣ୍ଡରିଂ ଆଇନ ଲାଗୁ ହେବା ଦ୍ୱାରା ସୁନା କ୍ରୟ ବାଧାପ୍ରାପ୍ତ ହୋଇଛି। କିନ୍ତୁ ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ବାହାଘର ଋତୁ ଆରମ୍ଭ ହୋଇଯାଇଥିବାରୁ ସୁନା କ୍ରୟ ଅଧିକ ରହିବ ବୋଲି କୁହାଯାଉଛି। ଗ୍ରାମାଞ୍ଚଳରେ ଲୋକମାନେ ସୁନା କ୍ରୟକୁ ସମ୍ପତ୍ତି ଠୁଳର ଏକ ପ୍ରମୁଖ ମାଧ୍ୟମ ଭାବେ ବିଚାର କରିଥାନ୍ତି। ଏଥିଯୋଗୁଁ ଦେଶରେ ବର୍ଷକୁ ଯେତିକି ସୁନା ବିକ୍ରି ହୋଇଥାଏ ତାହାର ଦୁଇ ତୃତୀୟାଂଶ ଗ୍ରାମାଞ୍ଚଳରୁ ହିଁ ଆସିଥାଏ। ଏତଦବ୍ୟତୀତ ଏହି ତ୍ରୟମାସରେ ଦୀପାବଳି ଓ ଧନତେରସ୍‌ ପାଳନ ହେଉଥିବାରୁ ଲୋକମାନେ ଅଧିକ ମାତ୍ରାରେ ସୁନା କିଣିଥାନ୍ତି। କିନ୍ତୁ ଚଳିତବର୍ଷ ଗ୍ରାମାଞ୍ଚଳରେ ମୌସୁମୀ ବର୍ଷା ବିକ୍ଷିପ୍ତ ମାତ୍ରାରେ ହୋଇଥିବାରୁ ଗ୍ରାମାଞ୍ଚଳର ସବୁ ସ୍ଥାନରୁ ସୁନା ଚାହିଦା ସମାନ ରହିବ ନାହିଁ ବୋଲି କୁହାଯାଉଛି।