ଭୁବନେଶ୍ବର: ବ୍ୟକ୍ତିତ୍ବ ବିକାଶରେ ପୋଷାକ ଭଳି ହାତଘଣ୍ଟା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ପୁରୁଷଙ୍କ କ୍ଷେତ୍ରରେ ଏହା ଏକ ଗହଣା ସଦୃଶ କାର୍ଯ୍ୟ କରେ। ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ଓ ଶିଶୁଙ୍କ ପର୍ଯ୍ୟନ୍ତ ସବୁ ବୟସ ବର୍ଗର ଲୋକମାନଙ୍କର ହାତଘଣ୍ଟା ପ୍ରତି ଦୁର୍ବଳତା ରହିଛି। ୨୦୧୯ରେ ଦେଶରେ ୧୧,୪୮୩ କୋଟି ଟଙ୍କା ମୂଲ୍ୟର ହାତଘଣ୍ଟା ବିକ୍ରି ହୋଇଥିଲା। ୨୦୨୦ରେ ଏହି ବଜାର ୧୫ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଥିଲା। ମାତ୍ର କୋଭିଡ୍-୧୯ ମହାମାରୀ ପ୍ରଭାବ ଯୋଗୁଁ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି। ଦେଶରେ ୫୦୦ ଟଙ୍କାରୁ ଆରମ୍ଭ କରି ୫୦୦୦ ଟଙ୍କା ମୂଲ୍ୟ ମଧ୍ୟରେ ରହୁଥିବା ହାତଘଣ୍ଟା ଅଧିକ ବିକ୍ରି ହେଉଛି। ଓଡ଼ିଶାରେ ମଧ୍ୟ ଏହାର ବହୁତ ବଡ଼ ବଜାର ରହିଛି। ଟାଇଟାନ୍, ଟାଇମେକ୍ସ, କ୍ୟାସିଓ, ଫାଷ୍ଟ୍ଟ୍ରାକ୍ ଭଳି ସଂସ୍ଥା ଲୋକମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ। ବିଳାସପୂର୍ଣ୍ଣ ହାତଘଣ୍ଟା ପାଇଁ ମଧ୍ୟ ଓଡ଼ିଶାରେ ଏକ ବଡ଼ ବଜାର ରହିଛି। ବଡ଼ ବଡ଼ ମଲ୍ରେ ବିଭିନ୍ନ ପ୍ରତିଷ୍ଠିତ ବ୍ରାଣ୍ଡ୍ର ସ୍ବତନ୍ତ୍ର ଷ୍ଟୋର୍ ଥିବା ବେଳେ ବାହାରେ ମଧ୍ୟ ବଡ଼ ସୋ’ରୁମ୍ ସ୍ଥାପନ କରାଯାଇଛି। ସୁନା ଗହଣା ଦୋକାନରେ ମଧ୍ୟ ପ୍ରିମିୟମ୍ ହାତଘଣ୍ଟା ବିକ୍ରି ହେଉଛି। ସଂଗଠିତ ବଜାର ବ୍ୟତୀତ ଅନେକ ଛୋଟ ଦୋକାନରେ ମଧ୍ୟ ବିଭିନ୍ନ ବ୍ରାଣ୍ଡ୍ ଉପଲବ୍ଧ ହେବା ସହ ଗ୍ରହଣୀୟ ହୋଇଛି। ଫିଟ୍ନେସ୍ ଟ୍ରାକର୍ ଓ ସ୍ମାର୍ଟ ୱାଚ୍ ଆସିବା ପରେ ଧାତବ ଏବଂ ପ୍ଲାଷ୍ଟିକ୍ ଆଦିରେ ତିଆରି ହାତଘଣ୍ଟା ଚମକ ହରାଇବ ବୋଲି ପୂର୍ବାନୁମାନ କରାଯାଇଥିଲା। ମାତ୍ର ତାହା ଭୁଲ ପ୍ରମାଣିତ ହୋଇଛି। ଧାତବ ଏବଂ ପ୍ଲାଷ୍ଟିକ୍ ହାତଘଣ୍ଟାର ଚମକ ଫିକା ପଡ଼ିନାହିଁ। ଏକ ଆକଳନରୁ ଜଣାପଡ଼ିଛି ଯେ ବଜାରରେ ବିକ୍ରି ହେଉଥିବା ୫୦% ହାତଘଣ୍ଟାକୁ ଲୋକମାନେ କର୍ପୋରଟ୍, ନବବିବାହିତ ଓ ସମ୍ପର୍କୀୟଙ୍କୁ ଉପହାର ଦେବା ଲାଗି କିଣୁଛନ୍ତି। ହାତଘଣ୍ଟା କିଣିବା ବେଳେ କେତେକ ଜିନିଷ ମନେ ରଖିବା ଦରକାର। ଯେଭଳିକି ଆପଣ କ୍ବାର୍ଚ, ଅଟୋମେଟିକ୍ ନା ହାଣ୍ଡ୍ ଡ୍ରିଭେନ୍ ଘଣ୍ଟା କିଣୁଛନ୍ତି। ଘଣ୍ଟାର ଡିସ୍ପ୍ଲେ ଆନାଲଗ୍ ନା ଡିଜିଟାଲ୍। ହାତଘଣ୍ଟାରେ ବିଭିନ୍ନ ରଙ୍ଗର ଡାଏଲ୍ ଓ ବିଭିନ୍ନ ରଙ୍ଗର ବ୍ୟାଣ୍ଡ୍ ମଧ୍ୟ ଆସୁଛି। ଅନ୍ଲାଇନ୍ରେ ୩୮ରୁ ଅଧିକ ପ୍ରକାର ରଙ୍ଗର ଘଣ୍ଟା ବିକ୍ରି ହେଉଛି। ଅନ୍ଲାଇନ୍ରେ ଶତାଧିକ ବ୍ରାଣ୍ଡ୍ର ହାତ ଘଣ୍ଟା ରହିିଛି ଯାହାର ମୂଳ୍ୟ ୨୧୦ ଟଙ୍କାରୁ ଆରମ୍ଭ।
ବଜାରରେ ଶହ ଶହ ବ୍ରାଣ୍ଡ୍
ହାତଘଣ୍ଟା ବଜାର ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ। ଷ୍ଟୋର୍ ମାଧ୍ୟମରେ କିଛି ବ୍ରାଣ୍ଡ୍ ବିକ୍ରି ହେଉଥିବା ବେଳେ ଅନ୍ଲାଇନ୍ରେ ଶହ ଶହ ବ୍ରାଣ୍ଡ୍ର ହାତଘଣ୍ଟା ବିକ୍ରି ହେଉଛି। ଅନ୍ଲାଇନ୍ରେ ଗ୍ରାହକମାନେ ଫାଷ୍ଟଟ୍ରାକ୍, ଟାଇଟାନ୍, ଟାଇମେକ୍ସ, କ୍ୟାସିଓ, ସୋନାଟା, ରିଡକ୍ସ, କ୍ୟାସିଓ, ଫସିଲ୍, ଏସ୍ପୟର, ଡିକୋଡ୍, ଅର୍ମାଡୋ, ଲାଇମ୍ଷ୍ଟୋନ୍, କାସେରା, ରେଲିସ୍, ଇମ୍ପରିଆଲ୍ କ୍ଲବ୍, ମାଷ୍ଟେର୍ଣ୍ଣା, ସେରୋ, ଆଡାମୋ, ଏମ୍ପାସି, ଅର୍ମାନି, ରୟାଲ୍ ଷ୍ଟେପ୍, ସେଇକୋ, ଏମ୍ପେରିଓ ଅର୍ମାନି, ଏଆଣ୍ଡଏକ୍ସ, ସିଟିଜେନ୍, ଗେସ୍, ଡାନିଏଲ୍ କ୍ଲେନ୍, ସ୍କାଜେନ୍, ଡିଜେଲ୍, ଟମି ହିଲ୍ଫାଇଜର୍, ଏସ୍କର୍ଟ, ହୁଗୋ, ୟୁଏସ୍ ପୋଲୋ ଆସୋସିଏସନ୍, ନୌଟିକା ଭଳି ଅନେକ ବ୍ରାଣ୍ଡ୍ ରହିଛି। ଏଗୁଡ଼ିକ ମଧ୍ୟରୁ ଅନେକ ପ୍ରିମିୟମ୍ ବ୍ରାଣ୍ଡ୍ ହୋଇଥିବା ବେଳେ ସୋନାଟା ଭଳି ବ୍ରାଣ୍ଡ୍ର ହାତଘଣ୍ଟା ୫୦୦ ଟଙ୍କା କମ୍ ଭଳି କମ୍ରେ ମଧ୍ୟ ମିଳୁଛି।
ଅନ୍ଲାଇନ୍ରେ ୨୫୦ ଟଙ୍କାରେ ମିଳୁଛି
ଅନ୍ଲାଇନ୍ରେ ଗ୍ରାହକମାନେ ୨୦୦ ଟଙ୍କା ଭଳି କମ୍ ଦାମ୍ର ଘଣ୍ଟା କିଣିବାର ସୁଯୋଗ ପାଇବେ। ଅନେକ ଅଜଣା ବ୍ରାଣ୍ଡ୍ର ଶହ ଶହ ହାତଘଣ୍ଟା ୫୦୦ ଟଙ୍କାରୁ କମ୍ ଦାମ୍ରେ ଉପଲବ୍ଧ ହେଉଛି। କିନ୍ତୁ ସେଗୁଡ଼ିକର ପ୍ରଦର୍ଶନ ଏବଂ ଦୀର୍ଘସ୍ଥାୟିତ୍ବ ଉପରେ ସବୁ ବେଳେ ପ୍ରଶ୍ନ ଚିହ୍ନ ରହିଥାଏ। ଏକ ହଜାର ଟଙ୍କାରୁ ଆରମ୍ଭ କରି ଅଢ଼େଇ ହଜାର ଟଙ୍କା ଦାମ୍ରେ ଅନେକ ପ୍ରତିଷ୍ଠିତ ବ୍ରାଣ୍ଡ୍ର ହାତଘଣ୍ଟା ମିଳୁଛି ଯାହାକୁ କର୍ମଜୀବୀ ବର୍ଗ ବହୁତ ପସନ୍ଦ କରୁଛନ୍ତି। ଅନଲାଇନ୍ ଓ ଷ୍ଟୋର୍ଗୁଡ଼ିକରେ ସାଢ଼େ ତିନି ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ହାତଘଣ୍ଟା ମଧ୍ୟ ବିକ୍ରି ହେଉଛି।
ଷ୍ଟାଇଲ୍:ବଜାରରେ କାଜୁଆଲ୍, ଡ୍ରେସ୍, ଫେସନ୍, ଲକ୍ଜୁରି, ସ୍ପୋର୍ଟସ୍ ଏବଂ ବିବାହ ଉତ୍ସବରେ ପିନ୍ଧିବା ଲାଗି ସ୍ବତନ୍ତ୍ର ପ୍ରକାର ହାତଘଣ୍ଟା ବିକ୍ରି ହେଉଛି।
ବ୍ୟାଣ୍ଡ୍ ୱିଡ୍ଥ:୯ ଏମ୍ଏମ୍ ପର୍ଯ୍ୟନ୍ତ ଠାରୁ ଆରମ୍ଭ କରି ୪୦ ଏମ୍ଏମ୍ ଏବଂ ତା’ଠାରୁ ଅଧିକ ବ୍ୟାଣ୍ଡ୍ୱିଡ୍ଥର ହାତଘଣ୍ଟା ବଜାରରେ ରହିଛି।
କେସ୍ର ଆକୃତି:ଗୋଲାକାର, ଚର୍ତୁଭୂଜାକାର, ଓଭାଲ୍, ଆସିମେଟ୍ରିକାଲ୍, ଟୋନେଉ ଭଳି ବିଭିନ୍ନ ଆକୃତିର ମଧ୍ୟରୁ ଗ୍ରାହକମାନେ ନିଜ ପସନ୍ଦର ହାତଘଣ୍ଟା ଚୟନ କରିପାରିବେ। ହାତଘଣ୍ଟା କେସ୍କୁ ତମ୍ବା, ପ୍ଲାଷ୍ଟିକ୍, ରବର୍, ରୁପା ଏବଂ ଷ୍ଟେନ୍ଲେସ୍ ଷ୍ଟିଲ୍ ଆଦି ପଦାର୍ଥରେ ତିଆରି କରାଯାଉଛି।
ଅନେକ ପ୍ରକାର ବ୍ୟାଣ୍ଡ୍:ବଜାରରେ ସେରାମିକ୍, ଚମଡ଼ା, ପ୍ଲାଷ୍ଟିକ୍, ନାଇଲନ୍, ରବର୍, ସିଲିକନ୍, ଷ୍ଟେନ୍ଲେସ୍ ଷ୍ଟିଲ୍ ଓ ସିନ୍ଥେଟିକ୍ ବ୍ୟାଣ୍ଡ୍ ଥିବା ହାତଘଣ୍ଟା ମିଳୁଛି।
ଡିସ୍ପ୍ଲେ:ହାତଘଣ୍ଟାର ଡିସ୍ପ୍ଲେରେ ଗ୍ରାହକମାନେ ପାଇବେ ଆନାଲଗ୍, ଡିଜିଟାଲ୍, ଡିଜିଟାଲ୍-ଆନାଲଗ୍, ମଲ୍ଟି ଡାଏଲ୍ ଓ କ୍ରୋନୋଗ୍ରାଫ୍
ଥିମ୍:ହାତଘଣ୍ଟାଗୁଡ଼ିକ ରଙ୍ଗିନ ଡାଏଲ୍, ଜୁଏଲଡ୍ ୱାଣ୍ଡର୍ସ, ମଲ୍ଟି ଫଙ୍କସନାଲ୍ ଡାଏଲ୍, ଟୋନାଲ୍ ବ୍ୟାଣ୍ଡ୍ ଆଣ୍ଡ୍ ଡାଏଲ୍, ମିନିମାଲିଷ୍ଟ୍ ଡାଏଲ୍ ଏବଂ ଟାଇମ୍ଲେସ୍ ଡାଏଲ୍ ଭଳି ଥିମ୍ରେ ଉପଲବ୍ଧ ହେଉଛି।
ସୁବିଧା ସୁଯୋଗ:ବଜାରରେ ବିକ୍ରି ହେଉଥିବା ହାତଘଣ୍ଟାଗୁଡ଼ିକରେ ଆଲାର୍ମ କ୍ଲକ୍, କ୍ୟାଣ୍ଡେଲର୍, କ୍ରୋନୋଗ୍ରାଫ୍, ତାରିଖ ଡିସ୍ପ୍ଲେ, ଲୁମିନସ୍ ଏବଂ ୱାଟର୍ ରେଜିଷ୍ଟାନ୍ସ (ଜଳ ପ୍ରତିରୋଧୀ) ସୁବିଧା ରହୁଛି।