ଡିଲର ସୁରକ୍ଷା ଆଇନ ଆଣିବାକୁ ଦାବି, ସରକାରଙ୍କୁ ଗାଡ଼ି ଡିଲର ମହାସଂଘର ନିବେଦନ

ନୂଆଦିଲ୍ଲୀ : ଫୋର୍ଡ ଭାରତରେ ଉତ୍ପାଦନ ବନ୍ଦ କରିବା ବିଷୟରେ ‌ଘୋଷଣା କରିବା ପରେ କଂପାନିର ଡିଲର୍‌ମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ମୋଟା ଅଙ୍କର ନିବେଶ କରି ଡିଲର୍‌ସିପ୍‌ ସ୍ଥାପନ କରିଥିବା ବ୍ୟବସାୟୀମାନେ କୋଟି କୋଟି ଟଙ୍କାର କ୍ଷତି ସହିବେ ବୋଲି ଅନୁମାନ କରାଯାଉଛି। ଏଭଳି ସଙ୍କଟକୁ ଏଡ଼ାଇବା ଲାଗି ଦେଶରେ ‘ଡିଲର ସୁରକ୍ଷା ଆଇନ’ କାର୍ଯ୍ୟକାରୀ କରିବାକୁ ଦାବି ଜୋର ଧରିଛି।

ଡିଲର ସୁରକ୍ଷା ଆଇନ ଆଣିବାକୁ ଗାଡ଼ି ଡିଲର ସଂଘଗୁଡ଼ିକର ମହାସଂଘ (ଫାଡା) ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି। ଫୋର୍ଡ ହଠାତ୍‌ ଉତ୍ପାଦନ ବନ୍ଦ କରିବ ବୋଲି ଘୋଷଣା କରିବା ପରେ ଡିଲର୍‌ମାନେ ଚକିତ ହୋଇପଡ଼ିଛନ୍ତି। କେଉଁଭଳି ଭାବେ ଏହି ସ୍ଥିତିର ମୁକାବିଲା କରାଯିବ ତାହା‌ ସେମାନେ ବୁଝିପାରୁନାହାନ୍ତି। ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି ଯେ ଡିଲର ସୁରକ୍ଷା ଆଇନ ନଥିବାରୁ କାରବାର ବନ୍ଦ କରୁଥିବା କଂପାନି ଡିଲରଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଉନାହାନ୍ତି। ମେକ୍ସିକୋ, ବ୍ରାଜିଲ, ରୁଷିଆ, ଚୀନ୍, ଇଣ୍ଡୋନେସିଆ, ମାଲେସିଆ, ଜାପାନ, ଇଟାଲି, ଅଷ୍ଟ୍ରେଲିଆ ଓ ସ୍ବିଡେନ୍ ଭଳି ଦେଶରେ ଏଭଳି ଆଇନ ରହିଛି। ସେହି ଢାଞ୍ଚାରେ ଭାରତରେ ଏକ ଡିଲର ବା ଫ୍ରାଞ୍ଚାଇଜି ସୁରକ୍ଷା ଆଇନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଗାଡ଼ି ଡିଲରଙ୍କ ପାଇଁ ଫ୍ରାଞ୍ଚାଇଜି ସୁରକ୍ଷା ଆଇନ ଲାଗୁ କରିବାକୁ ୨୦୨୦ ଡିସେମ୍ବରରେ ଏକ ସଂସଦୀୟ କମିଟି ସୁପାରିସ କରିଥିଲା।

ଗତ କିଛି ବର୍ଷ ଭିତରେ ଜେନେରାଲ୍ ମୋଟର୍ସ, ମ୍ୟାନ୍‌ ଟ୍ରକ୍ସ, ହାର୍ଲି ଡେଭିଡ୍‌ସନ୍, ୟୁଏମ୍‌ ଲୋହିଆ ଭଳି କଂପାନି ଭାରତରେ ନିଜ କାରବାରକୁ ହଠାତ୍‌ ବନ୍ଦ କରିବା ବିଷୟରେ ଘୋଷଣା କରିଥିଲେ। ଫୋର୍ଡ ହେଉଛି ପଞ୍ଚମ ବଡ଼ କଂପାନି ଯାହା ଭାରତରେ ଉତ୍ପାଦନ ବନ୍ଦ କରିବାକୁ ଯାଉଛି। ଅନେକ ଛୋଟ ବଡ଼ ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାତା ଡିଲର ନିଯୁକ୍ତ କରି କିଛି ମାସ କାରବାର କରିବା ପରେ ରାତାରାତି ଉଭାନ ହୋଇଯାଇଛନ୍ତି। ଏଭଳି ପରିସ୍ଥିତିରେ ଡିଲରସିପ୍‌ ଖୋଲିବା ଲାଗି କୋଟି କୋଟି ଟଙ୍କା ନିବେଶ କରୁଥିବା ଡିଲର୍‌ଗୁଡ଼ିକ ସଙ୍କଟ ମଧ୍ୟକୁ ଠେଲି ହୋଇଯାଉଛନ୍ତି। ସେମାନେ ଡିଲର୍‌ସିପ୍ ଚଲାଇବା ଲାଗି ବ୍ୟାଙ୍କରୁ ଋଣ ନେଇଥିବା ବେଳେ ଅନେକ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦେଇଛନ୍ତି। ବଡ଼ କଂପାନି ନିଜ କାରବାର ବନ୍ଦ କରିବା ପରେ ଡିଲର୍‌ସିପ୍‌ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଜୀବିକା ହରାଉଛନ୍ତି।

ଭାରତରେ ଫୋର୍ଡର ୧୭୦ ଡିଲର ଅଛନ୍ତି ଯେଉଁମାନେ ୩୯୧ଟି ଆଉଟ୍‌ଲେଟ୍‌ ଖୋଲିଛନ୍ତି। ଡିଲର୍‌ସିପ୍‌ ସ୍ଥାପନ କରିବାରେ ସେମାନେ ୨୦୦୦ କୋଟି ଟଙ୍କାର ନିବେଶ କରିଛନ୍ତି। ଫୋର୍ଡ ପାଇଁ ୪୦୦୦ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଡିଲର୍‌ସିପ୍‌ଗୁଡ଼ିକରେ ୪୦ ହଜାର ଲୋକ ନିଯୁକ୍ତି ପାଇଥିଲେ। ଏବେ ଏହି ସବୁ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ନିକଟରେ ଫୋର୍ଡ ଇଣ୍ଡିଆ ପକ୍ଷରୁ କେତେକ ନୂଆ ଡିଲରଙ୍କୁ ନିଯୁକ୍ତ କରାଯାଇଥିଲା। ସେମାନେ ଅଧିକ କ୍ଷତି ସହିବେ ବୋଲି କୁହାଯାଉଛି। ତେବେ ଡିଲର୍‌ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବ ବୋଲି ଫୋର୍ଡ ଇଣ୍ଡିଆର ଏମ୍‌ଡି ଅନୁରାଗ ମେହରୋତ୍ରା ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଶ୍ରୀ ଗୁଲାଟି କହିଛନ୍ତି। ଫୋର୍ଡ ଡିଲର୍‌ସିପ୍‌ଗୁଡ଼ିକରେ ଏବେ ୧୫୦ କୋଟି ଟଙ୍କା ମୂଲ୍ୟର ୧୦୦୦ ପାଖାପାଖି ଗାଡ଼ି ରହିଛି। ସେମାନେ ବ୍ୟାଙ୍କରୁ ପାଣ୍ଠି ଆଣି ଏହି ଗାଡ଼ିଗୁଡ଼ିକ ମଗାଇଛନ୍ତି।

ସମ୍ବନ୍ଧିତ ଖବର