ବନ୍ଦର ବିଲ୍‌ରେ ରାଜ୍ୟ ସାମୁଦ୍ରିକ ବୋର୍ଡ ସାମିଲ କରିବାକୁ ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର: ଭାରତୀୟ ବନ୍ଦର ବିଲ୍‌ ୨୦୨୧ରେ ରାଜ୍ୟ ମେରିଟାଇମ୍ ବୋର୍ଡକୁ ସାମିଲ କରିବା ଲାଗି ଓଡ଼ିଶା ଦାବି କରିଛି। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କେନ୍ଦ୍ର ବନ୍ଦର ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଏକ ଚିଠି ଲେଖିଛନ୍ତି। ସେ କେନ୍ଦ୍ରକୁ ଅବଗତ କରିଛନ୍ତି ଯେ ଓଡ଼ିଶା ରାଜ୍ୟ ସାମୁଦ୍ରିକ ବୋର୍ଡ ଗଠନ ପ୍ରକ୍ରିୟା ଜାରି ରହିଛି। ଏ ସଂକ୍ରାନ୍ତ ବିଲ୍ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ରହିଛି। ୨୦୨୧ ଫେବ୍ରୁଆରିରେ ବିଧାନସଭାରେ ଏହି ବିଲ୍ ପାସ୍ ହୋଇଥିଲା। ମାତ୍ର କେନ୍ଦ୍ର ସରକାର ଯେଉଁ ନୂଆ ବନ୍ଦର ବିଲ୍ ତିଆରି କରୁଛନ୍ତି ସେଥିରେ ଏଭଳି ବୋର୍ଡ ପାଇଁ କୌଣସି ବ୍ୟବସ୍ଥା ନଥିବା ଜଣାପଡ଼ିଛି। ରାଜ୍ୟ ବୋର୍ଡ ବଦଳରେ କେନ୍ଦ୍ର ସରକାର ନୂଆ ବିଲ୍‌ରେ ସାମୁଦ୍ରିକ ରାଜ୍ୟ ବିକାଶ ପରିଷଦ (ଏମ୍ଏସ୍‌ଡିସି) ଗଠନ କରିବାର ବ୍ୟବସ୍ଥା କରିଛନ୍ତି। ଏହା ଉପରେ ଶ୍ରୀ ବେହେରା ଆପତ୍ତି ଉଠାଇଛନ୍ତି। ଏହା ଦେଶକୁ ଏକ ଦୃଢ଼ ସାମୁଦ୍ରିକ ରାଷ୍ଟ୍ରରେ ପରିଣତ କରିବା ବଦଳରେ ବନ୍ଦର ଭିତ୍ତିକ ବିକାଶକୁ ଅଟକାଇବ। ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ମଧ୍ୟ ଶ୍ରୀ ବେହେରା ଜଣାଇଛନ୍ତି।

ଏମ୍ଏସ୍‌ଡିସି ୧୯୯୭ରୁ ରହିଛି। କିନ୍ତୁ ନୂଆ ବନ୍ଦର ବିଲ୍‌ରେ ଏହାକୁ ବୈଧାନିକ ମାନ୍ୟତା ଦେବା ଲାଗି ବ୍ୟବସ୍ଥା କରାଯାଇଛି। ଏହି ପ୍ରସ୍ତାବକୁ ଯଦିଓ ରାଜ୍ୟ ସ୍ବାଗତ କରୁଛି କିନ୍ତୁ ଜିଏସ୍‌ଟି ପରିଷଦ ଢାଞ୍ଚାରେ ସେଥିରେ ଉପକୂଳ ରାଜ୍ୟଗୁଡ଼ିକର ମନ୍ତ୍ରୀମାନଙ୍କୁ ସାମିଲ କରିବାକୁ ଓଡ଼ିଶା ଦାବି କରିଛି। ତଦନ୍ତ ଓ ଶୁଳ୍କ ନିର୍ଧାରଣ କରିବା ଭଳି କ୍ଷମତା ଏମ୍ଏସ୍‌ଡିସିକୁ ଦେବା ଲାଗି ବିଲ୍‌ରେ ବ୍ୟବସ୍ଥା କରାଯାଇଛି। ମାତ୍ର ଏହାର ଭୂମିକା ପରାମର୍ଶ ଓ ଉପଦେଶ ଭିତରେ ସୀମିତ ରହିଲେ ଭଲ ହେବ ବୋଲି ଶ୍ରୀ ବେହେରା କହିଛନ୍ତି। ତେଣୁ ତରବରିଆ ଭାବେ କୌଣସି ନିଷ୍ପତ୍ତି ନ‌ ନେଇ ରାଜ୍ୟଗୁଡ଼ିକର ସ୍ବାର୍ଥକୁ ବିଚାରକୁ ନେବାପରେ ଏହି ବିଲ୍‌କୁ ପ୍ରସ୍ତୁତ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ଏଦିଗରେ ସେ ଶ୍ରୀ ମାଣ୍ଡଭିୟଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର