ଜୋତାର ଜିଏସ୍‌ଟି ବୃଦ୍ଧି ପ୍ରତ୍ୟାହାର କରିବାକୁ ଦାବି

ଭୁବନେଶ୍ବର: ଏକ ହଜାର ଟଙ୍କାରୁ କମ୍ ମୂଲ୍ୟର ଜୋତା ଓ ଚପଲ ଉପରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ରେ ଯେଉଁ ବୃଦ୍ଧି କରାଯାଇଛି ତାହାକୁ ତୁରନ୍ତ ପ୍ରତ୍ୟାହାର କରିବା ଲାଗି ଓଡ଼ିଶା ଫୁଟ୍‌ଓୟାର ବ୍ୟବସାୟୀ ସଂଘ ଦାବି କରିଛି। ପୂର୍ବରୁ ୧୦୦୦ ଟଙ୍କାରୁ କମ୍ ଦାମ୍‌ର ଜୋତା ଓ ଚପଲ୍‌ ଉପରେ ୫% ଜିଏସ୍‌ଟି ଲଗାଯାଇଥିଲା। ଚଳିତ ବର୍ଷ ଜାନୁଆରି ୧ରୁ ‌ସେହି ହାରକୁ ୧୨%କୁ ବୃଦ୍ଧି କରାଯାଇଛି। ଏହାର ପ୍ରଭାବରେ ୧୦୦୦ ଟଙ୍କିଆ ଜୋତାର ଦାମ୍‌ ୧୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଏହି ଦରବୃଦ୍ଧି ଦ୍ବାରା ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକମା‌ନେ ଅଧିକ ପ୍ରଭାବିତ ହେବେ ବୋଲି ସଂଘର ସମ୍ପାଦକ ଅବଦୁଲ ରଜାକ୍ ମେନନ କହିଛନ୍ତି। ସେ କହିଛନ୍ତି ଯେ ଜୋତାର ଜିଏସ୍‌ଟିରେ ହୋଇଥିବା ବୃଦ୍ଧିକୁ ପ୍ରତ୍ୟାହାର କରିବା ଲାଗି ଆନ୍ଦୋଳନ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଛି। ସର୍ବଭାରତୀୟ ସ୍ତରରେ ଅଲ ଇଣ୍ଡିଆ ଫୁଟ୍‌ଓୟାର ଟ୍ରେଡର୍ସ ଆସୋସିଏସନ ଅଧୀନରେ ଏହି ଆନ୍ଦୋଳନ କରାଯିବ। ପ୍ରତିଟି ରାଜ୍ୟର ସଂଘ ସେମାନଙ୍କ ବିଧାୟକ, ସାଂସଦ ଓ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରିବେ। ଜାତୀୟ ସ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଦାବିପତ୍ର ଦିଆଯିବ। ଖୁବ୍‌ଶୀଘ୍ର ସଂଘର ଏକ ‌ବଡ଼ ଧରଣର ବୈଠକ ଅନୁଷ୍ଠିତ ହେବ ଯେଉଁଥିରେ ଆଗାମୀ କାର୍ଯ୍ୟପନ୍ଥା ନିର୍ଧାରଣ କରାଯିବ। ଗୋଟିଏ ଦିନ ସବୁ ଜୋତା ଓ ଚପଲ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର