ବିମୁଦ୍ରୀକରଣ ମାମଲା: ସତ୍ୟପାଠ ଦାଖଲ କଲେନି ସରକାର

ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ସମ୍ପର୍କିତ ମାମଲାର ଶୁଣାଣି କରୁଥିବା ପାଞ୍ଚ ଜଣିଆ ବିଚାରପତିଙ୍କ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବାରେ ବିଫଳ ହୋଇଛନ୍ତି। ତେଣୁ କୋର୍ଟ ମାମଲାର ଶୁଣାଣିକୁ ନଭେମ୍ବର ୨୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ ପିଟିସନ ଦାଖଲକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଏହାକୁ ବିରୋଧ କରିଛନ୍ତି। ଏହା ଏକ ଗ୍ରହଣୀୟ ପ୍ରଥା ନୁହେଁ ବୋଲି ସେ କହିଛନ୍ତି। ସତ୍ୟପାଠ ଦାଖଲ କରିବା ଲାଗି ଅଧିକ ସମୟ ଦେବାକୁ କୋର୍ଟଙ୍କୁ ଆଟର୍ଣ୍ଣି ଜେନେରାଲ ଆର୍‌ ଭେଙ୍କଟରମଣି ନିବେଦନ କରିଥିଲେ। ଶୁଣାଣି ସ୍ଥଗିତ କରାଯାଉଥିବାରୁ ସେ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି।

ଅଧିକ ସମୟ ମାଗିବାରୁ ଜଷ୍ଟିସ୍‌ ବି ଭି ନାଗରତ୍ନା କହିଥିଲେ ଯେ ସାଧାରତଃ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି କେବେବି ସ୍ଥଗିତ ହୋଇନାହିଁ। କୋର୍ଟଙ୍କ ପାଇଁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ। ଏହି ପ୍ରସଙ୍ଗରେ ବିତର୍କ ଜାରି ରହୁ ବୋଲି ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ ଚାହୁଥିଲେ। ଅନ୍ୟ ଜଣେ ପିଟିସନ ଦାଖଲକାରୀଙ୍କ ପାଇଁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ପି ଚିଦମ୍ବରମ୍ ଆଜିର ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ଗତ ଅକ୍ଟୋବର ୧୨ରେ ଏହି ମାମଲାର ଶୁଣାଣି କରିବା ବେଳେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ କହିଥିଲେ ଯେ ଆମେ ଆମ ଲକ୍ଷ୍ମଣ ରେଖା ବିଷୟରେ ଭଲ ଭାବେ ଅବଗତ ଅଛୁ। ଏଥି ସହିତ ବ୍ୟାପକ ସତ୍ୟପାଠ ଦାଖଲ କରିବାକୁ ସରକାର ଓ ରିଜର୍ଭ ବ୍ୟାଙ୍କକୁ କୋର୍ଟ କହିଥିଲେ। ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଥିଲେ। ବିମୁଦ୍ରୀକରଣର ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ମୌଳିକ ଅଧିକାର ଏବଂ ରିଜର୍ଭ ବ୍ୟାଙ୍କ ନିୟମ, ୧୯୩୪ ନିୟମର ଉଲ୍ଲଂଘନ ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର