ନୂଆଦିଲ୍ଲୀ: ବିମୁଦ୍ରାକରଣ ଉପରେ ପ୍ରସ୍ତୁତ ହୋଇଥିବା ଚିଠା ରିପୋର୍ଟକୁ ନେଇ ଆଜି ସଂସଦୀୟ କମିଟିରେ ମତଭେଦ ଦେଖିବାକୁ ମିଳିଥିଲା। ଅର୍ଥ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ରିପୋର୍ଟର ଭାଗ୍ୟକୁ ନେଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରଶ୍ନ କରିଥିଲେ।
ବୈଠକ ପାଇଁ ସବୁ ସଦସ୍ୟ ପହଞ୍ଚିଯିବା ପରେ କମିଟିର ଅଧ୍ୟକ୍ଷ ତଥା କଂଗ୍ରେସର ବରିଷ୍ଠ ନେତା ଏମ୍ ବିରପ୍ପା ମୋଇଲିଙ୍କୁ ଭର୍ତ୍ତୁହରି ଏହି ପ୍ରଶ୍ନ କରିଥିଲେ। ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ର ବିମୁଦ୍ରାକରଣକୁ ନେଇ ଯେଉଁ ଚିଠା ରିପୋର୍ଟ ପ୍ରସ୍ତୁତ ହୋଇଥିଲା ଓ ସେଥିରେ ହୋଇଥିବା ସଂଶୋଧନ କେଉଁଠାରେ ଅଛି ବୋଲି ସେ ପଚାରିଥିଲେ।
ବିମୁଦ୍ରାକରଣ ଚିଠା ରିପୋର୍ଟକୁ ବିଜେପି ସଦସ୍ୟମାନେ ‘ପକ୍ଷପାତିତା ରିପୋର୍ଟ’ ବୋଲି କହିଛନ୍ତି। ବିଜେପି ସଦସ୍ୟ କିରିଟ୍ ସୋମେୟା ଓ ନିଶିକାନ୍ତ ଦୁବେ ଏହା କହିଥିଲେ। ଏହି ରିପୋର୍ଟକୁ ନେଇ ସଂସଦୀୟ କମିଟିରେ ମତଭେଦ ଦେଖାଦେବା ପରେ କମିଟିର ଅଧ୍ୟକ୍ଷ କହିଥିଲେ ଯେ ସହମତିରେ ଯେଉଁ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହେବ ତାହା ମୋତେ ଦରକାର। ଏ କ୍ଷେତ୍ରରେ କୌଣସି ଭୋଟିଂ ହେଉ ବୋଲି ମୋଇଲି ଚାହୁଁନଥିଲେ। ଏହି ସଂସଦୀୟ କମିଟିରେ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍ ହାଜର ହେବାର ଥିଲା। ଯେଉଁଠାରେ ବୈଠକ ଚାଲିଥିଲା ତାହାର ପାଖ କୋଠରିରେ ଉର୍ଜିତ ଆସି ଅପେକ୍ଷା କରିଥିିଲେ। ଏହା ଜାଣିବା ପରେ ବିମୁଦ୍ରାକରଣ ରିପୋର୍ଟକୁ ନେଇ ଚାଲିଥିବା ଆଲୋଚନାକୁ ସ୍ଥଗିତ ରଖାଯାଇଥିଲା।
କମିଟି ସାମ୍ନାରେ ହାଜର ହୋଇ ଉର୍ଜିତ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ଆବଶ୍ୟକ କ୍ଷମତା ନାହିଁ। ସେ ଅଧିକ କ୍ଷମତା ମାଗିଥିଲେ। କମିଟିର ସଦସ୍ୟମାନେ ଉର୍ଜିତଙ୍କୁ ଚାରି ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ବ୍ୟାଙ୍କିଙ୍ଗ ଶିଳ୍ପରେ ରହିଥିବା ସମସ୍ୟା, ଆହ୍ଵାନ, ଏନ୍ପିଏ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଆଦି ଉପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି କମିଟିର ସଦସ୍ୟ ଅଛନ୍ତି।
ପୂର୍ବରୁ ଅନେକ ଥର ଉର୍ଜିତ କହି ସାରିଲେଣି ଯେ ସରକାରୀ ବ୍ୟାଙ୍କକୁ ନିୟନ୍ତ୍ରଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ଆବଶ୍ୟକ କ୍ଷମତା ନାହିଁ। ଅଧା କ୍ଷମତା ସରକାରଙ୍କ ପାଖରେ ରହିଛି।
ହୀରା ବ୍ୟବସାୟୀ ନିରବ ମୋଦି ପିଏନ୍ବିରୁ କରିଥିବା ଠକେଇ ସମ୍ପର୍କରେ ହୋଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଅଡିଟ୍ ମାଧ୍ୟମରେ ବ୍ୟାଙ୍କ ଗୁଡ଼ିକର ପ୍ରତ୍ୟେକ ଶାଖା ଉପରେ ନଜର ରଖିବା ଅସମ୍ଭବ ବୋଲି ଉର୍ଜିତ କହିଥିଲେ। ନିକଟରେ ଏଟିଏମ୍ରେ ଦେଖାଦେଇଥିବା ଟଙ୍କା ଅଭାବର କାରଣ ଏବଂ ବ୍ୟାଙ୍କ ଜାଲିଆତିକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ କାହିଁକି ନିଆଯାଇନାହିଁ ବୋଲି କମିଟିର ଜଣେ ସଦସ୍ୟ ପ୍ରଶ୍ନ କରିଥିଲେ। ସରକାରୀ ବ୍ୟାଙ୍କର ବୋର୍ଡରେ ରିଜର୍ଭ ବ୍ୟାଙ୍କର କୌଣସି ନୋମିନି ରହିବା ଉଚିତ ନୁହେଁ ବୋଲି ମଧ୍ୟ ଉର୍ଜିତ କମିଟିକୁ ଅବଗତ କରିଛନ୍ତି।
ଉର୍ଜିତ ମାଗିଲେ ଏସବୁ କ୍ଷମତା
• ସରକାରୀ ବ୍ୟାଙ୍କର ଅଧ୍ୟକ୍ଷ ଓ ଏମ୍ଡିଙ୍କୁ ନିଯୁକ୍ତି ଦେବା ଓ ପଦରୁ ହଟାଇବା
• ଲାଇସେନ୍ସ ଜାରି କରିବା
• ଲାଇସେନ୍ସ ଦେବା ବେଳେ ସର୍ତ୍ତାବଳୀ ଲାଗୁ କରିବା
• ଯେକୌଣସି ସମୟରେ ବ୍ୟାଙ୍କର ନିର୍ଦେଶକଙ୍କ ବୈଠକ ଡକାଇବା
• ବ୍ୟାଙ୍କ ବୋର୍ଡ ବୈଠକରେ ରିଜର୍ଭ ବ୍ୟାଙ୍କର ଜଣେ କିମ୍ବା ଅଧିକ ଅଧିକାରୀଙ୍କୁ ନିୟୋଜିତ କରିବା
• ବ୍ୟାଙ୍କର ପରିଚାଳନା କର୍ତ୍ତୃପକ୍ଷରେ ପରିବର୍ତ୍ତନ ଆଣିବା
• ଅଧ୍ୟକ୍ଷ, ପରିଚାଳନା ନିର୍ଦେଶକ, ପୂର୍ଣ୍ଣକାଳୀନ ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି ଦେବା ଓ ପଦରୁ ହଟାଇବା
• ପର୍ଯର୍୍ୟବେକ୍ଷକ ନିଯୁକ୍ତ କରିବା
• କାର୍ଯ୍ୟାଳୟରୁ ପ୍ରବନ୍ଧକ କିମ୍ବା ଅନ୍ୟ ଅଧିକାରୀଙ୍କୁ ହଟାଇବା
• ନିର୍ଦେଶକ ବୋର୍ଡର ସ୍ଥାନ ନେବା
ବିମୁଦ୍ରାକରଣ ରିପୋର୍ଟ:ସଂସଦୀୟ କମିଟିରେ ଫାଟ
• ରିପୋର୍ଟର ଭାଗ୍ୟ ବିଷୟରେ ପ୍ରଶ୍ନ କଲେ ଭର୍ତ୍ତୁହରି • ବିଜେପି ସଦସ୍ୟ କହିଲେ ‘ପକ୍ଷପାତିତା ରିପୋର୍ଟ’
/sambad/media/post_attachments/wp-content/uploads/2018/06/urjit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)