ବିମୁଦ୍ରୀକରଣକୁ ଆଜି ପୂରୁଛି ୪ ବର୍ଷ: ହଜାରେ, ୫୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଥିଲା

ନୂଆଦିଲ୍ଲୀ: ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ। ଭାରତୀୟ ଇତିହାସରେ ଏକ ଗୁରୁତ୍ବପୂର୍ଣ୍ଣ ଦିନ। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଅର୍ଥନୀତିରେ ସେତେବେଳେ ପ୍ରଚଳିତ ହେଉଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିଦେଇଥିଲେ। ରାତି ୮ଟାରେ ଦୂରଦର୍ଶନରେ ମୋଦୀ ଭାଷଣ ଦେଲେ। ରାତି ୧୨ଟାରୁ ଟଙ୍କାକୁ ଅଚଳ କରି ଦିଆଗଲା। ଫଳରେ ସେତେବେଳେ ଅର୍ଥନୀତିରେ ପ୍ରଚଳନ ହେଉଥିବା ମୋଟ ନଗଦ ଅର୍ଥ ମଧ୍ୟରୁ ୮୬ ପ୍ରତିଶତ ଅର୍ଥ (୧୦୦୦ ଏବଂ ୫୦୦ ଟଙ୍କିଆ) ଅକାମୀ ହୋଇଥିଲା।

ସେତେବେଳେ ପ୍ରଚଳନରେ ଥିବା ଏହି ଦୁଇଟି ବଡ଼ ମୂଲ୍ୟର ନୋଟ୍‌କୁ ଅଚଳ କରି ଦିଆଯିବା ପରେ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ‌ଲୋକମାନଙ୍କୁ ଯଦିଓ ଅଚଳ ନୋଟକୁ ଜମା କରିବା ଲାଗି କିଛିଦିନର ସମୟ ଦିଆଯାଇଥିଲା ତଥାପି ବାରମ୍ବାର ନିୟମ ବଦଳାଇବା କାରଣରୁ ଲୋକମାନେ ବ୍ୟତିବସ୍ତ ହୋଇ ପଡ଼ିଥିଲେ। ଲୋକମାନେ ବ୍ୟାଙ୍କରେ ନୋଟ୍ ଜମା କରିବା ପାଇଁ ଲମ୍ବା ଲାଇନ୍ କରିବା ସହିତ ଟଙ୍କା ଉଠାଇବା ପାଇଁ ମଧ୍ୟ ଦୀର୍ଘସମୟ ଧରି ଖରା ତରାରେ ଛିଡ଼ା ହୋଇଥି‌େଲ। ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିବା ସମୟରେ ୩ଟି ପ୍ରମୁଖ କାରଣ ପାଇଁ ଏଭଳି କରାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେଗୁଡ଼ିକ ହେଲା ଦେଶରେ ଦୁର୍ନୀତିକୁ ରୋକିବା ଓ ଅର୍ଥନୀତିରୁ କଳାଟଙ୍କାକୁ କାଢ଼ିବା, ନକଲି ନୋଟ୍‌କୁ ବାହାର କରିବା ଏବଂ ଆତଙ୍କବାଦୀଙ୍କୁ ଯୋଗାଇ ଦିଆଯାଉଥିବା ଅର୍ଥ ଉପରେ ରୋକ୍ ଲଗାଇବା। କିନ୍ତୁ ସରକାରଙ୍କ ଏହି ୩ଟି ଲକ୍ଷ୍ୟ ମଧ୍ୟରୁ କୌଣସି ଗୋଟିଏ ଲକ୍ଷ୍ୟ ବି ହାସଲ ହୋଇ ନଥିଲା ବୋଲି ବିରୋଧୀମାନେ ସମାଲୋଚନା କରିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ ଭିନ୍ନ ଯୁକ୍ତି ଦର୍ଶାଯାଇଥିଲା।

ବିମୁଦ୍ରୀକରଣର ମୁଖ୍ୟ ଲକ୍ଷ୍ୟ ଅର୍ଥନୀତିରେ ନଗଦ କାରବାରକୁ କମାଇ ଡିଜିଟାଲ କାରବାର ବଢ଼ାଇବା ବୋଲି ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଓ ଅନ୍ୟ ବଡ଼ପଣ୍ଡାମାନେ କହିଥିଲେ। ତେବେ ଦେଶରେ ଏବେ ଡିଜିଟାଲ କାରବାର ବଢ଼ିଛି। କିନ୍ତୁ ଏହାକୁ ବିମୁଦ୍ରୀକରଣର ସୁଫଳ ବୋଲି କେହି ବିବେଚନା କରୁନାହାନ୍ତି। ବରଂ କରୋନା ମହାମାରୀ ଯୋଗୁଁ ଡିଜିଟାଲ କାରବାର ବଢ଼ିଥିବା ମତ ପ୍ରକାଶ ପାଉଛି। ଡିଜିଟାଲ କାରବାର ଯୋଗୁଁ ଅର୍ଥନୀତିରେ କଳାଟଙ୍କାର ଉପଯୋଗ ମଧ୍ୟ ହ୍ରାସ ପାଇଛି ବୋଲି ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲୋକାଲସର୍କଲସ ପକ୍ଷରୁ ହୋଇଥିବା ସର୍ଭେରେ କୁହାଯାଇଛି। ୨୦୧୯ ମସିହାରେ ଯେତିକି ଲୋକ ନଗଦ ଅର୍ଥରେ କାରବାର କରୁଥିଲେ ୨୦୦୦ ରେ ସେମାନଙ୍କ ସଂଖ୍ୟା ଅଧା ହ୍ରାସ ପାଇଛି। ଲକଡାଉନ୍ ପାଇଁ ଲୋକମାନେ ସେମାନଙ୍କ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀକୁ ଅନଲାଇନରେ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ଦେଶରେ ବିମୁଦ୍ରୀକରଣ ପରେ ଡିଜିଟାଲ କାରବାର ପାଇଁ ଭିତ୍ତିଭୂମି ପଡ଼ିଥିଲା। ଜିଏସଟି ପରେ ଡିଜିଟାଲ କାରବାର ଆଉ ଟିକେ ବ୍ୟାପକ ହୋଇଥିଲା। କିନ୍ତୁ କରୋନା ଡିଜିଟାଲ କାରବାରକୁ ପ୍ରକୃତରେ ତ୍ବରାନ୍ବିତ କରିଦେଇଛି। ଲୋକମାନେ ଡିଜିଟାଲ ବା ସ୍ପର୍ଶବିହୀନ କାରବାରକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଏହି ସର୍ଭେରୁ ଜଣାଯାଇଛି। ଦେଶର ୩୦୦ରୁ ଅଧିକ ଜିଲ୍ଲାରୁ ୪୫ ହଜାରରୁ ଅଧିକ ଲୋକଙ୍କୁ ନେଇ ସର୍ଭେ କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.