ବିମୁଦ୍ରାକରଣ, ଜିଏସ୍‌ଟି ପ୍ରଭାବ:ବିବାହ ଖର୍ଚ ୧୫% ବଢ଼ିବ

ନୂଆଦିଲ୍ଲୀ: ବିମୁଦ୍ରାକରଣ ଏବଂ ଜିଏସ୍‌ଟି ବିବାହ ଋତୁକୁ ପ୍ରଭାବିତ କରିବ। ଲୋକମାନଙ୍କ ବିବାହ ଖର୍ଚ ୧୦-୧୫% ବଢ଼ିଯିବ ବୋଲି ଶିଳ୍ପ ସଂଘ ଆସୋଚାମ୍‌ ଆକଳନ କରିଛି।
ପୂର୍ବରୁ ଟେଣ୍ଟ୍‌ ସେବା, ମିଠା ପାଇଁ ବୁକିଙ୍ଗ ଆଦି ଅନେକ କାମ ବିନା ବିଲ୍‌ରେ ହେଉଥିଲା। ଯେହେତୁ କୌଣସି ବିଲ୍‌ ପ୍ରସ୍ତୁତ ହେଉନଥିଲା, ତେଣୁ ସେଗୁଡ଼ିକ ଉପରେ ଟିକସ ମଧ୍ୟ ଗଣିବାକୁ ପଡ଼ୁନଥିଲା। ଏବେ ବିବାହ ପାଇଁ ହଲ୍‌ ବୁକିଙ୍ଗଠାରୁ ଆରମ୍ଭ କରି ଟେଣ୍ଟ୍‌ ବୁକିଙ୍ଗ କରିବା ଏବଂ ଫଟୋ ଉଠାଇବା ଏବଂ ଭିଡିଓ ସୁଟିଂ ଆଦି ଉପରେ ଜିଏସ୍‌ଟି ଲଗାଯାଇଛି। ସପିଙ୍ଗ, ଟେଣ୍ଟ୍‌ ବୁକିଙ୍ଗ ଏବଂ ଖାଦ୍ୟ ପଦାର୍ଥ ସେବା ଉପରେ ୧୮-୨୮%ର ଜିଏସ୍‌ଟି ଲାଗୁ କରାଯାଇଛି। ଏହା ଲୋକମାନଙ୍କ ପକେଟ୍‌ ଉପରେ ମାଡ଼ କରିବ। ପୂର୍ବରୁ ଯେତିକି ଟଙ୍କାରେ ବିବାହର ସବୁ କାମ ହୋଇଯାଉଥିଲା, ଆଗାମୀ ଦିନରେ ସେତିକି ଟଙ୍କା କମ୍‌ ପଡ଼ିବ। ବିବାହ ପାଇଁ ଦରକାର ଅନେକ ପ୍ରକାର ସାମଗ୍ରୀ ଏବଂ ସେବା ପାଇଁ ଲୋକମାନଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ିବ।
ଭାରତରେ ବିବାହକୁ ଏକ ଶିଳ୍ପ ଭାବେ ପରିଗଣିତ କରାଯାଉଛି। ପ୍ରତିବର୍ଷ ବିବାହରେ ୧ ଲକ୍ଷ କୋଟି ଟଙ୍କା ପାଖାପାଖି ଲୋକମାନେ ଖର୍ଚ କରୁଛନ୍ତି। ବିବାହ ଶିଳ୍ପର ବାର୍ଷିକ ଅଭିବୃଦ୍ଧି ହାର ୨୫-୩୦% ରହିଛି। ଭାରତରେ ଏକ ବିବାହ କାର୍ଯ୍ୟକ୍ରମ କରିବାକୁ ହେଲେ ୩ ଲକ୍ଷ ଟଙ୍କାରୁ ଆରମ୍ଭ କରି ୮ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ ହେଉଛି। ଗରିବ ଲୋକମାନେ ପାଖାପାଖି ୩ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି। ସ୍ୱଚ୍ଛଳ ବର୍ଗର ଲୋକମାନେ ବିବାହ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି।
ଜୋତାଠାରୁ ଆରମ୍ଭ କରି ଗହଣା ପର୍ଯ୍ୟନ୍ତ ସବୁ ଥିରେ ଜିଏସ୍‌ଟି ଲଗାଯାଇଛି। ପଞ୍ଚ ତାରକା ହୋଟେଲ୍‌୍‌ ବୁକିଙ୍ଗ ଉପରେ ୨୮% ଜିଏସ୍‌ଟି ଲାଗୁ କରାଯାଇଛି।
ବିବାହ ସମୟରେ ଲୋକମାନେ ରାସନ ସାମଗ୍ରୀଠାରୁ ଆରମ୍ଭ କରି ଶାଢ଼ୀ ଆଦି ବହୁତ କିଛି ଜିନିଷ ବାକିରେ ଆଣିଥାନ୍ତି। କିନ୍ତୁ ଜିଏସ୍‌ଟି ଲାଗୁ ହେବା ପରେ ବ୍ୟବସାୟୀମାନେ ବାକି ଦେବା ପାଇଁ ଅମଙ୍ଗ ହେଉଛନ୍ତି। ଏହା କମ୍‌ ଟଙ୍କା ପାଖରେ ଥାଇ ବିବାହ କାର୍ଯ୍ୟକ୍ରମ କରିବାକୁ ଯାଉଥିବା ଲୋକମାନଙ୍କୁ ପ୍ରଭାବିତ କରିବ।
ବିମୁଦ୍ରାକରଣ ଏବଂ ଜିଏସ୍‌ଟି ଯୋଗୁଁ ଡେଷ୍ଟିନେସନ୍‌ େଓ୍ଵଡିଂ ଯଥା ସମୂଦ୍ର କୂଳରେ ବିବାହ, ରାଜ ପ୍ରାସାଦରେ ବିବାହ ଏବଂ ରୋମାଞ୍ଚକ ସ୍ଥାନରେ ବିବାହ ଭଳି କାର୍ଯ୍ୟ ବିଶେଷ ପ୍ରଭାବିତ ହେବ ନାହିଁ ବୋଲି ଆସୋଚାମ୍‌ ପକ୍ଷରୁ କୁହାଯାଇଛି। ସମୁଦ୍ର କୂଳ ବିବାହ ପାଇଁ ଲୋକମାନେ ଗୋଆ ଏବଂ ରାଜ ପ୍ରସାଦ ବିବାହ ପାଇଁ ରାଜସ୍ଥାନକୁ ପସନ୍ଦ କରୁଛନ୍ତି। ବିଦେଶରେ ବିବାହ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଇଛା ରଖିଥିବା ଲୋକମାନଙ୍କ ପ୍ରଥମ ପସନ୍ଦ ହେଉଛି ବାଲି ଏବଂ ଦୁବାଇ।

ସମ୍ବନ୍ଧିତ ଖବର