ନୂଆଦିଲ୍ଲୀ: ରାତି ପାହିଲେ ମୋଦି ସରକାରଙ୍କର ବିମୁଦ୍ରାୟନକୁ ପୂରିଯିବ ଏକ ବର୍ଷ। ଏହି ପରିପ୍ରେକ୍ଷୀରେ ବିମୁଦ୍ରାୟନକୁ ନେଇ ଆରମ୍ଭ ହୋଇଯାଇଛି ତର୍କ- ବିତର୍କ ଓ ଆଲୋଚନା- ପର୍ଯ୍ୟାଲୋଚନା। କେତେକେ ବିମୁଦ୍ରାୟନକୁ ମୋଦି ସରକାରର ସବୁଠାରୁ ସଫଳତା ବୋଲି ଦାବି କରୁଥିବା ବେଳେ, ଅନ୍ୟ କେତେକେ ଏହାକୁ ବିରୋଧ କରି ଏହି ନିଷ୍ପତ୍ତି ମୋଦିଙ୍କର ଏକ ବିଫଳତା ବୋଲି କହୁଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ମୋଦି ସରକାରଙ୍କର ବିମୁଦ୍ରାୟନ ନିଷ୍ପତ୍ତି ଦେଶରେ ଏକ ବିରାଟ ପରିବର୍ତ୍ତନ ଆଣିଛି। ରାଜକୋଷ ସମୃଦ୍ଧ ହୋଇଛି, ଟିକସ ଆଦାୟ ସହ କରଦାତାମାନଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି। ଅର୍ଥମନ୍ତ୍ରୀଙ୍କ ଦାବିକୁ ପରିପୁଷ୍ଟ କରିବା ପାଇଁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କିଛି ତଥ୍ୟକୁ ଗଣମାଧ୍ୟମରେ ପ୍ରକାଶ କରାଯାଇଛି। ହେଲେ, ଦେଶର ଅର୍ଥନୀତି ବିଶାରଦମାନେ ଏଥିରେ ଏକମତ ନୁହନ୍ତି। ସେମାନଙ୍କ କହିବା କଥା ହେଲା ଏଯେଉଁ ପରିବର୍ତ୍ତନ ଘଟିଛି ବିମୁଦ୍ରାୟନ ହୋଇ ନଥିଲେ ମଧ୍ୟ ତାହା ଘଟିଥାଆନ୍ତା। ତେବେ, ଆସନ୍ତୁ ନଜର ପକାଇବା ପ୍ରକୃତ ଘଟଣା ଉପରେ।
ଅର୍ଥ ମନ୍ତ୍ରାଳୟ ଦାବି କରୁଛି ଯେ ବିମୁଦ୍ରାୟନ ପରେ ୨୦୧୭ରେ ଦେଶର ଆୟକରଦାତାଙ୍କ ସଂଖ୍ୟାରେ ୨୫ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ, ଅର୍ଥନୀତି ବିଶାରଦମାନେ କହୁଛନ୍ତି ବିମୁଦ୍ରାୟନ ଏହାର କାରଣ ନୁହେଁ। ଏହା ହେବାର ଥିଲା। ଏସଂପର୍କରେ ପରିସଂଖ୍ୟନ ଦେଇ ସେମାନେ କହନ୍ତି, ଉଭୟ ଆୟକର ଓ କରଦାତାମାନଙ୍କ ସଂଖ୍ୟାରେ ବିଗତ ୨୦୧୨-୧୩ରୁ ଅଭିବୃଦ୍ଧି ପରିଲକ୍ଷିତ ହୋଇ ଆସୁଥିଲା। ୨୦୧୨-୧୩ରେ ଏହା ୩୧ ପ୍ରତିଶତ ଥିବାବେଳେ ୨୦୧୩-୧୪ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଏବଂ କ୍ରମାଗତ ଭାବେ ଅଭିବୃଦ୍ଧି ଘଟି ଚାଲିଥିଲା। ତେଣୁ, ବିମୁଦ୍ରାୟନ ହୋଇ ନଥିଲେ ବି ଏହା ଘଟି ଥାଆନ୍ତା। ଅନ୍ୟପକ୍ଷରେ କରଦାତାମାନଙ୍କ ସଂଖ୍ୟା ଯାହା ଦର୍ଶାଯାଉଛି ସେଥିରେ ମଧ୍ୟ ତାଳମେଳ ନାହିଁ। ୨୦୧୬-୧୭ରେ ୯୧ ଲକ୍ଷ ନୂତନ କରଦାତା ଥିଲେ ବୋଲି ସରକାର ଦାବି କରୁଥିବା ବେଳେ ଅର୍ଥନୈତିକ ସର୍ଭେ ରିପୋର୍ଟ ଏହାକୁ ୮୦.୭ ଲକ୍ଷ ବୋଲି କହିଛି। ସେହିପରି ୨୦୧୪-୧୫ ଆର୍ଥିକ ବର୍ଷରେ ୭୪.୦୪ ଲକ୍ଷ ନୂତନ କରଦାତା ୨୦୧୫-୧୬ରେ ୬୩.୫ ଲକ୍ଷ ନୂତନ କରଦାତା ରହିଥିଲେ।