ଆୟକରଦାତାଙ୍କୁ ଅଟଳ ପେନ୍‌ସନ୍‌ ମନା: ଧରାପଡ଼ିଲେ ଖାତା ବନ୍ଦ ହେବ

ଅକ୍ଟୋବର ୧ରୁ ଯୋଡ଼ି ହୋଇପାରିବେନି

ନୂଆଦିଲ୍ଲୀ: ସରକାରଙ୍କ ସାମାଜିକ ସୁରକ୍ଷା ସ୍କିମ୍ ଅଟଳ ପେନ୍‌ସନ୍‌ ଯୋଜନାରେ ଆୟକର ପଇଠ କରୁଥିବା ବ୍ୟକ୍ତିମାନେ ଯୋଡ଼ି ହୋଇପାରିବେନି। ଏହି ନିଷ୍ପତ୍ତି ଅକ୍ଟୋବର ୧ରୁ ଲାଗୁ ହେବ। ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ନଜରରେ ରଖି ୨୦୧୫ ଜୁନ୍‌ ୧ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏଥିରେ ସଦସ୍ୟମାନଙ୍କ ପାଇଁ ୧୦୦୦ ଟଙ୍କାରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତର ନିଶ୍ଚିତ ପେନ୍‌ସନ୍‌ର ବ୍ୟବସ୍ଥା ରହିଛି। ସଦସ୍ୟଙ୍କୁ ୬୦ ବର୍ଷ ହୋଇଯିବା ପରେ ପେନ୍‌ସନ୍‌ ମିଳିବେ। ଅର୍ଥ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରି ଜଣାଇଛି ଯେ ଆୟକର ଦେଉଥିବା କୌଣସି ନାଗରିକ ଅକ୍ଟୋବର ୧ରୁ ଅଟଳ ପେନ୍‌ସନ୍‌ ଯୋଜନାରେ ସାମିଲ ହୋଇପାରିବେ ନାହିଁ। ଯେଉଁମାନେ ପୂର୍ବରୁ ଏହି ଯୋଜନାରେ ଯୋଡ଼ି ହୋଇସାରିଛନ୍ତି ସେମାନଙ୍କ ଉପରେ ଏହି ବିଜ୍ଞପ୍ତି ଲାଗୁ ହେବ ନାହିଁ। ଯଦି କୌଣସି ବ୍ୟକ୍ତି ୨୦୨୨ ଅକ୍ଟୋବର ୧ ପରେ ଅଟଳ ପେନ୍‌ସନ୍ ଯୋଜନାରେ ଯୋଡ଼ି ହୋଇଥିବେ ଓ ପରବର୍ତ୍ତୀ ସମୟରେ ସେ ଜଣେ ଟିକସଦାତା ବୋଲି ଜଣାପଡ଼ିବ ତେବେ ତାଙ୍କ ଖାତାକୁ ବନ୍ଦ କରିଦିଆଯିବ ଓ ସେହି ଖାତାରେ ଥିବା ଟଙ୍କା ତାଙ୍କୁ ଫେରାଇ ଦିଆଯିବ।

ବର୍ତ୍ତମାନ ଦେଶର ୧୮-୪୦ ବର୍ଷ ବୟସର ଯେକୌଣସି ନାଗରିକ ବ୍ୟାଙ୍କ କିମ୍ବା ଡାକ ଘର ଜରିଆରେ ଅଟଳ ପେନ୍‌ସନ୍ ଯୋଜନା ଖାତା ଖୋଲିପାରୁଛନ୍ତି। ତେବେ ଏଥିପାଇଁ ସଦସ୍ୟଙ୍କ ଏକ ସଞ୍ଚୟ ବ୍ୟାଙ୍କ ଖାତା ରହିଥିବା ନିହାତି ଜରୁରୀ। ୨୦୧୫ ଜୁନ୍‌ରୁ ୨୦୧୬ ମାର୍ଚ୍ଚ ପର୍ଯ୍ୟନ୍ତ ଯେଉଁ ନାଗରିକମାନେ ଏହି ଯୋଜନାରେ ‌ଯୋଡ଼ି ହୋଇଥିଲେ ସେମାନଙ୍କ ପାଇଁ ସରକାର ୫୦ ପ୍ରତିଶତ ଅବଦାନ ରାଶି କିମ୍ବା ବାର୍ଷିକ ୧୦୦୦ ଟଙ୍କା ଯାହା କମ୍ ତାହା ଦେଉଥିଲେ। ଯେଉଁ ଲୋକମାନେ କୌଣସି ସାମାଜିକ ସୁରକ୍ଷା ଯୋଜନାର ଅଂଶ ନୁହନ୍ତି ଓ ଆୟକର ଦେଉ ନାହାନ୍ତି କେବଳ ସେମାନଙ୍କ ପାଇଁ ସରକାର ଅବଦାନ ରାଶିର ଅଧା ଭାଗ ଦେଉଥିଲେ। ୨୦୧୫-୧୬ରୁ ୨୦୧୯-୨୦ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଜାରି ରହିଥିଲା। ଗତ ଆର୍ଥିକ ବର୍ଷରେ ୯୯ ଲକ୍ଷରୁ ଅଧିକ ଅଟଳ ପେନ୍‌ସନ୍‌ ଖାତା ଖୋଲାଯିବା ପରେ ୨୦୨୨ ମାର୍ଚ୍ଚ ସୁଦ୍ଧା ମୋଟ ସଦସ୍ୟଙ୍କ ସଂଖ୍ୟା ୪.୦୧ କୋଟିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର