ଭୁବନେଶ୍ବର: ଦେବଗଡ଼ର ଆଡାସ ଅଞ୍ଚଳରେ ଅନୁସନ୍ଧାନ କରାଯାଇଥିବା ସୁନା ଖଣିର ନିଲାମ କରିବା ଯୋଜନା ରହିଛି। ଗୃହରେ ଉତ୍ତର ରଖି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ଦେବଗଡ଼ ସୁନା ଖଣିର ଜି-୨ ସ୍ତରର ଅନୁସନ୍ଧାନ କରାଯାଇଛି। ସେଥିରେ ତମ୍ବାପଥର ସହିତ ସୁନା, ନିକେଲ, ରୁପା ଓ ଗ୍ରାଫାଇଟ୍ ଭଳି ଖଣିଜ ପଦାର୍ଥ ରହିଛି। ନିକେଲ ଓ ଗ୍ରାଫାଇଟ୍ ହେଉଛି କ୍ରିଟିକାଲ୍ ମିନେରାଲ୍। ତେଣୁ ଏହି ବ୍ଲକ୍ର ନିଲାମ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ବାରା କରାଯିବା ଯୋଜନା ରହିଛି ବୋଲି ସେ କହିଛନ୍ତି। କେନ୍ଦୁଝରର ଗୋପୁର ଅଞ୍ଚଳରେ ଜି-୩ ସ୍ତରରେ ସୁନାର ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଜଳଡିହି ଅଞ୍ଚଳରେ ଜି-୨ ଅନୁସନ୍ଧାନ କାର୍ଯ୍ୟ ଚାଲିଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ଅନୁସନ୍ଧାନକାରୀ ସଂସ୍ଥା ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ବୈଷୟିକ କମିଟିର ସୁପାରିସ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
ନୂଆ ବିମାନବନ୍ଦର ପାଇଁ ଜମି ଅଧିଗ୍ରହଣ ବିଳମ୍ବ
ରାଜ୍ୟର ପୁରୀ ଓ ପାରାଦୀପରେ ଦୁଇଟି ନୂଆ ବିମାନବନ୍ଦର ନିର୍ମାଣ କରିବା ଲାଗି ପ୍ରସ୍ତାବ ରହିଛି। ପଣ୍ୟ ପରିବହନର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଲାଗି ପାରାଦୀପରେ ବିମାନବନ୍ଦର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗୃହରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଜମି ଅଧିଗ୍ରହଣରେ ହେଉଥିବା ବିଳମ୍ବ ପାଇଁ ନୂଆ ବିମାନବନ୍ଦର ବିକାଶ ବିଳମ୍ବ ହେଉଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ବରାନ୍ବିତ କରିବା ଲାଗି ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ନେଇଛି।
୫୪ ଇସ୍ପାତ କାରଖାନା ଅଛି, ଆଉ ୨୦ଟି ହେବ
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୪ଟି ଛୋଟ ଓ ବଡ଼ ଇସ୍ପାତ କାରଖାନା ରହିଛି। ଆଗାମୀ ଦିନରେ ଆଉ ୨୦ଟି ନୂଆ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଅନୁମୋଦନ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ବର୍ତ୍ତମାନ ଥିବା ଇସ୍ପାତ କାରଖାନାଗୁଡ଼ିକ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର, ଝାରସୁଗୁଡ଼ା ଓ କଟକ ଜିଲ୍ଲାରେ ରହିଛି।
୧୦୦ଟି ସ୍ଥାନରେ ବସିବ ଚାର୍ଜିଂ ଷ୍ଟେସନ
ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ଟି ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ଲାଗି ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟାରେ ଭିଭା ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍କୁ ମନୋନୀତ କରିଛନ୍ତି। ସେଥରୁ ୨୧ଟି ଚାର୍ଜିଂ ଷ୍ଟେସନ ଭୁବନେଶ୍ବରରେ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ୧୮ଟି, ଟ୍ରକ୍ ଟର୍ମିନାଲ୍ରେ ୨୩ ଓ ଅନ୍ୟାନ୍ୟ ସ୍ଥାନରେ ୧୮ଟି ଚାର୍ଜିଂ ଷ୍ଟେସନ ବସିବ। ଏହି ସ୍ଥାନଗୁଡ଼ିକରେ ଚାର୍ଜିଂ ଷ୍ଟେସନ ସ୍ଥାପନ କାମ ଆରମ୍ଭ ହୋଇଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି।