ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ମୂଳ ବଜେଟ୍ରେ ଯୋଗାଇ ଦିଆଯାଉଥିବା ଅର୍ଥ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରାଯାଇ ପାରୁନାହିଁ। ମୂଳ ବଜେଟ୍ ପରେ ପୁଣି ବିଭାଗ ଗୁଡ଼ିକୁ ଅତିରିକ୍ତ ବଜେଟ୍ ମାଧ୍ୟମରେ ଅର୍ଥ ଯୋଗାଇ ଦିଆଯାଉଛି। ତେବେ ମୂଳ ଅର୍ଥକୁ ବିଭାଗ ଗୁଡ଼ିକ ଖର୍ଚ୍ଚ କରି ପାରୁ ନଥିବା ବେଳେ ଅତିରିକ୍ତ ବଜେଟ୍ରେ କାହିଁକି ଅର୍ଥ ଆବଣ୍ଟନ ବ୍ୟବସ୍ଥା କରାଯାଉଛି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ (ସିଏଜି) ପ୍ରଶ୍ନ ଉଠାଇଛନ୍ତି। ବିଧାନସଭାରେ ଆଜି ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଏହା କୁହାଯାଇଛି।
୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଅନୁପୂରକ ଅନୁଦାନ ବାବଦରେ ୯୮୨୯ କୋଟି ଟଙ୍କାର ବ୍ୟୟ ବରାଦ ଆଣିଥିଲେ। ଏହା ଥିଲା ମୋଟ ଖର୍ଚ୍ଚର ୧୦ ପ୍ରତିଶତ। ଅନେକ ବିଭାଗ ପାଇଁ ଏହା ଅନାବଶ୍ୟକ ବୋଲି ପ୍ରମାଣିତ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଗୃହ ବିଭାଗ ପାଇଁ ମୂଳ ବଜେଟ୍ରେ ୪୧୦୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। କିନ୍ତୁ ସେହିବର୍ଷ ବାସ୍ତବ ବ୍ୟୟ ଏହାଠାରୁ କମ୍ ଅର୍ଥାତ୍ ୩୮୧୧ କୋଟି ଟଙ୍କା ରହିଥିଲା। ଏହାସତ୍ତ୍ବେ ଅତିରିକ୍ତ ବଜେଟ୍ରେ ଉକ୍ତ ବିଭାଗ ପାଇଁ ୯୫ କୋଟି ଟଙ୍କା ଦିଆଯାଇଥିଲା। ସେହିଭଳି ସାଧାରଣ ପ୍ରଶାସନ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଆଇନ, ବାଣିଜ୍ୟ, ନିର୍ମାଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୨୦୧୭-୧୮ ଆର୍ଥିକ ବର୍ଷର ମୂଳ ବଜେଟରେ ଯଥାକ୍ରମେ ୧୬୨ କୋଟି, ୯୫୩ କୋଟି, ୩୪୦ କୋଟି, ୮୬ କୋଟି, ୨୭୬୩ କୋଟି(ପୁଞ୍ଜିଗତ), ୧୦୦୩ କୋଟି ଏବଂ ୧୩,୪୨୯ କୋଟିର ବ୍ୟୟବରାଦ କରାଯାଇଥିଲା। ଏହି ବିଭାଗ ଗୁଡ଼ିକ ସେହିବର୍ଷ ଯଥାକ୍ରମେ ୧୪୪ କୋଟି, ୭୮୮ କୋଟି, ୨୮୦ କୋଟି, ୬୮ କୋଟି, ୨୭୧୬ କୋଟି (ପୁଞ୍ଜିଗତ), ୯୮୬ କୋଟି, ୧୧,୭୪୪ କୋଟି ବ୍ୟୟ କରିବାକୁ ସକ୍ଷମ ହୋଇଥିଲେ। ଏହା ସତ୍ତ୍ବେ ସେମାନଙ୍କୁ ଅତିରିକ୍ତ ବଜେଟ୍ରେ ସରକାର ବ୍ୟୟବରାଦ କରିଥିଲେ। ଏହିଭଳି ୨୯ଟି ବିଭାଗର ଉଦାହରଣ ସିଏଜି ରିପୋର୍ଟରେ ଦିଆଯାଇଛି।
ପ୍ରମୁଖ ବିଭାଗ ଗୁଡ଼ିକ ମଧ୍ୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୧୬୦ କୋଟି (ପୁଞ୍ଜିଗତ), ଜଳ ସମ୍ପଦ ବିଭାଗକୁ ୭୦୩୫ କୋଟି (ପୁଞ୍ଜିଗତ), କୃଷି ବିଭାଗକୁ ୩୮୭୧ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୨୯୧୫ କୋଟି, ମହିଳା ଓ ଶିଶୁ ବିକାଶ ବିଭାଗକୁ ୨୮୩୩ କୋଟି, ଉଚ୍ଚ ଶିକ୍ଷା ବିଭାଗକୁ ୨୦୨୫ କୋଟି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗକୁ ୨୦୦୮ କୋଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ୪୫୯୮ କୋଟି ଟଙ୍କା ମୂଳ ବଜେଟରେ ପ୍ରଦାନ କରାଯାଇଥିଲା। କିନ୍ତୁ ଏହି ବିଭାଗ ଗୁଡ଼ିକ ସେହିବର୍ଷ ଏହାଠାରୁ କମ୍ ଅର୍ଥ ଖର୍ଚ୍ଚ କରି ପାରିଥିଲେ। ଏହା ସତ୍ତ୍ବେ ସେହି ବିଭାଗ ଗୁଡ଼ିକ ପାଇଁ ଅତିରିକ୍ତ ବଜେଟ୍ରେ ରାଜ୍ୟ ସରକାର ବ୍ୟୟବରାଦ କରିଥିଲେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସେହିବର୍ଷ ୧୯୯୩ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଅର୍ଥାତ୍ ମୂଳ ବଜେଟର ଅଧା ରାଶି ଖର୍ଚ୍ଚ କରି ପାରି ନଥିଲା। ଏହା ସତ୍ତ୍ବେ ସଂପୃକ୍ତ ବିଭାଗ ପାଇଁ ଅତିରିକ୍ତ ବଜେଟ୍ରେ ୧୧୪୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ସେହିଭଳି ମହିଳା ଓ ଶିଶୁ ବିକାଶ ବିଭାଗ ରାଜସ୍ବ ବ୍ୟୟ ବାବଦରେ ମୂଳ ବଜେଟରେ ଦିଆଯାଇଥିବା ୨୮୩୩ କୋଟି ଟଙ୍କା ମଧ୍ୟରୁ ୨୨୦୬ କୋଟି ଟଙ୍କା ବ୍ୟୟ କରି ପାରିଥିଲା। ତଥାପି ଏହି ବିଭାଗ ପାଇଁ ଅତିରିକ୍ତ ବଜେଟରେ ୨୯୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଜଳ ସମ୍ପଦ ବିଭାଗ ମଧ୍ୟ ମୂଳ ବଜେଟରେ ଦିଆଯାଇଥିବା ଅର୍ଥକୁ ଖର୍ଚ୍ଚ ପାରି ନଥିବାବେଳେ ଅତିରିକ୍ତ ବଜେଟରେ ଏହି ବିଭାଗକୁ ପୁଞ୍ଜିଗତ ବ୍ୟୟବରାଦ ବାବଦରେ ୪୮୫ କୋଟି ଟଙ୍କା ଯୋଗାଇ ଦିଆଯାଇଥିଲା।