ନୂଆଦିଲ୍ଲୀ: ଦୁଇ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ଧରି ନିଷ୍କ୍ରିୟ ରହିଥିବା ୨.୨୪ ଲକ୍ଷ କମ୍ପାନିର ପଞ୍ଜୀକରଣକୁ ସରକାର ରଦ୍ଦ କରିଦେଇଛନ୍ତି। ବନ୍ଦ କରି ଦିଆଯାଇଥିବା ଏହି କମ୍ପାନି ଗୁଡ଼ିକ ମଧ୍ୟରେ ଅନେକ ଜାଲ୍ (ସେଲ୍) କମ୍ପାନି ରହିଛନ୍ତି। ଏଗୁଡ଼ିକ ମଧ୍ୟରୁ ୩୫ ହଜାର କମ୍ପାନି ବିମୁଦ୍ରାକରଣ ପରେ ବ୍ୟାଙ୍କ ଗୁଡ଼ିକରେ ୧୭ ହଜାର କୋଟି ଟଙ୍କା ଜମା କରିଛନ୍ତି ଓ ଉଠାଇଛନ୍ତି। ଏସବୁ କମ୍ପାନିର ପ୍ରାୟ ୫୮ ହଜାର ବ୍ୟାଙ୍କ ଆକାଉଣ୍ଟ ରହିଛି। ୫୬ଟି ବ୍ୟାଙ୍କ ଏସବୁ ଆକାଉଣ୍ଟରେ ଜମା ହୋଇଥିବା ଓ ଉଠା ଯାଇଥିବା ଟଙ୍କା ସମ୍ପର୍କରେ ସୂଚନା ଦେଇଛନ୍ତି ବୋଲି କେନ୍ଦ୍ର ସରକାର କହିଛନ୍ତି। ଏମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନିର ୨୧୩୪ଟି ଆକାଉଣ୍ଟ ରହିଛି। ଏତଦ୍ବ୍ୟତୀତ ଅନ୍ୟ ଏକ କମ୍ପାନିର ଆକାଉଣ୍ଟରେ ୨୦୧୬ ନଭେମ୍ବର ୮ ତାରିଖରେ ନେଗେଟିଭ ବାଲାନ୍ସ ରହିଥିବାବେଳେ ବିମୁଦ୍ରାକରଣ ପରେ ଏହି ଆକାଉଣ୍ଟରେ ୨୪୮୪ କୋଟି ଟଙ୍କା ଜମା ହୋଇଛି ଏବଂ ଉଠାଯାଇଛି।
ଏହି ସୂଚନାକୁ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ ବିଭିନ୍ନ ତଦନ୍ତକାରୀ ଓ ଅନ୍ୟ ସଂସ୍ଥାକୁ ପ୍ରଦାନ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ, ଆର୍ଥିକ ଗୁଇନ୍ଦା ୟୁନିଟ୍, ଭାରତୀୟ ରିଜର୍ଭ ବ୍ୟାଙ୍କ ଆଦି ରହିଛନ୍ତି। ଏଭଳି ସନ୍ଦିଗ୍ଧ ଜମାକାରୀଙ୍କ ଉପରେ ନଜର ରଖିବା ପାଇଁ ପୂର୍ବରୁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ମଧ୍ୟ ରହିଛି। ଯେଉଁସବୁ କମ୍ପାନିର ପଞ୍ଜୀକରଣକୁ ରଦ୍ଦ କରାଯାଇଛି ସେଗୁଡ଼ିକର ସମ୍ପତ୍ତି ବିକ୍ରି ଓ ହସ୍ତାନର ଉପରେ କଟକଣା ଲାଗୁ କରାଯାଇଛି। ସେମାନଙ୍କ ପଞ୍ଜୀକରଣକୁ ପୁନଶ୍ଚ ଚାଲୁ କରା ନଯିବା ପର୍ଯ୍ୟନ୍ତ ସେମାନେ ସ୍ଥାବର କିମ୍ବା ଅସ୍ଥାବର ସମ୍ପତ୍ତି ବିକ୍ରି କରିପାରିବେ ନାହିଁ। ଏଥିସହିତ ସରକାର ମଧ୍ୟ ଏସବୁ କମ୍ପାନିରେ କାର୍ଯ୍ୟ କରୁଥିବା ପ୍ରାୟ ୩.୦୯ ଲକ୍ଷ ଜଣ ନିର୍ଦେଶକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ୨୦୧୨-୧୩ରୁ ୨୦୧୫-୧୬ ମଧ୍ୟରେ ନିରବଚ୍ଛିନ୍ନ ଭାବେ ବାର୍ଷିକ ଆୟବ୍ୟୟ ହିସାବ ଓ ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାରେ ବିଫଳ ହୋଇଛନ୍ତି ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାଯାଇଛି ଯେ, ଅଯୋଗ୍ୟ ଘୋଷିତ ୩୦୦୦ରୁ ଅଧିକ ନିର୍ଦେଶକ ୨୦ଟି ଲେଖାଏଁ କମ୍ପାନିରେ ନିର୍ଦେଶକ କହିଛନ୍ତି। ଆଇନରେ ରହିଥିବା ବ୍ୟବସ୍ଥାକୁ ଏମାନେ ଉଲ୍ଲଂଘନ କରିଛନ୍ତି। କୌଣସି ନିର୍ଦେଶକ ଜାଲିଆତି କରିଥିଲେ ସେମାନଙ୍କୁ ଗିରଫ କରିବା ଦାୟିତ୍ୱ ଗୁରୁତର ଜାଲିଆତି ତଦନ୍ତ କାର୍ଯ୍ୟାଳୟ (ଏସ୍ଏଫଆଇଓ)ର ନିର୍ଦେଶକ, ଅତିରିକ୍ତ ନିଦେର୍ଶକ ଏବଂ ସହକାରୀ ନିର୍ଦେଶକମାନଙ୍କୁ ଦିଆଯାଇଛି। କମ୍ପାନି ଆଇନ ୨୦୧୩ ଅନୁଯାୟୀ ସେମାନଙ୍କୁ ଗିରଫ କରାଯାଇ ପାରିବ। ସେହିଭଳି ଏସବୁ ସୂଚନା ଅର୍ଥ ମନ୍ତ୍ରାଳୟକୁ ମଧ୍ୟ ଦିଆଯାଇଛି, ଯାହାଦ୍ୱାରା ପିଏମ୍ଏଲ୍ଏ ଅନୁଯାୟୀ ଏହାକୁ ଅପରାଧ ଭାବେ ବିବେଚନା କରାଯିବ। ସେହିଭଳି ଏହି ଜାଲିଆତି କାର୍ଯ୍ୟରେ ସଂପୃକ୍ତ ଥିବା ବୃତ୍ତିଧାରୀମାନଙ୍କ ବିରୋଧରେ ମଧ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/company-1.jpg)