ମାର୍କେଟ ଟ୍ରେଣ୍ଡ୍‌ : ଡିଜାଇନ୍‌ ଗହଣା ଅଧିକ ପସନ୍ଦ

ଦିନକୁ ଦିନ ଭୁବନେଶ୍ୱର ଏବଂ ଓଡ଼ିଶାର ଗହଣା ବଜାର ବ୍ୟାପକ ହେବାରେ ଲାଗିଛି। କେବଳ ବାହାଘର, ବ୍ରତଘର, ପିଲାଙ୍କ ଜନ୍ମଦିନ କିମ୍ବା ଏକୋଇଶିଆ ପାଇଁ ଲୋକମାନେ ସୁନା, ରୁପା, ହୀରା, ପ୍ଲାଟିନମ୍‌, ମୁକ୍ତାରେ ପ୍ରସ୍ତୁତ ଗହଣା କିଣୁନାହାନ୍ତି। ଦୈନନ୍ଦିନ ଜୀବନରେ ପିନ୍ଧିବା ଲାଗି ମଧ୍ୟ ଲୋକମାନେ ଗହଣା କିଣୁଛନ୍ତି। ରକ୍ଷାବନ୍ଧନରେ ଭଉଣୀକୁ ଭାଇ ଉପହାର ପ୍ରଦାନ କରିବା ଲାଗି ଗହଣା କିଣୁଛି। ସେହିଭଳି ବିବାହ ବାର୍ଷିକୀରେ ପତ୍ନୀଙ୍କୁ ଉପହାର ଭାବେ ପତି ମୂଲ୍ୟବାନ ଗହଣା ଦେଉଥିବା ଦେଖାଯାଉଛି। ଏତଦ୍‌ବ୍ୟତୀତ ଗତ କିଛିବର୍ଷ ହେଲା ଲୋକମାନେ ଅକ୍ଷୟ ତୃତୀୟା ଓ ଧନତେରସ୍‌ରେ ବହୁମାତ୍ରାରେ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ କିମ୍ବା ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣା କିଣୁଛନ୍ତି। ମହିଳାମାନେ ସାଧାରଣତଃ ବିଭାଘର କିମ୍ବା ଅନ୍ୟ କୌଣସି ପାରିବାରିକ ଉତ୍ସବରେ ଗହଣା ପିନ୍ଧନ୍ତି ଏବଂ ପରେ ତାହାକୁ ଓହ୍ଲାଇ ଘରେ କିମ୍ବା ବ୍ୟାଙ୍କ ଲକରରେ ରଖିଥାଆନ୍ତି। କିନ୍ତୁ ଏହି ଅଭ୍ୟାସରେ କିଛିଟା ପରିବର୍ତ୍ତନ ଏବେ ଆସିଛି। ବିଶେଷକରି ଆଧୁନିକ ଏବଂ ଉଚ୍ଚଶିକ୍ଷିତା ମହିଳାମାନେ କାର୍ଯ୍ୟାଳୟକୁ ଯିବାଲାଗି ସବୁଦିନେ ପିନ୍ଧିହେବା ଭଳି ହାଲୁକା ଓଜନର ଗହଣା କିଣୁଛନ୍ତି। ତେବେ ଗହଣା କିଣିବା ବେଳେ ଗ୍ରାହକମାନେ ଡିଜାଇନକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। କିଛି ମହିଳା ଅଛନ୍ତି ଯେଉଁମାନେ ଦୈନନ୍ଦିନ ପିନ୍ଧିବା ପାଇଁ ଗୋଟିଏ ସେଟ୍‌ ଗହଣା କିଣୁଥିବାବେଳେ ଆଉ ଗୋଟିଏ ସେଟ୍‌ ଗହଣା ବିଭିନ୍ନ ଉତ୍ସବରେ ପିନ୍ଧିବା ଲାଗି କ୍ରୟ କରୁଛନ୍ତି। ତେବେ ଗହଣା କିଣିବା ବେଳେ ଗ୍ରାହକମାନେ ପୂର୍ବର ପାରମ୍ପରିକ ଡିଜାଇନ ପରିବର୍ତ୍ତେ ଏବେ ଆଣ୍ଟିକ୍‌, ଟେମ୍ପଲ୍‌, ଫ୍ୟାନ୍ସି ଏବଂ କୁନ୍ଦନ ଡିଜାଇନ୍‌ର ଗହଣା ଅଧିକ କିଣିବାକୁ ଆଗ୍ରହ ଦେଖାଉଛନ୍ତି।
ଭୁବନେଶ୍ୱରର ଏକ ଗହଣା ସୋ’ରୁମ୍‌ର କର୍ମକର୍ତାଙ୍କ କହିବାନୁଯାୟୀ, ସହରର ମହିଳାମାନେ ଡିଜାଇନ୍‌ ଗହଣାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ସିରିଏଲ ଏବଂ ସିନେମାରେ ସେଲିବ୍ରିଟିମାନେ ଯେଉଁ ଗହଣା ପିନ୍ଧୁଛନ୍ତି ତାହାକୁ କେତେକ ଗ୍ରାହକ ଖୋଜି ଖୋଜି କିଣୁଛନ୍ତି। ଅନ୍ୟ ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, କେତେକ ମହିଳା ଉଜ୍ଜ୍ୱଳ ହଳଦିଆ ଦେଖାଯାଉଥିବା ଗହଣା ପସନ୍ଦ କରୁଥିବାବେଳେ ଆଉ କେତେକ ମହିଳା ବ୍ଲାକିସ୍‌ ରଙ୍ଗର ଗହଣାକୁ ପସନ୍ଦ କରୁଛନ୍ତି। କର୍ମଜୀବୀ ମହିଳାଙ୍କ ମଧ୍ୟରୁ ଅଧିକାଂଶ ସିମ୍ପଲ୍‌ ଡିଜାଇନ୍‌ର ଗହଣା ପିନ୍ଧିବାକୁ ଭଲ ପାଉଛନ୍ତି। ସେହିଭଳି ବିଦେଶରେ ଏବଂ ମେଟ୍ରୋ ଗୁଡ଼ିକରେ ମହିଳାମାନେ ଯେଉଁ ଷ୍ଟାଇଲ ଏବଂ ଡିଜାଇନ୍‌ର ଗହଣା ପିନ୍ଧୁଛନ୍ତି ଭୁବନେଶ୍ୱର ଏବଂ ଓଡ଼ିଶାର ଗ୍ରାହକମାନେ ମଧ୍ୟ ସେ ପ୍ରକାର ଗହଣା କିଣିବା ଲାଗି ଏବେ ଆଗ୍ରହ ଦେଖାଉଛନ୍ତି। ଏତଦ୍‌ବ୍ୟତୀତ ବିଭିନ୍ନ ଫେସନ ଡିଜାଇନ୍‌ ପ୍ରତିଷ୍ଠାନ ଦ୍ୱାରା ବିକଶିତ ଡିଜାଇନ୍‌କୁ ଆଧାର କରି ପ୍ରସ୍ତୁତ ଗହଣା କଲେକ୍‌ସନକୁ ମଧ୍ୟ ଲୋକମାନେ ଅଗ୍ରାଧିକାର ଦେଉଛନ୍ତି।

ସମ୍ବନ୍ଧିତ ଖବର