ମୁମ୍ବାଇ: ଅନ୍‌ଲାଇନ୍ କିଣାକିଣିକୁ ସହଜ କରିବା ଲାଗି ଏବେ ଗ୍ରାହକମାନଙ୍କ କାର୍ଡ ତଥ୍ୟକୁ ଅନେକ ବ୍ୟବସାୟୀ ଓ ପୋର୍ଟାଲ୍ ସେଭ୍ (ସଂରକ୍ଷିତ) ରଖିବା ସୁବିଧା ପ୍ରଦାନ କରୁଛନ୍ତି। ଏହାର ଲାଭ ହେଉଛି ପ୍ରତି ଥର କିଣିବା ବେଳେ ଗ୍ରାହକଙ୍କୁ କାର୍ଡର ସବୁ ବିବରଣୀ ଦେବାକୁ ପଡ଼ୁନାହିଁ। ଫଳରେ ସୁବିଧାରେ ସେମାନେ ଗୋଟିଏ କ୍ଲିକ୍‌ରେ ପେମେଣ୍ଟ୍‌ କରିପାରୁଛନ୍ତି। ୨୦୨୨ ଜାନୁଆରି ଠାରୁ ଏହି ବ୍ୟବସ୍ଥା ଉପଲବ୍ଧ ହେବ ନାହିଁ ବୋଲି ଭାରତୀୟ ‌ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆଜି ସ୍ପଷ୍ଟ କରିଛି। କୌଣସି ସଂସ୍ଥା ଗ୍ରାହକଙ୍କ କାର୍ଡ ବିବରଣୀକୁ ନିଜ ପାଖରେ ରଖିପାରିବେ ନାହିଁ। ଗ୍ରାହକ ଯେତେ ଥର କାର୍ଡକୁ ବ୍ୟବହାର କରି କିଣିବାକୁ ଚାହିବେ ପ୍ରତି ଥର ସେ କାର୍ଡର ବିବରଣୀ ନୂଆ ଭାବେ ଦାଖଲ କରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

Advertisment

ଅନ୍‌ଲାଇନ୍ କାରବାର ବେଳେ ଗ୍ରାହକ କାର୍ଡର ଯେଉଁ ବିବରଣୀ ପ୍ରଦାନ କରିବେ ତାହା ବ୍ୟବସାୟୀଙ୍କ ପାଖରେ ସେହିଭଳି ଭାବେ ପହଞ୍ଚିବ ନାହିଁ। ସଂଖ୍ୟାଗୁଡ଼ିକ ଏପଟ ସେପଟ ‌ହୋଇଯିବ। ଫଳରେ ସେହି ତଥ୍ୟକୁ ବ୍ୟବସାୟୀ ଚାହିଲେ ମଧ୍ୟ ସଂରକ୍ଷିତ ରଖି ବ୍ୟବହାର କରିପାରିବେ ନାହିଁ। ଠକେଇ ଆଦିରୁ ଗ୍ରାହକଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କର ଏହି ନିଷ୍ପତ୍ତି ପେମେଣ୍ଟ୍ ଆପ୍‌ଗୁଡ଼ିକ ଲାଗି ଏକ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। କାର୍ଡ ବିବରଣୀକୁ ସଂରକ୍ଷିତ ରଖିବା ଲାଗି ସେମାନେ ଅନୁମତି ମାଗିଥିଲେ। ତେବେ ବ୍ୟବସାୟୀମାନଙ୍କ କାମ ସହଜ କରିବା ଲାଗି ସେମାନଙ୍କୁ ଗ୍ରାହକଙ୍କ କାର୍ଡର ଶେଷ ଚାରିଟି ସଂଖ୍ୟା ଓ ନାମ ସଂରକ୍ଷିତ ରଖିବାର ଅନୁମତି ଦିଆଯାଇଛି।