ବଲାଙ୍ଗୀରର ଦେବଦତ୍ତ ବ୍ୟାଙ୍କ ଅଫ୍‌ ବରୋଦାର ନୂଆ ଇଡି

ଭୁ‌ବନେଶ୍ବର: ବଲାଙ୍ଗୀର ସହର ପ୍ୟାଲେସ୍‌‌ ଲେନ୍‌ରେ ଜନ୍ମିତ ଦେବଦତ୍ତ ଚାନ୍ଦଙ୍କୁ ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ନୂଆ କାର୍ଯ୍ୟନିର୍ବାହୀ ନିର୍ଦେଶକ (ଇଡି) ଭାବେ ନିଯୁକ୍ତି ମିଳିଛି। ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିବେ। ଏହା ପୂର୍ବରୁ ସେ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ର ମୁଖ୍ୟ ମହାପ୍ରବନ୍ଧକ ଭାବେ ମୁମ୍ବାଇରେ କାର୍ଯ୍ୟ କରୁଥିଲେ। ବଲାଙ୍ଗୀର ପିଆର୍‌ ହାଇସ୍କୁଲ୍‌ ଓ ଭୁବନେଶ୍ବରର ସିଏଇଟିରେ ପାଠ ପଢ଼ିଥିବା‌ ଦେବଦତ୍ତଙ୍କ ଇନଭେଷ୍ଟମେଣ୍ଟ୍‌ ବ୍ୟାଙ୍କିଙ୍ଗ୍‌ ଓ ମାର୍କେଟ୍‌ ରିସ୍କ ମ୍ୟାନେଜମେଣ୍ଟ୍‌ କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି। ସେ ସିଡ୍‌ବିରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଦେବଦତ୍ତଙ୍କ ସମେତ ୧୪ ଜଣ ସିଜିଏମ୍ ଓ ଜିଏମ୍‌ ରୢାଙ୍କର ଅଧିକାରୀଙ୍କୁ ବିଭିନ୍ନ ବ୍ୟାଙ୍କର ଇଡି ଭାବେ ନିଯୁକ୍ତ କରାଯାଇଛି।

ବ୍ୟାଙ୍କ ବୋର୍ଡ ବ୍ୟୁରୋ (ବିବିବି) ତରଫରୁ ସେମାନଙ୍କ ନାମ ସୁପାରିସ କରାଯାଇଥିଲା। ସ୍ବରୂପ କୁମାର ଶାହଙ୍କୁ ପିଏନ୍‌ବିରେ, କେ ସତ୍ୟନାରାୟଣ ରାଜଙ୍କୁ କାନାରା ବ୍ୟାଙ୍କ, ନିତେଶ ରଞ୍ଜନଙ୍କୁ ୟୁନିୟନ୍ ବ୍ୟାଙ୍କ, ମୋନିକା କାଲିଆ, ସ୍ବରୂପ ଦାସଗୁପ୍ତା ଓ ଏମ୍ କାର୍ତ୍ତିକେୟନଙ୍କୁ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇସ୍‌ରାକ୍‌ ଅଲ୍‌ ଖାନ୍‌ଙ୍କୁ ୟୁକୋ ବ୍ୟାଙ୍କ, ବିବେକ ବାହିଙ୍କୁ ସେଣ୍ଟ୍ରାଲ୍ ବ୍ୟାଙ୍କ, ଏସ୍‌ ଶ୍ରୀମାଥିଙ୍କୁ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ, ବି ବିଜୟକୁମାରଙ୍କୁ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ରାଘବେନ୍ଦ୍ର ଭେଙ୍କଟଶେଶନ କୋଲେଗାଲ୍‌ଙ୍କୁ ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ, ରାଜୀବ ପୁରୀଙ୍କୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଓ ଇମ୍‌ରାନ୍ ଅମିନ୍‌ ସିଦ୍ଦିକିଙ୍କୁ ଇଣ୍ଡିଆନ୍ ବ୍ୟାଙ୍କର ଇଡି ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର