ଭୁବନେଶ୍ବର ( ମହମ୍ମଦ ହିଫଜୁର୍ ରହେମାନ୍) : କରୋନା ଭାଇରସକୁ ନେଇ ଲକ୍ଡାଉନ୍ କେତେ ଦିନ ଚାଲିବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଭାରତ ସମେତ ସାରା ବିଶ୍ବର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେଲାଣି। ପରିସ୍ଥିତି ଏଭଳି ଜାରି ରହିଲେ ସାରା ବିଶ୍ବରେ ବେକାରି ସମସ୍ୟା ଭୟଙ୍କର ରୂପ ଧାରଣ କରିବ। ୫୦ ଲକ୍ଷ ଲୋକ ବେକାର ହୋଇଯିବେ। ଅକ୍ସଫାମ୍ ପକ୍ଷରୁ ଜାରି ଏକ ରିପୋର୍ଟରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। ସେହିଭଳି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ବା ଆଇଏମ୍ଏଫ୍ ମଧ୍ୟ ଏକ ଅନ୍ଧକାରମୟ ଚିତ୍ର ଆଙ୍କିଛି। ସଂଗଠନ ଚେତାଇ ଦେଇଛି ଯେ ପରିସ୍ଥିତି ୧୯୩୦ରେ ହୋଇଥିବା ମହା ମାନ୍ଦାବସ୍ଥାକୁ ମଧ୍ୟ ଟପିଯିବ। ୧୭୦ ରାଷ୍ଟ୍ର ଏହାଦ୍ବାରା ଭୀଷଣ ରୂପେ ପ୍ରଭାବିତ ହେବେ। ଏହିସବୁ ଦେଶରେ ବିକାଶ ତଳକୁ ତଳକୁ ଖସିବା ନିଶ୍ଚିତ। ୧୯୩୦ ମାନ୍ଦାବସ୍ଥାରୁ ଉଦ୍ଧାର ପାଇବା ଲାଗି ବିଶ୍ବକୁ ୧୦ ବର୍ଷ ଲାଗିଥିଲା। କିନ୍ତୁ କରୋନା ଯୋଗୁଁ ଆଜିର ପରିସ୍ଥିତି କେତେଦିନ ପରେ ନିୟନ୍ତ୍ରଣକୁ ଆସିବ ତାହା କହିବା ମୁସ୍କିଲ। ଖୁଚୁରା ବ୍ୟବସାୟ, ହୋଟେଲ ଶିଳ୍ପ ସମେତ ପର୍ଯ୍ୟଟନ ଓ ପରିବହନ କ୍ଷେତ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ଅଧିକାଂଶ କର୍ମଚାରୀ ହେଉଛନ୍ତି ଆତ୍ମନିଯୁକ୍ତ କିମ୍ବା ଛୋଟ ଓ ମଧ୍ୟମ ଧରଣ ସଂସ୍ଥା ଦ୍ବାରା ନିୟୋଜିତ। ଲକ୍ଡାଉନ୍ର ପ୍ରଭାବ ସବୁଠାରୁ ବେଶି ଏଭଳି କର୍ମଚାରୀମାନଙ୍କ ଉପରେ ପଡ଼ିଛି। ତେବେ ସବୁର ମୂଳରେ ରହିଛି ଚୀନ୍। ଏହି ଦେଶରୁ କରୋନା ମହାମାରୀ ବ୍ୟାପିଥିବା ବେଳେ ଚୀନର ଆର୍ଥିକ ଦୁରାବସ୍ଥା ମଧ୍ୟ ବିଶ୍ବ ଅର୍ଥନୀତିକୁ ପଙ୍ଗୁ କରିବାକୁ ବସିଲାଣି। ବିଶ୍ବ ଅର୍ଥନୀତି ଓ ଅର୍ଥନୈତିକ ବିକାଶେର ଚୀନର ଭାଗ ଅନ୍ୟମାନଙ୍କ ତୁଳନାରେ ଅଧିକ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ବ ଜିଡିପି ବା ମୋଟ୍ ବିକାଶ ହାରରେ ଚୀନର ଅଂଶ ହେଉଛି ୧୯.୭ ଭାଗ। ଚୀନ ହେଉଛି ବିଶ୍ବର ସବୁଠାରୁ ବଡ଼ ଆମଦାନୀ ଓ ରତ୍ପାନୀକାରୀ ରାଷ୍ଟ୍ର। ବିଶ୍ବରେ ମୋଟ ରପ୍ତାନୀରେ ଏହାର ଭାଗ ୧୩% ଥିବା ବେଳେ ଆମଦାନୀରେ ମଧ୍ୟ ୧୧% ରହିଛି। ତେଣୁ ଚୀନରେ ଲକଡାଉନ ହେଉ ବା ଆର୍ଥିକ ଦୁରାବସ୍ଥା ହେଉ ସାରା ବିଶ୍ବରେ ଏହାର ପ୍ରଭାବ ପଡ଼ିବ।
ଭାରତ ମଧ୍ୟ ଏଭଳି ସଙ୍କଟରୁ ବର୍ତି ପାରିବ ନାହିଁ। ଭାରତ ସବୁଠାରୁ ବେଶି ଆମଦାନୀ ଚୀନରୁ କରେ। ଭାରତ ଏହାର ଇଲେକଟ୍ରୋନିକ ସାମଗ୍ରୀ ମଧ୍ୟରୁ ୪୫ ଭାଗ ଚୀନରୁ ଆମଦାନୀ କରୁଥିବା ବେଳେ ଅର୍ଗାନିକ କେମିକାଲସ ୨/୩ ଭାଗ, ଅଟୋମୋବାଇଲ ପାଟର୍ସ ଏବଂ ସାର ୨୫ ଭାଗ, ଔଷଧ ତିଆରି ସାମଗ୍ରୀ ୭୦ ଭାଗ ଏବଂ ମୋବାଇଲ ଫୋନ୍ ୯୦ ଭାଗ ଚୀନରୁ ହିଁ ଆମଦାନୀ କରୁଛି। ରପ୍ତାନୀ କ୍ଷେତ୍ରରେ ମଧ୍ୟ ଭାରତର ବୟନ ଶିଳ୍ପ ଏବଂ ସୌର ଶକ୍ତି ଚୀନ ଉପରେ ନିର୍ଭର କରୁଛନ୍ତି। ଏହାବାଦ୍ ଭାରତର ଆଇଟି ଶିଳ୍ପ, ପର୍ଯ୍ୟଟନ, ଇଲେକଟ୍ରୋନିକ ଶିଳ୍ପ ଏବଂ ପରିବହନ କ୍ଷେତ୍ର ମଧ୍ୟ ଚୀନ ସହିତ ସଂପୃକ୍ତ ହୋଇ ରହିଛନ୍ତି।
ଏହାସହିତ ଗତମାସ ଠାରୁ ଆରମ୍ଭ ହୋଇଥିବା ଲକଡାଉନ୍ ଯୋଗୁଁ ଭାରତର ପର୍ଯ୍ୟଟନ, ପରିବହନ, ବେସାମରିକ ବିମାନ ଶିଳ୍ପ ଏବଂ ଅଟୋମୋବାଇଲ ଶିଳ୍ପ ସଙ୍କଟ ଭିତରକୁ ଠେଲି ହୋଇଯାଇଛି। ପରିସ୍ଥିତି ଏଭଳି ଜାରି ରହିଲେ ପର୍ଯ୍ୟଟନ ଶିଳ୍ପ ୩୦ ହଜାର କୋଟି ଟଙ୍କା ଏବଂ ବିମାନ ଚଳାଚଳ ୮୨୦୦ କୋଟି ଟଙ୍କାର କ୍ଷତି ସହିବେ। ଗତ ମାର୍ଚରେ ଅଟୋମୋବାଇଲ ବିକ୍ରି ୭୦ ଭାଗ ହ୍ରାସ ପାଇଥିବା ବେଳେ ରେସ୍ତୋରାଁରେ ନିୟୋଜିତ ୧୫ ଲକ୍ଷ ଲୋକ ଚାକିରି ହରାଇବାକୁ ବସିଲେଣି। ସେହିଭଳି ବୟନ ଶିଳ୍ପରେ ନିୟୋଜିତ ୧୨୯ ଲକ୍ଷ ଲୋକ ମଧ୍ୟ ଚାକିରି ହରାଇବା ଥୟ। ଗହଣା ବ୍ୟବସାୟ ମଧ୍ୟ ୮୦ ଭାଗ ହ୍ରାସ ପାଇଛି। ଲକ୍ଡାଉନ୍ ଯୋଗୁଁ ବିମାନ, ଟ୍ରେନ୍,ବସ୍, ଟ୍ରକ, କାରଖାନା ଏବଂ ଗୃହନିର୍ମାଣ କ୍ଷେତ୍ର ସଂପୂର୍ଣ୍ଣ ଠପ୍ ହୋଇଯାଇଛି। ଦେଶର ବିଭିନ୍ନ ସ୍ଥାନରେ ୩ ଲକ୍ଷରୁ ଅଧିକ ଟ୍ରକ ରାସ୍ତା ଉପରେ ଠିଆ ହୋଇ ରହିଛି। ଏଥିରେ ୩୫ ହଜାର କୋଟି ଟଙ୍କାର ସାମଗ୍ରୀ ଲଦେଇ ହୋଇ ରହିଛି। ଡ୍ରାଇଭର ଏବଂ ଶ୍ରମିକଙ୍କ ଅଭାବ ଯୋଗୁଁ ମାଲ ଖଲାସ ହୋଇପାରୁନି। ଲକ୍ ଡାଉନ ପରେ ଶ୍ରମିକମାନେ ନିଜ ନିଜ ଗାଁକୁ ପଳାଇଥିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ସଂଗଠନ 'ଫିକି' ଚିନ୍ତା ପ୍ରକଟ କରିଛି। ସଂଗଠନ କହିଛି ଯେ ଭାରତ ଭଳି ଦେଶରେ ଲକ୍ଡାଉନ୍କୁ ଏତେ ଦିନ ଧରି ଅବ୍ୟାହତ ରଖାଯିବା ଠିକ୍ ହେବନି। ଲକ୍ଡାଉନ୍ ଯୋଗୁଁ ବେକାରି ହାର ୨୩.୮ ଭାଗକୁ ବୃଦ୍ଧି ପାଇଲାଣି। ଏଥିରୁ ତୁରନ୍ତ ମୁକୁଳିବା ଲାଗି ସୀମିତ ଭାବେ ବ୍ୟବସାୟ ଆରମ୍ଭ କରିବା ଲାଗି ଏହା ସରକାରଙ୍କୁ ଅନୁରୋଧ କରିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତ ହୋଇନାହିଁ ସେସବୁ ଅଞ୍ଚଳରେ କଳ କାରଖାନା ଖୋଲାଯାଉ ଏବଂ ଟ୍ରେନ୍ ଓ ବସ୍ ଟ୍ରକ୍ ସେବା ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯାଉ।